ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଭିତରେ ପୁଣି ଥରେ ଥରି ଉଠିଛି ପାକିସ୍ତାନ ମାଟି । କୌଣସି ଭାରତୀୟ କ୍ଷେପଣାସ୍ତ୍ର କିମ୍ବା ଡ୍ରୋନ ଦ୍ୱାରା ନୁହେଁ ବରଂ ଭୂମିକମ୍ପ ଦ୍ୱାରା ଥରିଛି ପାକିସ୍ତାନ । ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ୪.୬  ଏବଂ ଗଭୀରତା ୧୦ କିଲୋମିଟର ପର୍ଯ୍ୟନ୍ତ ଥିବା କୁହାଯାଉଛି । ଗୋଟିଏ ସପ୍ତାହ ମଧ୍ୟରେ ପାକିସ୍ତାନରେ ଏହା ତୃତୀୟ ଭୂମିକମ୍ପ । 




ସେହିପରି ସୋମବାର (ମେ’ ୫) ମଧ୍ୟ ପାକିସ୍ତାନରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପର ତୀବ୍ରତା ୪.୨  ରେକର୍ଡ କରାଯାଇଥିଲା। NCS ଅନୁଯାୟୀ, ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା । ଫଳରେ ପରବର୍ତ୍ତୀ ଝଟକା ହେବାର ସମ୍ଭାବନା ଥିଲା । ଗତ କିଛି ମାସ ଧରି ପାକିସ୍ତାନରେ ୭୦ କିଲୋମିଟରରୁ କମ ଗଭୀରତାରେ ଏକାଧିକ ଭୂମିକମ୍ପ ହୋଇଛି । 

ଭୂମିକମ୍ପର ତରଙ୍ଗ କମ୍ ଦୂରତା ପର୍ଯ୍ୟନ୍ତ ଯାଏ ଏବଂ କେନ୍ଦ୍ରସ୍ଥଳ ନିକଟରେ ଅଧିକ ତୀବ୍ର କମ୍ପନ ହେବା ସହ ବିନାଶ ଘଟାଇଥାଏ। ବେଲୁଚିସ୍ତାନ ପ୍ରଦେଶ ସଂଘୀୟ ପ୍ରଶାସିତ ଆଦିବାସୀ ଅଞ୍ଚଳ । ଖୈବର ପଖତୁନଖ୍ୱା ଏବଂ ଗିଲଗିଟ-ବାଲ୍ଟିସ୍ତାନ ପ୍ରଦେଶ ୟୁରେସିଆନ୍ ପ୍ଲେଟର ଦକ୍ଷିଣ ପାର୍ଶ୍ୱରେ ଇରାନ ମାଳଭୂମିରେ ଅବସ୍ଥିତ। ଦକ୍ଷିଣ ଏସିଆରେ ସିନ୍ଧ, ପଞ୍ଜାବ ଏବଂ ପାକିସ୍ତାନ ଅଧିକୃତ ଜମ୍ମୁକାଶ୍ମୀର ପ୍ରଦେଶଗୁଡ଼ିକ ଭାରତୀୟ ପ୍ଲେଟର ଉତ୍ତର-ପଶ୍ଚିମ ପାର୍ଶ୍ୱରେ ଅବସ୍ଥିତ। ତେଣୁ, ଦୁଇଟି ଟେକ୍ଟୋନିକ୍ ପ୍ଲେଟ ପରସ୍ପର ସହିତ ଧକ୍କା ହେଉଥିବାରୁ ଏହି ଅଞ୍ଚଳରେ ଭୂମିକମ୍ପର ସମ୍ଭାବନା ଅଧିକ ଥାଏ ।