ଗୁଣପୁର,୧୫/୦୩: ଟ୍ରେନ୍ ଧକ୍କାରେ ଜଙ୍ଘରୁ କଟି ଯାଇଛି ଦୁଇ ଗୋଡ଼ । ତଥାପି ସେ ଭାଙ୍ଗିପଡ଼ିନାହାନ୍ତି । ସ୍ୱାଭିମାନର ସହ ବଞ୍ଚିବାକୁ ଦୀର୍ଘ ୮ ବର୍ଷ ହେଲା ସଂଘର୍ଷ କରୁଛନ୍ତି । ହାତରେ ତୂଳୀ ଧରି ବିଭିନ୍ନ ସରକାରୀ ଯୋଜନାର ସୂଚନା ଫଳକ ଆଙ୍କି ଦୁଇପଇସା ରୋଜଗାର କରୁଛନ୍ତି । ସେ ହେଲେ ଦୁର୍ଗମ ଅଞ୍ଚଳର ଉଚ୍ଚ ଶିକ୍ଷିତ ଲାଞ୍ଜିଆ ସୌରା ଯୁବକ ସନ୍ତୋଷ ଶବର । ସରକାରଙ୍କ ପକ୍ଷରୁ ଏକ ଇ-ସ୍କୁଟି ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍ ଶଗଡ଼ା ପଞ୍ଚାୟତ ଅଞ୍ଜରସିଂ ଗାଁରେ ସନ୍ତୋଷଙ୍କ ଘର । ଗୁଣପୁରରେ ରହି ଗଜପତି ଜିଲ୍ଲା କାଶୀନଗର ଶ୍ରୀରାମ କଲେଜରେ ଯୁକ୍ତ ୩ ବିଜ୍ଞାନ ପଢ଼ୁଥିଲେ ।
୨୦୧୮ ସେପ୍ଟେମ୍ବର ପହିଲାରେ ଟ୍ରେନ୍ରେ କାଶୀନଗରରୁ ଗୁଣପୁର ଫେରୁଥିଲେ । ଦୁର୍ଭାଗ୍ୟ ବଶତଃ କାଶୀନଗର ନିକଟରେ ଟ୍ରେନ୍ରୁ ଖସି ଗୁରୁତର ହୋଇଥିଲେ । ଦୀର୍ଘଦିନର ଚିକିତ୍ସା ପରେ ତାଙ୍କ ଜୀବନ ବଞ୍ଚିଗଲା ସତ, ହରାଇବାକୁ ପଡ଼ିଲା ଜଙ୍ଘରୁ ଦୁଇ ଗୋଡ଼ । ଏବେ ସେ ସରକାରୀ ଯୋଜନାରେ ଭୀନ୍ନକ୍ଷମ ଭତ୍ତା ସହ ଟ୍ରାଇସାଇକେଲ ଖଣ୍ଡେ ପାଇଛନ୍ତି । ସେଥିରେ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଚଢ଼ିବା ସମ୍ଭବ ହେଉନି । ଅନେକ ସମୟରେ ବହୁ କଷ୍ଟ ସହିବାକୁ ପଡ଼ୁଛି । ଦୁର୍ଘଟଣାର ଭୟ ରହୁଛି । ସରକାରୀ ଯୋଜନାରେ ଇ-ସ୍କୁଟି ମିଳିଲେ ସବୁଦିଗରେ ତାଙ୍କୁ ସହାୟକ ହୋଇପାରିବ ବୋଲି କହିଛନ୍ତି ।
ଆହୁରି ପଢନ୍ତୁ-ଯୁଗଯୁଗ ଧରି ସବୁଜିମାରେ ଭରପୁର ନିୟମଗିରି ପାହାଡ଼,୧୧୨ ଗାଁର ଆଦିମ ଜନଜାତିଙ୍କ ପାଇଁ ସାଜିଛି ମା’
ଆନ୍ଧ୍ରରେ ବିଇଡି ପଢ଼ୁଥିବାରୁ ବର୍ତ୍ତମାନ ଆଉଜଣକ ସାହାରା ନେବାକୁ ପଡୁଛି । ପିଲାଟି ଦିନରୁ ସେ ଶିକ୍ଷକ ହେବାକୁ ସ୍ୱପ୍ନ ଦେଖିଛନ୍ତି । ଏହାଦ୍ୱାର ଦୁର୍ଗମ ଅଞ୍ଚଳର ପିଲାଙ୍କ ଭିତରେ ଶିକ୍ଷାର ପ୍ରଦୀପ ଜାଳିପାରିବେ ବୋଲି ଆଶା ରଖିଛନ୍ତି । ଅନ୍ୟପକ୍ଷରେ ନିଜ ପଢ଼ା ଖର୍ଚ୍ଚ ଏବଂ ପେଟପାଟଣା ପାଇଁ ସଂଘର୍ଷ ଜାରିରଖିଛନ୍ତି । ସନ୍ତୋଷ ଜଣେ ଭଲ ଚିତ୍ରକର । ହାତରେ ତୂଳୀ ଓ ରଙ୍ଗ ଧରି ଗାଁକୁ ଆସୁଥିବା ବିଭିନ୍ନ ସରକାରୀ ଯୋଜନାର ସୂଚନା ଫଳକ ଆଙ୍କି ରୋଜଗାର କରୁଛନ୍ତି । ଏ ସମ୍ପର୍କରେ ଆମେ ବିଧାୟକ ସତ୍ୟଜିତ ଗମାଙ୍ଗଙ୍କୁ ପଚାରିବାରୁ କହିଛନ୍ତି, ସନ୍ତୋଷଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ ଲାଗି ବ୍ୟବସ୍ଥା କରିବେ । ବିଡିଓ ସ୍ୱସ୍ତିକ ଜମାଦାର ମଧ୍ୟ ଏ ଦିଗରେ ଦୃଷ୍ଟି ଦେବେ ।