ବ୍ରହ୍ମପୁର,୨୨/୦୯; ବନ୍ଦ ଓ ମିଶ୍ରଣ ନୀତି ଫଳରେ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବାଉଁସିଆପଲ୍ଲୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପୁନଃ ଖୋଲିବା ଦାବିରେ ସୋମବାର ଏକ ରାଲି ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ ଠାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଗ୍ରାମବାସୀ ଗଣଧାରଣାରେ ବସିଛନ୍ତି।
ଜାତୀୟ ଶିକ୍ଷା ନୀତି -୨୦୨୦ର ସୁପାରିଶ କ୍ରମେ ବନ୍ଦ ଓ ମିଶ୍ରଣ ନୀତି ଫଳରେ ୨୦୨୦ ମସିହାରେ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଏକ ଆଦିବାସୀ ଗାଁ ବାଉଁସିଆପଲ୍ଲୀର ପ୍ରାଥମିକ ବିଦ୍ୟାଳୟକୁ ଅଳ୍ପ ଛାତ୍ରଛାତ୍ରୀ ପାଠ ପଢୁଥିବା ଦର୍ଶାଇ ବନ୍ଦ କରିଦିଆଗଲା। ଏହି ବିଦ୍ୟାଳୟ ଉପରେ ନିକଟବର୍ତ୍ତୀ ଛୋଟ ଛୋଟ ୩ଟି ଗାଁର ଛାତ୍ରଛାତ୍ରୀ ମଧ୍ୟ ନିର୍ଭର କରନ୍ତି । ବନ୍ଦ ହେବା ଦିନ ଠାରୁ ଗ୍ରାମବାସୀ ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ବ ଏବଂ ଗଣ ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଦାବି କରିବା ପରେ ଗତ ୬ମାସ ପୂର୍ବେ ଏହି ସ୍କୁଲ ଖୋଲାଯାଇ ପାଠପଢ଼ା କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଅତ୍ୟନ୍ତ ଦୁଃଖର ବିଷୟ ଯେ, ଗତ ଶନିବାର ଦିନ ସ୍କୁଲକୁ ପୁଣି ବନ୍ଦ କରି ଛାତ୍ରଛାତ୍ରୀଙ୍କୁ ପ୍ରାୟ ୩ କିଲୋମିଟର ଦୂରରେ ଅବସ୍ଥିତ ଇନ୍ଦିରା ଆବାସ ବିଦ୍ୟାଳୟକୁ ଯିବା ପାଇଁ ବାଧ୍ୟ କରାଗଲା । ବାଉଁସିଆପଲ୍ଲୀ ଗାଁରେ ସରକାରଙ୍କ ସ୍କୁଲ ଚାଲୁ ରଖିବା ପାଇଁ ନିର୍ଦ୍ଧାରିତ ନିୟମ ଠାରୁ ଅଧିକ ଛାତ୍ରଛାତ୍ରୀ (୨୭ଜଣ) ପାଠ ପଢୁଥିବା ସତ୍ତ୍ୱେ ଏହାକୁ ବନ୍ଦ କରାଗଲା। ଏହି ବିଦ୍ୟାଳୟରେ ପଢୁଥିବା ପ୍ରାୟ ସମସ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକ ଗରିବ କୃଷକ ଓ ଦିନ ମଜୁରିଆ । ତେଣୁ ପ୍ରତିଦିନ ୩ କି.ମି ଦୂରରେ ଥିବା ବିଦ୍ୟାଳୟକୁ ନେବା ଆଣିବା କରିବା ଅସମ୍ଭବ। ତେଣୁ ଉକ୍ତ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଅବିଳମ୍ବେ ଖୋଲିବା ପାଇଁ ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଦୃଢ ଦାବି କରାଯାଇଛି ।
ଏହି ସମୟରେ ଏଆଇଡିଏଓ ରାଜ୍ୟ ସଭାପତି ସୋମନାଥ ବେହେରା, ବିଦ୍ୟାଳୟ ସୁରକ୍ଷା କମିଟି, ଗଞ୍ଜାମ ଜିଲ୍ଲା ସଙ୍ଗଠକ ନାରାୟଣ ସାହୁ, ନିମାଇଁ ଚରଣ ସାହୁ, କିସାନ କୁମାର ସାହୁ, ଶୁଭସ୍ମିତା ପାଣିଗ୍ରାହି ସମେତ ଅନେକ ଶିଶୁ ଉପସ୍ଥିତ ।