ଭୁବନେଶ୍ୱର( ବିବେକାନନ୍ଦ ମିଶ୍ର),୦୬/୧୨: ଅପୂର୍ବ ଶୋଭାରେ ବିମଣ୍ଡିତ ସୁବର୍ଣ୍ଣପୁର। ନଦୀନାଳ, ବଣପାହାଡ଼, ସବୁଜବନାନୀ, ଶତାଧିକ ମଠମନ୍ଦିର, ପ୍ରାଚୀନ ଐତିହ୍ୟ ଜିଲ୍ଲାର ପର୍ଯ୍ୟଟନ ବିଭବକୁ କରିଛି ସମୃଦ୍ଧ। ଏଠାକାର ଆଧ୍ୟାତ୍ମିକ ପରିବେଶରେ ଆତ୍ମହରା ହୁଅନ୍ତି ପର୍ଯ୍ୟଟକ । ଜିଲ୍ଲା ସଦରରେ ଇଷ୍ଟଦେବୀ ମା’ସୁରେଶ୍ୱରୀଙ୍କ ମହିମା ବର୍ଷ ବର୍ଷ ଧରି ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଆସିଛି । ତ୍ରିବେଣୀ ସଂଗମସ୍ଥିତ ପ୍ରାଚୀନ ଶୈବପୀଠ ରାମେଶ୍ୱର, ତେଲନଦୀ କୂଳ ସଂଲଗ୍ନ ଇଷ୍ଟଦେବ ସୁବର୍ଣ୍ଣଶମ୍ଭୁ, ୮ମ ଶତାବ୍ଦୀର କୋଶଳେଶ୍ୱର, ବିନିକା ନିକଟ ଚରଦାସ୍ଥିତ ୯ମ ଶତାବ୍ଦୀର କପିଳେଶ୍ୱର, ଦେବୀ ଚରଦେଈ ପୀଠ ପ୍ରାଚୀନ ଐତିହ୍ୟ-ସଂସ୍କୃତିର ଗରିମା ବଖାଣୁଛି । ବୀରମହାରାଜପୁର ବ୍ଲକ ଚମ୍ପାପୁରସ୍ଥିତ ଚମ୍ପେଶ୍ୱର,ମହାନଦୀ ତଟରେ ପୂଜିତ ଗୋଧନେଶ୍ୱର, ଉଲୁଣ୍ଡା ବ୍ଲକ ତେଲଣ୍ଡାସ୍ଥିତ ମା’ରାମଚଣ୍ଡୀ, ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ରାମପୁରସ୍ଥିତ ଚନ୍ଦଳିପାଟ, ପୂଜାଡୁଙ୍ଗୁରି, ତରଭାସ୍ଥିତ ଜଗନ୍ନାଥ ମନ୍ଦିର, ଚୂଡ଼ାଖାଇ ଡଙ୍ଗର, କମସରାସ୍ଥିତ ରାଣୀଗୁମ୍ଫା ଆଗନ୍ତୁକଙ୍କୁ ଆନମନା କରି ଆସିଛି । ମହିମାମଣ୍ଡିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରଠାରୁ ଆରମ୍ଭ କରି ମହାନଦୀର ନୌକା ବିହାର; ସବୁଠି ପର୍ଯ୍ୟଟନ ଅପୂର୍ବ ସମ୍ଭାର । ପର୍ଯ୍ୟଟନ ଋତୁରେ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ନେଇ ‘ପ୍ରମେୟ’ର ସ୍ୱତନ୍ତ୍ର ଉପସ୍ଥାପନା...
କେମିତି ଯିବେ?
ସୁବର୍ଣ୍ଣପୁର ସଦରଠାରୁ ଜିଲ୍ଲାର ପ୍ରତି ପର୍ଯ୍ୟଟନସ୍ଥଳୀକୁ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ରହିଛି । ଭୁବନେଶ୍ୱରରୁ ବସ୍, ଟ୍ରେନ୍ ସେବା ଉପଲବ୍ଧ । ସୁବର୍ଣ୍ଣପୁରରେ ପହଞ୍ଚିବା ପରେ ଏଠାରୁ ଟ୍ୟାକ୍ସି ସହାୟତାରେ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ସୁବିଧାରେ ପରିଦର୍ଶନ କରିହେବ । କାରଣ ଅଧିକାଂଶ ପର୍ଯ୍ୟଟନସ୍ଥଳୀର ଦୂରତା ଜିଲ୍ଲା ସଦର ଠାରୁ ୫୦ କିଲୋମିଟର ମଧ୍ୟରେ ।
ମା’ମେଟାକାନୀଙ୍କ ଶକ୍ତିପୀଠ:- ଉଲୁଣ୍ଡା ବ୍ଲକ କୁତମେଣ୍ଡାସ୍ଥିତ ମା’ମେଟାକାନୀଙ୍କ ଶକ୍ତିପୀଠ ଜିଲ୍ଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ । ବର୍ଷତମାମ ଜିଲ୍ଲା, ପଡ଼ୋଶୀ ଜିଲ୍ଲା ତଥା ରାଜ୍ୟ ବାହାରୁ ଏଠାକୁ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ସୁବର୍ଣ୍ଣପୁର ସମ୍ବଲପୁର ଏସଏଚ କୁତମେଣ୍ଡା ନିକଟରେ ରାସ୍ତାକଡ଼ରେ ମା’ଙ୍କ ଏକ ମନ୍ଦିର ରହିଛି । ପ୍ରାୟ ୧କିମି ଜଙ୍ଗଲ ମଧ୍ୟରେ ଗଲେ ମା’ଙ୍କ ମୂଳପୀଠ ରହିଛି । ମୂଳପୀଠରେ ମା’ଙ୍କ ଭବ୍ୟ ମନ୍ଦିର ରହିଥିବାବେଳେ ଚତୁଃପାଶ୍ୱର୍ରେ ଘଞ୍ଚ ଜଙ୍ଗଲ ଘେରି ରହିଛି । ଏଠାରେ ପର୍ଯ୍ୟଟକ ମା’ଙ୍କ ଦର୍ଶନ, ପ୍ରସାଦ ସେବନ ତଥା ବଣଭୋଜିର ମଜା ନେଇଥାନ୍ତି ।
ବାରପାହାଡ଼:- ତରଭା ବ୍ଲକ ମେଣ୍ଡା ନିକଟରେ ରହିଛି ବାରପାହାଡ଼ ପର୍ବତମାଳା । ପାହାଡ଼ର ଏକ ଗହ୍ୱରରେ ଗଣ୍ଡଜାତିର ଇଷ୍ଟଦେବୀ ବାରପାହାଡ଼(ଲିଙ୍ଗୋ) ରହିଛନ୍ତି । ଅଞ୍ଚଳରେ ଗଣ୍ଡ, କନ୍ଧ, କୋହ୍ଲ, ବିଞ୍ଝାଲ, ସହରା ଆଦି ଜନଜାତିର ଲୋକମାନେ ବସବାସ କରୁଛନ୍ତି । ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲାର ବାରପାହାଡ଼ ଜଙ୍ଗଲ ମଧ୍ୟରେ ଆବହମାନ କାଳରୁ ଏକ ଗୁମ୍ଫାରେ ଦେବୀ ବାରପାହାଡ଼ ପୂଜା ପାଇଆସୁଛନ୍ତି । ବାରପାହାଡ଼ଙ୍କ ପୂଜା ପ୍ରକୃତି ପୂଜାର ଅଂଶବିଶେଷ ବୋଲି କୁହାଯାଏ । ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣମୀରେ ଏଠାରେ ଛତର ଯାତ୍ରା ସହ ପାହାଡ଼ ଉପରେ ଥିବା ଗୁମ୍ପାରେ ସ୍ୱତନ୍ତ୍ର ପୂଜା ହୋଇଥାଏ । ସେହି ସମୟରେ ହାଜାରହଜାର ଲୋକଙ୍କ ସମାଗମ ହୋଇଥାଏ ।
ହରିହର ଯୋର (ଠେଙ୍ଗୋ ଡ୍ୟାମ) :- ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତ ଅଞ୍ଚଳରେ ରହିଛି ହରିହର ଯୋର ବା ଠେଙ୍ଗୋ ଡ୍ୟାମ । ଜଳସେଚନର ସୁବିଧା ପାଇଁ ପ୍ରାୟ ୯୦ ଦଶକରେ ଡ୍ୟାମ ନିର୍ମାଣ କରାଯାଇଥିଲା । ଉକ୍ତ ଡ୍ୟାମର ଗୋଟିଏ ପାଶ୍ୱର୍ରେ ଏକ ପାହାଡ଼ ଥିବାବେଳେ ଅନ୍ୟ ପାଶ୍ୱର୍ରେ ଘଞ୍ଚ ଜଙ୍ଗଲ ରହିଛି । ଡ୍ୟାମରେ ଗାଧୋଇବାର ମଜା ନେବା ସହ ବଣ ଭୋଜି କରିବା ପାଇଁ ଏଠାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ । ଗତ ୨ ବର୍ଷ ତଳେ ଜିଲ୍ଲା ପ୍ରଶାସନ ଓ ବନବିଭାଗ ଆନୁକୂଲ୍ୟରେ ଏଠାରେ ପର୍ଯ୍ୟଟକଙ୍କ ପାଇଁ ଇକୋ ଟୁରିଜିମ୍ ଆରମ୍ଭ କରାଯାଇଛି । କିନ୍ତୁ ପ୍ରାୟ ଏକ ବର୍ଷ ହେଲା କୌଣସି କାରଣରୁ ଇକୋ ଟୁରିଜିମକୁ ବନ୍ଦ କରିଦିଆଯାଇଛି ।
ଲଙ୍କେଶ୍ୱରୀ ମନ୍ଦିର :- ସୋନପୁରଠାରେ ମହାନଦୀ ବକ୍ଷରେ ଏକ ବିରାଟ ପଥର ଶୃଙ୍ଖଳ ଉପରେ ରହିଛି ମା’ଲଙ୍କେଶ୍ୱରୀଙ୍କ ପୀଠ । ମନ୍ଦିରକୁ ଘେରି ରହିଛି ଅକାତକାତ ଘନନୀଳ ଜଳ ରାଶି । ପୀଠରୁ ସୂର୍ଯ୍ୟୋଦୟ ଦେଖିବା ଓ ମହାନଦୀର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକ ଦେଶ ବିଦେଶରୁ ଛୁଟି ଆସିଥାନ୍ତି । ସୂର୍ଯ୍ୟଙ୍କ ପ୍ରଥମ କିରଣ ମହାନଦୀ ଜଳରେ ପଡ଼ି ମନୋରମ ଦୃଶ୍ୟ ସୃଷ୍ଟି କରିଥାଏ । ଯାହାକୁ ଦେଖି ପର୍ଯ୍ୟଟକ ମନ୍ତ୍ର ମୁଗ୍ଧ ହୋଇଥାନ୍ତି । ଗ୍ରୀଷ୍ମଋତୁରେ ମହାନଦୀ ଧାର ସାମାନ୍ୟ ଶୁଖିଲେ ମନ୍ଦିର ଚତୁଃପାଶ୍ୱର୍ରେ ଥିବା ଶିଳାଖଣ୍ଡ ଗୁଡ଼ିକରେ ପ୍ରାଚୀନ କାଳରୁ ଉତ୍କୀର୍ଣ୍ଣ ହୋଇଥିବା ଅନେକ ଶିବଲିଙ୍ଗ ଦେଖିବାକୁ ମିଳିଥାଏ । ପୂର୍ବରୁ ଏଠାରେ ପଥର ଶୃଙ୍ଖଳ ଉପରେ ଏକ ଶିଳାଖଣ୍ଡରେ ମା’ ପୂଜା ପାଉଥିଲେ । ପରବର୍ତ୍ତୀ ସମୟରେ କୈବର୍ତ୍ତ ସମାଜର ଉଦ୍ୟମକ୍ରମେ ଏଠାରେ ସୁନ୍ଦର ମନ୍ଦିର ନିର୍ମାଣ କରାଯାଇଥିଲା । ମନ୍ଦିରରେ କଳା ମୁଗୁନି ପଥରରେ ନିର୍ମିତ ମା’ଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି ।
ମହାନଦୀରେ ନୌକା ବିହାର:- ସୁବର୍ଣ୍ଣପୁରକୁ ସମୃଦ୍ଧ କରିଛି ମହାନଦୀ । ଓଡ଼ିଶାର ଏହି ଦୀର୍ଘତମ ନଦୀ ବକ୍ଷରେ ନୌକା ବିହାର ଆଣିଦିଏ ନିଆରା ଅନୁଭୂତି । ଗ୍ରୀଷ୍ମ ଏବଂ ଶୀତ ଋତୁରେ ମହାନଦୀରେ ନୌକା ବିହାର ସହ ପିକ୍ନିକ୍ ପାଇଁ ପ୍ରତିଯୋଗିତା ଆରମ୍ଭ ହୁଏ । ବିଶେଷ କରି ପର୍ଯ୍ୟଟନ ଋତୁ (ନଭେମ୍ବରରୁ ଜାନୁୟାରୀ)ରେ ସୂର୍ଯ୍ୟୋଦୟ ପୂର୍ବରୁ ନୌକା ବିହାର କରିବାର ମଜା ନେଇଥାନ୍ତି । ମହାନଦୀରେ ସୂର୍ଯ୍ୟୋଦୟ ଦେଖିବା, ଗାଧୋଇବା, ମାଛ ମାରିବା, ଜାତିଜାତିର ବିଦେଶାଗତ ପକ୍ଷୀ ଦେଖିବା ପର୍ଯ୍ୟଟକଙ୍କୁ ଅଫୁରନ୍ତ ଆନନ୍ଦ ଦେଇଥାଏ ।
ପାତାଳି ଶ୍ରୀକ୍ଷେତ୍ର:- ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇଠାରେ ରହିଛି ଶ୍ରୀଜଗନ୍ନାଥଙ୍କ ପାବନ ପାତାଳି ଶ୍ରୀକ୍ଷେତ୍ର । ମାଦଳା ପାଞ୍ଜି ଅନୁସାରେ କଳାପାହାଡ଼ ତଥା ବାହ୍ୟଶତ୍ରୁ ଆକ୍ରମଣରୁ ଶ୍ରୀଜିଉମାନଙ୍କୁ ରକ୍ଷା କରିବା ପାଇଁ କୋଟସମଲାଇସ୍ଥିତ ଛଲିଆ ପାହାଡ଼ରେ ପର୍ଯ୍ୟାୟକ୍ରମେ ଶ୍ରୀଜିଉଙ୍କୁ ୧୪୪ ବର୍ଷ ପାତାଳି କରାଯାଇଥିଲା। ସୋନପୁରର ଭାୟା ଉଲୁଣ୍ଡା ଦେଇ ପାତାଳି ଶ୍ରୀକ୍ଷେତ୍ରର ଦୂରତା ୨୩ କିମି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ ଏହି ସ୍ଥାନର ପ୍ରାକୃତିକ ଶୋଭାରାଜି ଶ୍ରଦ୍ଧାଳୁଙ୍କୁ ଅଭିଭୂତ କରିଥାଏ । ବର୍ଷତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ପାହାଡ଼ ଆରମ୍ଭରୁ ପ୍ରଭୁଙ୍କ ଅସ୍ଥାୟୀ ମନ୍ଦିର ରହିଛି । ପର୍ଯ୍ୟଟକ ଏଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ, ପ୍ରସାଦ ସେବନ କରିବା ସହ ଟ୍ରାକିଂର ମଜା ନେଇଥାନ୍ତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଢାଞ୍ଚାରେ ନିର୍ମାଣ ହେବାକୁ ଥିବା ଭବ୍ୟମନ୍ଦିର କାର୍ଯ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ।
ସନ୍ଥକବିଙ୍କ ସମାଧି ପୀଠ :- ସୋନପୁର ବ୍ଲକ ଖଲିଆପାଲିଠାରେ ରହିଛି ସନ୍ଥକବି ଭୀମ ଭୋଇଙ୍କ ସାଧନା, ସିଦ୍ଧି ଓ ସମାଧି ପୀଠ । ମହିମା ଧର୍ମରେ ଦୀକ୍ଷିତ ହେବା ପରେ ଭୀମ ଭୋଇ ଧର୍ମପ୍ରଚାର ପୂର୍ବକ ଖଲିଆପାଲିଠାରେ ୧୮୭୭ରେ ଆଶ୍ରମ ସ୍ଥାପନ କରିଥିଲେ । ସେ ଏଠାରେ ସାଧନା କରି ସିଦ୍ଧି ଲାଭ କରିଥିଲେ। ତାଙ୍କ ମୁଖ ନିସୃତ ପଂକ୍ତି ମଧ୍ୟରୁ ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ବିଶ୍ୱବାସୀଙ୍କ ହୃଦୟକୁ ଆନ୍ଦୋଳିତ କରିଥିଲା । ୧୮୯୫ରେ ଖଲିଆପାଲି ଆଶ୍ରମରେ ସେ ସମାଧିସ୍ଥ ହୋଇଥିଲେ । ସୁବର୍ଣ୍ଣପୁରର ତତ୍କାଳୀନ ଜିଲ୍ଲାପାଳ ବିଷ୍ଣପଦ ସେଠୀ, ଐତିହାସିକ ସ୍ୱର୍ଗତ ଡ.ସଦାନନ୍ଦ ଅଗ୍ରୱାଲ ଏବଂ ସମାଧି ପୀଠ ଟ୍ରଷ୍ଟର ଟ୍ରଷ୍ଟି ଛାତ୍ରଧାରୀ ଅଗ୍ରୱାଲଙ୍କ ଉଦ୍ୟମରେ ପୀଠର ଉନ୍ନତିକରଣ ହୋଇଛି ।
ହରିହର ଯୋର (ଠେଙ୍ଗୋ ଡ୍ୟାମ):- ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତ ଅଞ୍ଚଳରେ ରହିଛି ହରିହର ଯୋର (ଠେଙ୍ଗୋ ଡ୍ୟାମ) । ଜଳସେଚନର ସୁବିଧା ପାଇଁ ପ୍ରାୟ ୯୦ ଦଶକରେ ଡ୍ୟାମ ନିର୍ମାଣ କରାଯାଇଥିଲା । ଉକ୍ତ ଡ୍ୟାମର ଗୋଟିଏ ପାଶ୍ୱର୍ରେ ଏକ ପାହାଡ଼ ଥିବାବେଳେ ଅନ୍ୟ ପାଶ୍ୱର୍ରେ ଘଞ୍ଚ ଜଙ୍ଗଲ ରହିଛି । ଡ୍ୟାମରେ ଗାଧୋଇବାର ମଜା ନେବା ସହ ବଣ ଭୋଜି କରିବା ପାଇଁ ଏଠାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ । ଗତ ୨ ବର୍ଷ ତଳେ ଜିଲ୍ଲା ପ୍ରଶାସନ ଓ ବନବିଭାଗ ଆନୁକୂଲ୍ୟରେ ଏଠାରେ ପର୍ଯ୍ୟଟକଙ୍କ ପାଇଁ ଇକୋ ଟୁରିଜିମ୍ ଆରମ୍ଭ କରାଯାଇଛି । ଇକୋ ଟୁରିଜିମ ଆରମ୍ଭ ପରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ପର୍ଯ୍ୟଟକ ଏଠାରେ ଡ୍ୟାମର ଘନନୀଳ ଜଳରାଶିରେ ନୌକା ବିହାର ସହ ପ୍ରାକୃତିକ ପରିବେଶର ବେଶ ମଜା ନେଉଥିଲେ । କିନ୍ତୁ ପ୍ରାୟ ଏକ ବର୍ଷ ହେଲା କୌଣସି କାରଣରୁ ଇକୋ ଟୁରିଜିମକୁ ବନ୍ଦ କରିଦିଆଯାଇଛି । ଏଣୁ ଇକୋ ଟୁରିଜିମକୁ କାର୍ଯ୍ୟକ୍ଷମ କରିବା ସହ ଏଠାରେ ପର୍ଯ୍ୟଟକଙ୍କ ପାଇଁ ଗେଷ୍ଟହାଉସ ନିର୍ମାଣ କରିବାକୁ ମତପ୍ରକାଶ ପାଉଛି ।
ପାପକ୍ଷୟ ଘାଟ:- ବିନିକା ନିକଟସ୍ଥ ରହିଲାଠାରେ ମହାନଦୀକୂଳରେ ରହିଛି ପାପକ୍ଷୟ ଘାଟ । ଲୋକକଥା ଅନୁସାରେ ରାଜା ଅନଙ୍ଗ ଭୀମଦେବ ଏଠାରେ ସ୍ନାନକରି ଦୁରାରୋଗ୍ୟରୁ ମୁକ୍ତ ହୋଇଥିଲେ । ଏହାପରେ ସେ ଏଠାରେ ଏକ ଶିବମନ୍ଦିର ସ୍ଥାପନ କରିଥିଲେ । ପାପକ୍ଷୟ ଘାଟରେ ବୁଡ଼ ପକାଇଲେ ପାପରୁ ମୁକ୍ତି ମିଳିଥାଏ ବୋଲି ଲୋକବିଶ୍ୱାସ ରହିଛି । ଚନ୍ଦ୍ରଗ୍ରହଣ ପରେ ଏହି ପବିତ୍ର ଘାଟରେ ହଜାରହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଥାନ୍ତି । ଚିରସ୍ରୋତା ମହାନଦୀକୂଳରେ ମହାଦେବ ପୂଜା ପାଉଥିବାବେଳେ ମନ୍ଦିର ପରିସରରେ ହନୁମାନ, ସୂର୍ଯ୍ୟ ମନ୍ଦିର ଓ ନିକଟରେ ରାଧାକୃଷ୍ଣଙ୍କ ବହୁ ପୁରାତନ ମନ୍ଦିର ରହିଛି ।