ଭଦ୍ରକ, ୧୦/୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ସବ୍‌ ଇନ୍ସପେକ୍ଟର କାର୍ତିକ ଜେନା ନିଲମ୍ବିତ ହୋଇଛନ୍ତି । ଥାନାକୁ ଆସୁଥିବା ଲୋକଙ୍କୁ ନ୍ୟାୟ ପ୍ରଦାନରେ ଅବହେଳା କରୁଥିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି । 

ସୂଚନା ମୁତାବକ, ରସିକାବାଜ ଗାଁର ଏକ ଘରୋଇ ମାମଲା ଅଭିଯୋଗ ନେଇ ଜଣେ ମହିଳା ଗ୍ରାମାଞ୍ଚଳ ଥାନାକୁ ଆସିଥିଲେ । ଏହି କେସ୍‌ ଏସଆଇ କାର୍ତିକ ଜେନାଙ୍କୁ ଦିଆଯାଇଥିଲା । ହେଲେ ସେ  ଘଟଣାର ତଦନ୍ତ ନକରି ଏକ ମଧ୍ୟସ୍ଥିଙ୍କୁ ରସିକାବାଜ ପଠାଇଥିଲେ । ଥାନା ପକ୍ଷରୁ ଥିବା ପୁଲିସ ବାଇକ ନେଇ ମଧ୍ୟସ୍ଥି ପିୟୁଷ ତ୍ରିପାଠୀ ଯାଇ ତଦନ୍ତ କରିଥିଲେ । ଏହା  ସହ ସମ୍ପୃକ୍ତ ମହିଳାଙ୍କୁ ଫୋନ୍‌ ପେ ରେ ଟଙ୍କା ପଠାଇବାକୁ କହିଥିବା ଅଭିଯୋଗ ହୋଇଥିଲା । ପିୟୁଷ ବି ନିଜକୁ ପୁଲିସ ବୋଲି ପରିଚୟ ଦେଉଥିଲେ । ଗାଁଲୋକ ସନ୍ଦେହ କରି ପିୟୁଷଙ୍କୁ ଅଟକ ରଖିବା ସହ ପରିଚୟ ପତ୍ର ମାଗିଥିଲେ । ପରେ ଗ୍ରାମାଞ୍ଚଳ ଥାନା ପୁଲିସ ଯାଇ ନକଲି ପୁଲିସଙ୍କୁ ଧରି ଆଣି ଥାନାରେ ଅଟକ ରଖିଛି । ଏହି ଖବର ଶୁକ୍ରବାର ପ୍ରକାଶ ପାଇବା ପରେ ତଦନ୍ତ ଦାୟିତ୍ୱରେ ଥିବା ଏସଆଇ କାର୍ତିକ ଜେନାଙ୍କୁ ନିଲମ୍ବନ କରାଯାଇଛି । ନିଜ କାର୍ଯ୍ୟରେ ଅବହେଳା କରିଥିବାରୁ କାର୍ତିକ ଜେନା ନିଲମ୍ବିତ ହୋଇଥିବା ନେଇ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି ।