ଭୁବନେଶ୍ୱର, ୦୮/୦୭ : ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)-୨୦୨୦କୁ ବିଦ୍ୟାଳୟ ସ୍ତରରେ ଲାଗୁ କରିଛନ୍ତି ରାଜ୍ୟ ସରକାର। ଏନ୍‌ଇପି-୨୦୨୦ ଅନୁଯାୟୀ ପାଠ୍ୟକ୍ରମ ରୂପରେଖ ମଧ୍ୟ ପରିବର୍ତ୍ତନ ହୋଇଛି। ଓଡ଼ିଶା ପାଠ୍ୟକ୍ରମ ରୂପରେଖ- ବିଦ୍ୟାଳୟ ଶିକ୍ଷା-୨୦୨୫କୁ ଆଧାର କରି ପାଠ୍ୟପୁସ୍ତକ ବଦଳାଯାଇଛି । ଏନ୍‌ଇପି ଆଧାରରେ ସ୍କୁଲରେ ପାଠପଢ଼ା ହେବ । ସମସ୍ତ ଶ୍ରେଣୀର ପିଲାଙ୍କ ଉପରୁ ବିଷୟବସ୍ତୁର ଭାର ହ୍ରାସ କରାଯିବ । ଗୋଟିଏ ଶିକ୍ଷାବର୍ଷରେ ୨୩୦ଦିନ ସ୍କୁଲ ଖୋଲାଯିବ । ଏଥିରୁ ୨୦ଦିନ ବିଭିନ୍ନ ଗଠନମୂଳକ ମାନ ନିର୍ଦ୍ଧାରଣ, ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ ଭଳି ଅନ୍ୟ କାର୍ଯ୍ୟ ପାଇଁ ଦିଆଯିବ । ୨୦ଦିନ ସ୍କୁଲର ବାର୍ଷିକ ଉତ୍ସବ, କ୍ରୀଡ଼ା ଉତ୍ସବ ଓ ଅନ୍ୟ ଉତ୍ସବ ଆଦି ପାଳନ କରାଯିବ । ଏଥିସହ ବାର୍ଷିକ ୧୦ ଦିନ ବ୍ୟାଗ୍‌ବିହୀନ ଦିବସ ଅର୍ଥାତ୍‌ ବିନା ବ୍ୟାଗ୍‌ରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିବେ । ଏସବୁକୁ ବାଦ୍‌ ଦେବା ପରେ ଶିକ୍ଷାବର୍ଷରେ ୧୯୦ଦିନ ଶିକ୍ଷାଦାନ କରାଯିବ । ଏପରି ଏକ ନୂଆ ସମୟ ସାରଣୀ ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି।  

ବିଭାଗର ସୂଚନା ଅନୁଯାୟୀ, ମଧ୍ୟସ୍ତର ଅର୍ଥାତ୍‌ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବସ୍ତାନି ବିହୀନ ଦିବସ ପାଳନ କରାଯିବ । ବୃତ୍ତିଗତ ଶିକ୍ଷା ପାଇଁ ଉଦ୍ଦିଷ୍ଟ ୪ଟି ପିରିୟଡ଼ରୁ ଗୋଟିଏ ପିରିୟଡ଼ ବସ୍ତାନି ବିହୀନ ଦିବସ ଭାବେ ପାଳନ କରାଯିବ । ବିଶେଷ କରି ଶନିବାର ଦିନ ଏହାକୁ ପାଳନ କରାଯିବ । ବିଭାଗ କହିଛି, ମଧ୍ୟସ୍ତର ଶିକ୍ଷାର୍ଥୀଙ୍କ ପାଇଁ ବିଷୟଭିତ୍ତିକ ଗୁରୁତ୍ୱ ଓ ରାଜ୍ୟର ସାଂପ୍ରତିକ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖାଯାଇଛି । ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟ ଦିବସରେ ୭ଟି ଲେଖାଏଁ ପରିୟଡ୍‌ ରହିବ । ସମସ୍ତ ଶ୍ରେଣୀ ପାଇଁ ସପ୍ତାହକୁ ୪୨ଟି ପିରିୟଡ୍‌ କ୍ଲାସ ହେବ । ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସମୟ ସାରଣୀ ପ୍ରସ୍ତୁତ କରାଯାଇଛି । ଯାହାକୁ ସ୍କୁଲ କର୍ତ୍ତୃପକ୍ଷ ପାଳନ କରିବେ । ବିଭାଗ ଏନ୍‌ଇପି୨୦୨୦କୁ ଆଧାର କରି କଳା ଓ ଶାରୀରିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି । ଏହା ମଧ୍ୟ କୁହାଯାଇଛି, ଉଭୟର ଥିଓରୀ ସହ ପ୍ରାକ୍ଟିକାଲ କ୍ଲାସ ହେବ । ସମସ୍ତ ଶ୍ରେଣୀରେ ଗଣିତ, ବିଜ୍ଞାନ, କଳା ଶିକ୍ଷା, ଶାରିରୀକ ଶିକ୍ଷା/ବୃତ୍ତିଗତ ଶିକ୍ଷାରେ ଦୁଇଟି ଲେଖାଏଁ ସଂଯୁକ୍ତ ପିରିୟଡ୍‌କୁ ନେଇ ୮୦ରୁ ୯୦ ମିନିଟ୍‌ର ଶିକ୍ଷାଦାନ କରାଯିବ । ଯାହା ଦ୍ୱାରା ପ୍ରକଳ୍ପ ପ୍ରସ୍ତୁତି, ବିଜ୍ଞାନ ପରୀକ୍ଷଣ, ବିବରଣୀ ପ୍ରସ୍ତୁତି, ଭୂମିକା ଅଭିନୟ ପ୍ରସ୍ତୁତି ସହ ଉପସ୍ଥାପନା ହୋଇପାରିବ ।  

ଆହୁରି ପଢନ୍ତୁOPSC ପରୀକ୍ଷାରେ କପି କରି ଛାତ୍ର ଗିରଫ, ଅନ୍ତଃବସ୍ତ୍ର ଭିତରୁ ବାହାରିଲା ମୋବାଇଲ୍, ବାହାରୁ ୩ ସହଯୋଗୀଙ୍କୁ ଧରିଲା ପୁଲିସ

ଶିଶୁବାଟିକା ପିଲାଙ୍କୁ ନେଇ ଗୋଲ୍‌ ବୈଠକ କରାଯିବ । ପ୍ରତ୍ୟେକ ଦିନ ପ୍ରଥମ ପିରିୟଡ଼ର ୧୫ ମିନିଟ୍‌ ଶିଶୁବାଟିକାର ଛାତ୍ରଛାତ୍ରୀଙ୍କୁ ନେଇ ଗୋଲ ବୈଠକ କାର୍ଯ୍ୟ ହେବ । ଏହି ସମୟରେ ଶିକ୍ଷକ ପିଲାମାନଙ୍କ ସହ ମୁକ୍ତ ବାର୍ତ୍ତାଳାପ କରିବେ । ଅନୁଭୂତି ଆଧାରିତ ଆଲୋଚନା କରିବେ । ଗପ କହିବେ, କବିତା ଆବୃତ୍ତି ଓ ମୌଖିକ ଖେଳ ଖେଳିବେ । ପ୍ରତି ସପ୍ତାହର ଶନିବାର ଦିନ ଶିଶୁ ସଭା ଅନୁଷ୍ଠିତ ହେବ । ଏଠାରେ ସମସ୍ତ ଶିକ୍ଷାର୍ଥୀ ଓ ବିଦ୍ୟାଳୟ ମନ୍ତିମଣ୍ଡଳକୁ ଏକାଠି ବସାଇ ବକ୍ତୃତା, ତର୍କ, କୁଇଜ୍‌ ଆଦି ଆଲୋଚନା ହେବ । ଏଥିସହ ଅଭିନୟ, କବିତା ଆବୃତ୍ତି, ଲିଖନ ପରି ବିଭିନ୍ନ ପ୍ରକାର ସର୍ଜନାତ୍ମକ କାର୍ଯ୍ୟ ହେବ । ଛାତ୍ରଛାତ୍ରୀଙ୍କୁ ପାଠାଗାର ଓ ପଠନ ଅଭ୍ୟାସ କରାଯିବ । ପିଲାମାନେ ଲାଇବ୍ରେରୀରେ ବସି ପଢ଼ିବେ । ସେହିପରି ଭାଷା ପିରିୟଡ଼କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଭାଷା ପିରିୟଡ୍‌ରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ସହ ମୌଖିକ ଭାଷା ବିକାଶ, ଡିକୋଡିଂ, ପଠନ, ଲିଖନ ସଂପର୍କିତ କାର୍ଯ୍ୟ ହେବ । ଶିଶୁ ବାଟିକାର ପିଲାଙ୍କୁ ପ୍ରାକ୍‌ ପଠନ ଓ ପ୍ରାକ୍‌ ଲିଖନ୍‌ ଅଭ୍ୟାସ କରାଯିବ । ଗଣିତ ପିରିୟଡ୍‌ରେ ଶିଶୁବାଟିକାର ପିଲାଙ୍କୁ ବାସ୍ତବ ବସ୍ତୁର ବ୍ୟବହାର କରି ପ୍ରାକ୍‌ ଗାଣିତିକ କାର୍ଯ୍ୟ ହେବ । ପରିବେଶଭିତ୍ତିକ ଶିକ୍ଷା, ମୁକ୍ତ ଖେଳ, କଳା, ସର୍ଜନଶୀଳତା ବିକାଶ ଆଦି ହେବ ।

ଚନ୍ଦ୍ରିକାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ..ଡାଏରୀରେ ଲୁଚିଛି କି ମୃତ୍ୟୁ ରହସ୍ୟ ? ପ୍ରେମିକର ଅସଲ ମୁଖା ଖୋଲିଲେ ଭଉଣୀ !