ନୂଆଦିଲ୍ଲୀ, ୨୩।: ସଫଳତା ଶବ୍ଦଟି ଶୁଣିବାକୁ ଯେତିକି ସୁନ୍ଦର, ଏହା ପଛର ସଂଘର୍ଷ ସେତିକି କଷ୍ଟକର । ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ କାହାଣୀ କହିବୁ, ଯାହାଙ୍କ ଜିଦ୍ ଆଉ ପରିଶ୍ରମ ଆଗରେ ହାର୍ ମାନିଛି ଦାରିଦ୍ରତା । ମାତ୍ର ୧୦୦ ଟଙ୍କାରୁ ନିଜର ବ୍ୟବସାୟ ଆରମ୍ଭ କରି ଆଜି ସେ କୋଟି କୋଟି ଟଙ୍କାର ସାମ୍ରାଜ୍ୟ ଛିଡ଼ା କରିଛନ୍ତି । ଆସନ୍ତୁ ଜାଣିବା କେରଳର ମଲପ୍ପୁରମରେ ରହୁଥିବା ଶରୀଫା କଲାଥିଙ୍ଗଲଙ୍କ ସେହି ପ୍ରେରଣାଦାୟୀ କାହାଣୀ । ୨୦୦୦ ମସିହାର ପ୍ରାରମ୍ଭିକ ସମୟର ଘଟଣା । ଦାରିଦ୍ର୍ୟରେ ପେଶି ହେଉଥିଲେ ଶରୀଫାଙ୍କ ପରିବାର । ସ୍ୱାମୀ ଜାକିର ଜଣେ ପେଣ୍ଟର ଥିଲେ କିନ୍ତୁ ତାଙ୍କ ଦୈନିକ କାମ ମିଳୁନଥିଲା । ବର୍ଷା ଦିନେ ଅବସ୍ଥା ପୂରା ଶୋଚନୀୟ । ପିଲାମାନଙ୍କୁ ଭୋକିଲା ପେଟରେ ଶୋଇବାକୁ ପଡ଼ୁଥିଲା । ଦିନେ ଘରେ ରାନ୍ଧିବାକୁ ମୁଠେ ଚାଉଳ ବି ନଥିଲା । କିନ୍ତୁ, ଶରୀଫା ହାର୍ ମାନିନଥିଲେ । ପଡ଼ୋଶୀଙ୍କଠାରୁ ମାତ୍ର ୧୦୦ ଟଙ୍କା ଧାର ଆଣି ସେ ଚାଉଳ ଗୁଣ୍ଡ ଏବଂ ଗୁଡ଼ କିଣିଲେ, ଆଉ ଘରେ ତିଆରି କଲେ କେରଳର ପାରମ୍ପରିକ ମିଠା 'ଉନ୍ନୀଆପ୍ପମ'।
ନିଜର ବର୍ଷକର ପିଲାକୁ କୋଳରେ ଧରି ଶରୀଫା ପ୍ରତିଦିନ ପ୍ରାୟ ୪ କିଲୋମିଟର ଚାଲି ଚାଲି ଦୋକାନ ଦୋକାନ ବୁଲି ଏହି ମିଠା ବିକ୍ରି କରୁଥିଲେ । ଧୀରେ ଧୀରେ ଲୋକଙ୍କୁ ତାଙ୍କ ହାତର ସ୍ୱାଦ ପସନ୍ଦ ଆସିଲା । ଉନ୍ନୀଆପ୍ପମ୍ ପରେ ସେ ଚପାତି ଏବଂ ପାଥିରି ଯାହା ଚାଉଳରେ ତିଆରି ହୋଇଥିବା ଏକ ରୁଟିକୁ ବିକ୍ରି କରିବା ଆରମ୍ଭ କଲେ । କିନ୍ତୁ, ବ୍ୟବସାୟ ବଢ଼ାଇବା ପାଇଁ ବ୍ୟାଙ୍କ ତାଙ୍କୁ ଲୋନ ଦେବାକୁ ମନା କରିଦେଇଥିଲା, କାରଣ ବନ୍ଧକ ରଖିବାକୁ ତାଙ୍କ ପାଖରେ କିଛି ନଥିଲା । ଯେତେବେଳେ ସବୁ ବାଟ ବନ୍ଦ ହୋଇଯାଏ, ସେତେବେଳେ କୌଣସି ନା କୌଣସି ଆଶାର କିରଣ ନିଶ୍ଚୟ ଦେଖାଯାଏ । ଶରୀଫାଙ୍କ କ୍ଷେତ୍ରରେ ମଧ୍ୟ ସେୟା ହିଁ ହେଲା । କେରଳ ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନା 'କୁଡୁମ୍ବଶ୍ରୀ' ତାଙ୍କ ଜୀବନ ବଦଳାଇ ଦେଲା । ୨୦୧୮ ମସିହାରେ ତାଙ୍କୁ ଏହି ଯୋଜନା ମାଧ୍ୟମରେ ୨ ଲକ୍ଷ ଟଙ୍କାର ଋଣ ମିଳିଲା । ଶରୀଫା ଆରମ୍ଭ କଲେ 'ମୁଥୁ କ୍ୟାଟେରିଂ' ଏବଂ ଡବାୱାଲା ସର୍ଭିସ୍ ।
ଏହା ବି ପଢ଼ନ୍ତୁ... India-Pakistan-Conflict: ହୋର୍ମୁଜ୍ ଖୋଲିବା ମାତ୍ରେ ଭାରତକୁ ବଡ଼ ଝଟ୍କା ଦେବ କି ପାକିସ୍ତାନ ? ଶେହବାଜ୍ ସରକାରଙ୍କ ବଡ଼ ଚାଲ୍
କରୋନା ମହାମାରୀ ସମୟରେ ଯେତେବେଳେ ସବୁ ବ୍ୟବସାୟ ବନ୍ଦ ହୋଇଗଲା, ସେତେବେଳେ ମଧ୍ୟ ସେ ଭାଙ୍ଗି ପଡ଼ିନଥିଲେ । ସେ ମେଡିକାଲ କଲେଜର ରୋଗୀ ଓ ଷ୍ଟାଫ୍ ଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାର ସରକାରୀ କଣ୍ଟ୍ରାକ୍ଟ ପାଇଲେ । ଏହି ସଙ୍କଟ ସମୟରେ ସେ ନିଜ ସହ ଅନ୍ୟ ମହିଳାଙ୍କୁ ମଧ୍ୟ ରୋଜଗାର ଦେଇଥିଲେ । ମହାମାରୀ ଶେଷ ହେବା ପରେ ଶରୀଫା ଆଉ ପଛକୁ ଚାହିଁନାହାନ୍ତି । ଗୋଟିଏ ପରେ ଗୋଟିଏ ସେ ୩ଟି ବଡ଼ ମଲ୍ଟି-କୁଜିନ୍ ରେଷ୍ଟୁରାଣ୍ଟ ପ୍ରତିଷ୍ଠା କରିଛନ୍ତି । ଯେଉଁ ପରିବାର ଦିନେ ଓଳିଏ ଖାଇବାକୁ ପାଉନଥିଲା, ୨୦୨୪ ମସିହା ସୁଦ୍ଧା ସେମାନଙ୍କ ରେଷ୍ଟୁରାଣ୍ଟ ଚେନ୍ର ବାର୍ଷିକ ଆୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହୋଇଛି । ଆଜି ଶରୀଫା ୧ କୋଟି ଟଙ୍କାର ଆଲିସାନ ବଙ୍ଗଳାରେ ରହୁଛନ୍ତି, ତାଙ୍କ ପାଖରେ ୩ଟି ଲଗଜରୀ କାର୍ ରହିଛି । ସବୁଠାରୁ ବଡ଼ କଥା ହେଉଛି, ସେ ନିଜେ ସ୍ୱାବଲମ୍ବୀ ହେବା ସହ ଆଜି ୪୦ରୁ ଅଧିକ ମହିଳାଙ୍କୁ ଚାକିରି ଦେଇ ଆତ୍ମନିର୍ଭରଶୀଳ କରିଛନ୍ତି । ସତରେ ! ଶରୀଫାଙ୍କ କାହାଣୀ ପ୍ରମାଣ କରୁଛି ଯେ ଯଦି ମନରେ ଦୃଢ଼ ଇଚ୍ଛାଶକ୍ତି ଥାଏ, ତେବେ ଶହେ ଟଙ୍କାରୁ ମଧ୍ୟ କୋଟି କୋଟି ଟଙ୍କାର ସାମ୍ରାଜ୍ୟ ଗଢ଼ାଯାଇପାରେ । ଶରୀଫା ଆଜି ସମଗ୍ର ଦେଶର ମହିଳାମାନଙ୍କ ପାଇଁ ଏକ ପ୍ରେରଣା ।