ଭୁବନେଶ୍ୱର ୦୫/୦୬: ଶୁକ୍ଳପକ୍ଷ ଦଶମୀ ତିଥିରେ ଗୁରୁବାର ପଡ଼ିଲେ ସେହିଦିନକୁ ଓଡ଼ିଆ ଘରେ ସୁଦଶା ବ୍ରତ ଭାବେ ପାଳନ କରାଯାଇଥାଏ। ଘରେ  ଶୁଖ, ଶାନ୍ତି, ଧନଧାନ୍ୟ ପାଇଁ ମୁଖ୍ୟତଃ ସଧବା ମହିଳାମାନେ ମହାଲକ୍ଷ୍ମୀଙ୍କ  ଉଦ୍ଦେଶ୍ୟରେ ସୁଦଶା ବ୍ରତ ପାଳନ କରିଥାନ୍ତି । ଏହି ଦିନ ଭୋରୁ ମହିଳାମାନେ  ଉଠି ଝୋଟିଚିତା ପକାଇଥାନ୍ତି ।  ବିଶେଷକରି ଝୋଟିରେ ପଦ୍ମଫୁଲ ଓ  ଲକ୍ଷ୍ମୀ ପାଦ ନିହାତି ରହିଥାଏ । ଏହି  ପୂଜାରେ ମୁଖ୍ୟତଃ ଦଶପ୍ରକାର ଜିନିଷ  ଲାଗି ହୋଇଥାଏ । 

ଯଥା- ଦଶ ପ୍ରକାର  ଫୁଲ, ଦଶ ପ୍ରକାର ଫଳ, ଦଶଟି ମଣ୍ଡା, ଦଶକେରା ଦୁବ । ଘରେ ଯଦି ମା’ ଲକ୍ଷ୍ମୀଙ୍କ  ପିତଳ ମୂର୍ତ୍ତିଥାଏ, କେହି କେହି ତାହାକୁ  ପୂଜା କରନ୍ତି । ନହେଲେ ଲକ୍ଷ୍ମୀ ନାରାୟଣ  ଥିବା ଫଟୋକୁ ଖଟୁଲିରେ ରଖି ସୁଦଶା  ବ୍ରତ କରିଥାନ୍ତି । କେତେକ ମହିଳା ଗୁଆ  ଓ ଘଟ ସ୍ଥାପନ କରି ମଧ୍ୟ ପୂଜା କରିଥାନ୍ତି ।  ଏହି ପୂଜାରେ ପିନ୍ଧାଯାଉଥିବା ବ୍ରତରେ ମଧ୍ୟ  ୧୦ଟି ଗଣ୍ଠି ପଡ଼ିଥାଏ । ଯାହାକୁ ପୂଜା କରି ମହିଳାମାନେ ପିନ୍ଧିଥାନ୍ତି ।