ନୂଆଦିଲ୍ଲୀ,୨୨/୦୯: ରାଜ୍ୟସଭା ସାଂସଦ ସୁଧା ମୂର୍ତ୍ତି ସୋମବାର ଦିନ ସାଇବର କ୍ରାଇମ୍ ଥାନାରେ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ବ୍ୟକ୍ତିଜଣକ ତାଙ୍କୁ ଫୋନ୍ କରି ତାଙ୍କ ମୋବାଇଲ୍ ଫୋନ୍ ସେବା ବନ୍ଦ କରିବାକୁ ଧମକ ଦେଇଥିଲେ।

ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ବ୍ୟକ୍ତି ତାଙ୍କୁ ସେପ୍ଟେମ୍ବର ୫ ତାରିଖରେ ତାଙ୍କ ମୋବାଇଲ୍ ଫୋନ୍‌ରେ ଫୋନ୍ କରି ଟେଲିକମ୍ୟୁନିକେସନ୍ ବିଭାଗର କର୍ମଚାରୀ ବୋଲି ଦାବି କରିଥିଲେ। ସୁଦ୍ଧା ମୂର୍ତ୍ତି ତାଙ୍କର ଏତଲାରେ ଉଲ୍ଲେଖ କରିଛନ୍ତି ଯେ, 'ଅଜଣା ବ୍ୟକ୍ତି ଜଣକ ତାଙ୍କୁ ଫୋନ୍‌ କରି କହିଥିଲେ ଯେ, ତାଙ୍କ ମୋବାଇଲ୍ ନମ୍ବର ଆଧାର ସହିତ ଲିଙ୍କ୍ ହୋଇନାହିଁ ଏବଂ ଏହା ମଧ୍ୟ କହିଥିଲେ ଯେ କିଛି ଅଶ୍ଳୀଳ ଭିଡିଓ ପ୍ରସାରିତ କରିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ହୋଇଛି ଏବଂ ଫଳସ୍ୱରୂପ, ଦୂରସଂଚାର ବିଭାଗ ତାଙ୍କ ମୋବାଇଲ୍ ଫୋନ୍ ସେବା ବନ୍ଦ କରିବାକୁ ଯାଉଛି।

ମାର୍ଚ୍ଚ ୨୦୨୪ରେ, ସାମାଜିକ କାର୍ଯ୍ୟ, ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଭାରତର ରାଷ୍ଟ୍ରପତି ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ। ସେ ମାର୍ଚ୍ଚ ୧୪ ତାରିଖରେ ସଂସଦ ଭବନରେ ତାଙ୍କ ସ୍ୱାମୀ ଏନ ଆର ନାରାୟଣ ମୂର୍ତ୍ତିଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଥିଲେ, ଏହି ସମାରୋହ ପୂର୍ବତନ ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ପରିଚାଳନା କରିଥିଲେ। ଜଣେ ସାଂସଦ ଭାବରେ, ସେ ନୂଆ ଜାତୀୟ ଶିକ୍ଷା ନୀତିରେ ତିନି-ଭାଷା ମଡେଲ ଭଳି ନୀତି ସପକ୍ଷରେ କହିଛନ୍ତି, ଅନେକ ଭାଷା ଜାଣିବାର ତାଙ୍କର ନିଜସ୍ୱ ଅଭିଜ୍ଞତାକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ତେବେ ସୁଦ୍ଧାଙ୍କ ଉପରୋକ୍ତ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।