ବାସୁଦେବପୁର,୨୦।୭: ବାସୁଦେବପୁର ଥାନା ବେତଡା ଛକରେ ଏକ ଟ୍ରକ ଧକ୍କାରେ ଛାତ୍ରର ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ହେଲେ ହରିସରଣବିନ୍ଧା ଗ୍ରାମର ଦେବେନ୍ଦ୍ର ବେହେରାଙ୍କ ପୁଅ ଦେବାଦିତ୍ୟ (୧୨) ।
ଦେବାଦିତ୍ୟ ବେତଡା ବଜାରକୁ କୌଣସି କାର୍ଯ୍ୟ ପାଇଁ ଆସି ଘରକୁ ଫେରୁଥିଲେ। ହେଲେ ଧାମରାରୁ ଜାମୁଝାଡି ଅଭିମୁଖେ ଯାଉଥିବା ଟ୍ରକ ଦେବାଦିତ୍ୟକୁ ପଛ ପାଖରୁ ଧକ୍କା ଦେଇଥିଲା। ପରେ ସ୍ଥାନୀୟ ଲୋକେ ଉକ୍ତ ଟ୍ରକ କୁ ଅଟକ କରି ଥାନାରେ ଜିମା ଦେଇଥିଲେ। ଅନ୍ୟପଟେ ଆହତ ଦେବାଦିତ୍ୟକୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନା ଆଣିଥିବା ବେଳେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଡାକ୍ତରଖାନା ନେଇଯାଇଥିଲେ। ହେଲେ ସେଠାରେ ଦେବାଦିତ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
ଖବରପାଇ ହରିସରଣପୁର ଗ୍ରାମବାସୀ ଆସି ବେତଡା ଛକର ଅନତି ଦୂରରେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ସହିତ ବିଭିନ୍ନ ଦାବି ନେଇ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଖବରପାଇ ଘଟଣାସ୍ଥଳରେ ତହସିଲଦାର ପ୍ରିୟବ୍ରତ ଦାସ, ଏସଡିପିସ ବିଚିତ୍ରା ନନ୍ଦ ସେଠି, ଥାନାଧିକାରିଣୀ ଲୋପାମୁଦ୍ରା ନାୟକ ପହଂଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ବ୍ଲକ ଅଧକ୍ଷ ନଗେନ୍ଦ୍ର ବିଶ୍ୱାଳ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଅନ୍ୟପଟେ ତହସିଲଦାର ମୃତକଙ୍କ ପରିବାରକୁ ରେଡ଼କ୍ରସର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।