ହରିଆଣା ୧୩/୦୪: ହରିଆଣାର ସୋନିପତ୍‌ରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ କଲେଜ ଛାତ୍ର ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ୨ ଫୁଟର ଟ୍ରଲି ବ୍ୟାଗ୍‌ରେ ପୂରାଇ ନିଜ ସହ ବଏଜ୍‌ ହଷ୍ଟେଲକୁ ନେଇ ଯାଉଥିଲେ । ହଷ୍ଟେଲର ସୁରକ୍ଷାକର୍ମୀଙ୍କ ନଜର ଏଡ଼ାଇବାରେ ସମର୍ଥ ହୋଇଥିଲେ ସେ । କିନ୍ତୁ ପ୍ରେମିକାଙ୍କ ଓଜନ ଅଧିକ ହୋଇଥିବାରୁ ରାସ୍ତାରେ ଅଚାନକ ଟ୍ରଲି ବ୍ୟାଗ୍‌ର ଚକ ଭାଙ୍ଗିଗଲା । ଭିତରେ ଥିବା ଯୁବତୀ ଜଣକ ସାମାନ୍ୟ ଆଘାତପ୍ରାପ୍ତ ହୋଇ ଯନ୍ତ୍ରଣାରେ ଚିତ୍କାର କଲେ । ତାଙ୍କ ଚିତ୍କାର ଶୁଣି ସୁରକ୍ଷାକର୍ମୀ ଛାତ୍ରଙ୍କୁ ଯାଞ୍ଚ୍‌ ଲାଗି ଅଟକାଇଲେ । ବ୍ୟାଗ୍‌ ଖୋଲିବା ପରେ ତା’ ମଧ୍ୟରୁ ଜଣେ ଯୁବତୀ ବାହାରିବା ଦେଖି ସୁରକ୍ଷାକର୍ମୀଙ୍କ ହୋସ୍‌ ଉଡି଼ଗଲା । ପୂରା ଘଟଣାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।

ଘଟଣାଟି ସୋନିପତ୍‌ ଜିଲ୍ଲା ନରେଲା ରୋଡ୍‌ସ୍ଥିତ ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର । ଅଭିଯୁକ୍ତ ଛାତ୍ର ଓ ଟ୍ରାଭେଲ୍‌ ବ୍ୟାଗ୍‌ ମଧ୍ୟରୁ ଧରାପଡି଼ଥିବା ଯୁବତୀ ଜଣକ ସେହି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ନ୍ତି । ଛାତ୍ରଜଣକ ବଏଜ୍‌ ହଷ୍ଟେଲରେ ରହୁଥିବାବେଳେ ଛାତ୍ରୀ ଗର୍ଲସ ହଷ୍ଟେଲରେ ରହନ୍ତି । ସେମାନେ ପରସ୍ପରକୁ ପ୍ରେମ କରୁଥିବାରୁ ଉଭୟଙ୍କ ବନ୍ଧୁମାନେ ମିଶି ଛାତ୍ରୀଙ୍କୁ ଛାତ୍ରଙ୍କ ପାଖକୁ ବଏଜ୍‌ ହଷ୍ଟେଲକୁ ପଠାଇବାକୁ ଯୋଜନା କରିଥିଲେ । ବିଶ୍ୱବିଦ୍ୟାଳୟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବାରୁ ସେଥିରୁ ବର୍ତ୍ତିବାକୁ ଟ୍ରାଭେଲ୍‌ ବ୍ୟାଗ୍‌ରେ ତାଙ୍କୁ ପ୍ୟାକ୍‌ କରି ପଠାଇବାକୁ ଯୋଜନା ହେଲା । ସୁରକ୍ଷାକର୍ମୀ ପଚାରିଲେ ଛାତ୍ରଜଣକ ଟ୍ରଲି ବ୍ୟାଗ୍‌ରେ ଘରୁ ଜିନିଷପତ୍ର ଆସିଥିବା କହିବେ ବୋଲି ସ୍ଥିର କରାଗଲା ।

ଯୋଜନା ମୁତାବକ, ଯୁବତୀଙ୍କ ଓଜନ ହିସାବରେ ପ୍ରଥମେ ଏକ ଟ୍ରଲି ବ୍ୟାଗ୍‌ କିଣାଯାଇ ତାକୁ ଗର୍ଲସ ହଷ୍ଟେଲକୁ ନିଆଗଲା । ସେଥିରେ ଛାତ୍ରୀଙ୍କର ୨ ବାନ୍ଧବୀ ତାଙ୍କୁ ପ୍ୟାକ୍‌ କଲେ । ଗର୍ଲସ ହଷ୍ଟେଲ ବାହାରେ ବ୍ୟାଗ୍‌କୁ ଛାତ୍ରୀଙ୍କର ବୟଫ୍ରେଣ୍ଡ ଓ ତାଙ୍କର ସାଙ୍ଗଙ୍କୁ ହସ୍ତାନ୍ତର କରାଗଲା । ଓଜନ ଅଧିକ ଥିବାରୁ ତାକୁ ଆରାମରେ ନେବାକୁ ତାଗିଦ୍‌ କରିଥିଲେ ଛାତ୍ରୀଙ୍କ ବାନ୍ଧବୀମାନେ । ଅଭିଯୁକ୍ତ ଛାତ୍ର ଓ ତାଙ୍କର ବନ୍ଧୁ ବ୍ୟାଗ୍‌ ନେଇ ବଏଜ୍‌ ହଷ୍ଟେଲ ଆସୁଥିବାବେଳେ ରାସ୍ତାରେ ଟ୍ରଲିର ଏକ ଚକ ଭାଙ୍ଗିଗଲା । ବ୍ୟାଗ୍‌ ତଳେ ପଡି଼ବାକୁ ଯାଉଥିବାବେଳେ ସେମାନେ ତାକୁ କୌଣସିମତେ ଧରି ପକାଇଲେ । 

ତେବେ ଇତିମଧ୍ୟରେ ବ୍ୟାଗ୍‌ ଭିତରେ ଥିବା ଛାତ୍ରୀ ଯନ୍ତ୍ରଣାରେ ଚିତ୍କାର କଲେ । ସେଥିଯୋଗୁ ସୁରକ୍ଷାକର୍ମୀଙ୍କୁ ସନ୍ଦେହ ହେବାରୁ ସେମାନେ ବ୍ୟାଗ୍‌ ଖୋଲିବାକୁ କହିଲେ । ବ୍ୟାଗ୍‌ ଖୋଲାଯିବା ପରେ ଭିତରୁ ଜଣେ ଯୁବତୀ ବାହାରିବା ଦେଖି ସୁରକ୍ଷାକର୍ମୀ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ବିଶ୍ୱବିଦ୍ୟାଳୟର ସୁରକ୍ଷା ଇନ୍‌ଚାର୍ଜ ଓ ଅନ୍ୟ ଅଧିକାରୀଙ୍କୁ ଘଟଣା ସଂପର୍କରେ ସୂଚନା ଦେଲେ । ଘଟଣାର ଭିଡିଓ ଭାଇରାଲ୍‌ ହେବାପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ସମସ୍ତଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି । ପୂରା ଘଟଣାରେ କେତେଜଣ ଛାତ୍ରଛାତ୍ରୀ ସାମିଲ ଥିଲେ ତାହା ଜାଣିବାକୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଜଣେ ଅଧିକାରୀ କହିଛନ୍ତି, ଯେଉଁଭଳି ଭାବେ ଯୁବତୀଙ୍କୁ ବ୍ୟାଗ୍‌ ମଧ୍ୟରେ ବନ୍ଦ କରାଯାଇଥିଲା ସେଥିଯୋଗୁ ସେ ଶ୍ୱାସରୁଦ୍ଧ ହୋଇଯାଇଥାନ୍ତେ । ତାଙ୍କର ମୃତ୍ୟୁ ହେବାର ବି ଆଶଙ୍କା ରହିଥିଲା ।