ଦିଗପହଣ୍ଡି, ୨୧।୮ : ଗଂଜାମ ଜିଲ୍ଲା ଜରଡା ଥାନା ତୁମ୍ବା ପଞ୍ଚାୟତ ଅନ୍ତର୍ଗତ ମେଙ୍କାଡ଼ାଇ ଝରଣାରେ ଗାଧୋଉଥିବା ସମୟରେ ପଥର ତଳେ ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ଶଙ୍କର ଶବର ।
ମେଙ୍କାଡାଇ ଗ୍ରାମର ତିନି ଜଣ ଛାତ୍ର ନିକଟରେ ଥିବା ଏକ ଝରଣାକୁ ସକାଳେ ଗାଧୋଇବା ପାଇଁ ଯାଇଥିଲେ। ଝରଣାରେ ତିନି ଛାତ୍ର ଗାଧୋଇବା ବେଳେ ହଠାତ ଉପର ପଟରେ ଥିବା ପାହାଡ଼ର ବଡ଼ ପଥର ଖସି ଆସିଥିଲା। ଫଳରେ ଶଙ୍କର ଶବର ଦୁଇଟି ପଥର ସନ୍ଧିରେ ଛନ୍ଦି ହୋଇ ରହି ଯାଇଥିଲେ। ତାଙ୍କ ସହିତ ଥିବା ଅନ୍ୟ ଦୁଇଜଣ ଛାତ୍ର ମଧ୍ୟରୁ ଜଣେ ଗ୍ରାମବାସୀ ମାନଙ୍କୁ ଡ଼ାକି ଆଣିଥିଲେ। ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଶଙ୍କର ଶବରକୁ ପଥର ସନ୍ଧିରୁ ଉଦ୍ଧାର କରିଥିଲେ। ଦୋଳା ସାହାଯ୍ୟରେ ବୋହି ଆଣିବା ସମୟରେ ଅଧ ରାସ୍ତାରେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।