କେନ୍ଦୁଝର,୨୭।୧୧ : କେନ୍ଦୁଝର ଜିଲ୍ଲାର ୫ଟି ତହସିଲରେ ଖୋଲିବ ସବରେଜିଷ୍ଟ୍ରାର ଅଫିସ । ଏ ନେଇ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିବନ୍ଧକ ରବିନ୍ଦ୍ର କୁମାର ପ୍ରଧାନ ଗ୍ରାମ୍ୟ ଉନ୍ନୟନ ବିଭାଜନ ବା ଆରଡି ବିଭାଗର ନିର୍ବାହୀ ଯନ୍ତ୍ରୀମାନଙ୍କୁ ପତ୍ର ଲେଖିଥିବା ଜଣାପଡିଛି ।

ଅତିରିକ୍ତ ଜିଳ୍ଲାପାଳ ତଥା ଜିଲ୍ଲା ନିବନ୍ଧକ ତାଙ୍କ ପତ୍ରରେ ପାଟଣା,ସାହାରପଡା,ବାଂଶପାଳ,ଝୁମ୍ପୁରା ଓ ହରିଚନ୍ଦନପୁରରେ ଏହି ସବ୍ରେଜିଷ୍ଟ୍ରର କାର୍ଯ୍ୟାଳୟ ନିର୍ମାଣ କରିବାକୁ ଅଟକଳ ଓ ପ୍ଲାନ ଦେବାକୁ କହିଛନ୍ତି । ସ୍ଥାନୀୟ ତହସିଲଦାରଙ୍କ ସହ ଯୋଗାଯୋଗ କରି ଏହି ନୂତନ କାର୍ଯ୍ୟାଳୟ ନିର୍ମାଣ କରିବାକୁ ସେ କହିଛନ୍ତି । ନୂତନ କାର୍ଯ୍ୟାଳୟ ଖୁବ୍ ଶୀଘ୍ର ଖୋଲିବା ପରେ ଜନସାଧାରଣ ଇ-ରେଜିଷ୍ଟ୍ରସନ ମାଧ୍ୟମରେ ନିଜର କାର୍ଯ୍ୟ କରିପାରିବେ । ଏହା ଦ୍ୱାରା ସ୍ଥାନୀୟ ଅଂଚଳର ଲୋକ ବେଶ ଉପକୃତ ହେବେ ।

ରାଜସ୍ୱ ସମ୍ପର୍କିତ ସମସ୍ୟା ଦୂର ହେବା ସହ ଜମିବାଡି କିଣାବିକା, ଦାନ, ଲିଜ୍, ବନ୍ଧକ, ବିବାହ ପଞ୍ଜିକରଣ ଆଦି କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ । ଏହା ସହିତ ଦଲିଲ ପ୍ରସ୍ତୁତ ସମୟରେ ଷ୍ଟାମ୍ପ ଡ୍ୟୁଟି ଓ ଫି ଆଦାୟ ହେବା ସହିତ ଜମି ସମ୍ପର୍କିତ ବ୍ୟାଙ୍କରେ ବନ୍ଧକ ଥିବା ତଥ୍ୟ ଜଣାପଡିବ । ଜମିର ପ୍ରତିଲିପି ପ୍ରଦାନ ଓ ରେକର୍ଡ ଯାଞ୍ଚ ହେବା ସହ ଦଲିଲର ପ୍ରକାର ନିର୍ଦ୍ଧାରଣ ଓ ଷ୍ଟାମ୍ପ ଡ୍ୟୁଟିର ମୂଲ୍ୟାଙ୍କନ କରାଯାଇପାରିବ ।