ଭୁବନେଶ୍ୱର,୦୯/୧୧: ପଟିଆସ୍ଥିତ  ଏକ କୋଚିଂ ସେଣ୍ଟରରେ ଛାତ୍ରୀ କଲ୍ୟାଣୀ ସାହୁଙ୍କ ଆତ୍ମହତ୍ୟା ଘଟଣା ଜାତୀୟ  ମାନବାଧିକାର ଆୟୋଗ(ଏନ୍‌ଏଚ୍‌ଆର୍‌ସି)ଙ୍କ ଠାରେ ପହଞ୍ଚିଛି । ଏନେଇ ମାନବାଧିକାର କର୍ମୀ ଜୟନ୍ତ ଦାସ ଏକ ପିଟିସନ ଦାଖଲ କରିଛନ୍ତି । ଯଥାଶୀଘ୍ର ଘଟଣାର ନିରପେକ୍ଷ  ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସେ ଆୟୋଗଙ୍କୁ ଅନୁରୋଧ କରିଛନ୍ତି ।  

ପିଟିସନରେ ଉଲ୍ଲେଖ ରହିଛି, ତଦନ୍ତ  ବେଳେ କୋଚିଂ ସେଣ୍ଟରରେ ପଢ଼ୁଥିବା  ଅନ୍ୟ ଛାତ୍ରଛାତ୍ରୀଙ୍କ ମାନସିକସ୍ଥିତି ପରଖା  ଯାଉ । କୋଚିଂ ସେଣ୍ଟର ପରିଚାଳନା ପାଇଁ  ଗାଇଡ୍‌ଲାଇନ୍‌ ପାଳନ ହେଉଛି କି ନାହିଁ,  ତାହା ମଧ୍ୟ ଯାଞ୍ଚ କରାଯାଉ । ମୃତକଙ୍କ  ପରିବାରଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ  ଦିଆଯାଉ । ନିୟମିତ ଅନ୍ତରାଳରେ  ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତି ଓ କୋଚିଂ  ସେଣ୍ଟର ସହ ହଷ୍ଟେଲର ବାତାବରଣକୁ ପରଖାଯାଉ । 

ସୂଚନାଯୋଗ୍ୟ, କଲ୍ୟାଣୀ  ଉକ୍ତ କୋଚିଂ ସେଣ୍ଟରରେ ନିଟ୍‌ କୋଚିଂ ନେଉଥିଲେ। ଗତ ଫିଜିକ୍ସ ପରୀକ୍ଷାରେ ସେ  ଭଲ ପ୍ରଦର୍ଶନ କରିନଥିଲେ। ସେଥିପାଇଁ  ମାନସିକସ୍ତରରେ ଭାଙ୍ଗି ପଡିଥିଲେ । ଗତକାଲି  ସକାଳେ ଫିଜିକ୍ସର ଆଉ ଏକ ପରୀକ୍ଷା  ଥିଲା । ପରୀକ୍ଷା ଦେବା ପୂର୍ବରୁ କଲ୍ୟାଣୀ  ନିଜ ରୁମ୍‌ରେ ଚୁନି ଲଗାଇ ଝୁଲି ପଡିଥିଲେ।