ଭୁବନେଶ୍ୱର, ୨୦/୦୮ : ରାତି ପାହିଲେ କେହି ନା କେହି ଆତ୍ମହତ୍ୟା କରୁଛନ୍ତି । କିଏ ବିଷ ଖାଇ ଦେଉଛି ତ ପୁଣି କିଏ ଫାଶି ଦେଇ ଜୀବନ ହାରୁଛି । କମିସନରେଟ୍‌ ପୁଲିସ୍‌ର ରିପୋର୍ଟ କହୁଛି ଗତ ୬ ମାସ ଭିତରେ ଭୁବନେଶ୍ୱର ୟୁପିଡିରେ ୧୭୮ ଜଣ ଆତ୍ମହତ୍ୟା କରିଛନ୍ତି । ସେଥିରୁ ୯୫% ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି । ହେଲେ ଆତ୍ମହତ୍ୟା ପଛରେ କ’ଣ କାରଣ ସେ ବିଷୟରେ ପୁଲିସ୍‌ କିଛି ଜାଣି ପାରୁନି । ବିଗତ ଦିନରେ ରାଜନେତାଙ୍କ ଠାରୁ ଆରମ୍ଭ କରି ଆଗଧାଡ଼ିର କଳାକାର, ଛାତ୍ରଛାତ୍ରୀ, ବ୍ୟବସାୟୀ, ମଡେଲ୍‌, ଇଂଜିନିୟର, ଶ୍ରମିକ, ଆତ୍ମହତ୍ୟା କରିଛନ୍ତି । 

ଆତ୍ମହତ୍ୟା ପରେ ଗଣମାଧ୍ୟମରେ ଚର୍ଚ୍ଚା ହୁଏ କିଏ ପ୍ରେମ ପାଇଁ ତ କିଏ ଆର୍ଥିକ ସମସ୍ୟା ନେଇ, ପୁଣି କିଏ ଅପବାଦ ଭୟରେ, ପାରିବାରିକ କଳହ, ମାନସିକ ଚାପରେ ଆତ୍ମହତ୍ୟା କରନ୍ତି । ଜଣେ ବ୍ୟକ୍ତିର ମୃତ୍ୟୁ ପରେ ଏକାଧିକ କାରଣ ବାହାରେ । ଯଦି କୌଣସି ଘଟଣାକୁ ନେଇ ରାଜନୀତି ହୁଏ କିମ୍ବା ଗଣମାଧ୍ୟମରେ ଅଧିକ ସମୟ ଧରି ଖବର ପ୍ରସାରଣ ହୁଏ ତା’ହେଲେ ପୁଲିସ୍‌ ଠିକ୍‌ ଭାବେ ତଦନ୍ତ କରି ଆତ୍ମହତ୍ୟା କରଣ ଖୋଜିବାକୁ ଚେଷ୍ଟା କରେ । ବାକି ମାମଲା ଫାଇଲ୍‌ ତଳେ ଚାପି ହୋଇ ରହିଯାଏ । ସବୁ ଆତ୍ମହତ୍ୟା ଘଟଣାରେ ପୁଲିସ୍‌ ଶବ ବ୍ୟବଚ୍ଛେଦ କରି ଭିସେରା ରାଜ୍ୟ ଫରେନ୍ସିକ୍‌ ଲ୍ୟାବ୍‌କୁ ପଠାଏ । ହେଲେ ରିପୋର୍ଟ ନେବାକୁ ପୁଲିସ୍‌ କେବେ ଲ୍ୟାବ୍‌ ଦୁଆର ମୁହଁ ମାଡ଼େ ନାହିଁ । କାରଣ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶହ ଶହ ଭିସେରା ଲ୍ୟାବ୍‌ରେ ପଡ଼ିଛି । 

କିଛିଦିନ ତଳେ ପଟିଆ ଅଞ୍ଚଳରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲ୍‌ ରୁମ୍‌ରୁ ମିଳିଲା । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ପୁଲିସ୍‌ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା । ହେଲେ ଛାତ୍ରୀଙ୍କ ଆତ୍ମହତ୍ୟା ପଛର ପ୍ରକୃତ କାରଣ କ’ଣ ସେ ବିଷୟରେ କିଛି ଟେର ପାଇଲା ନାହିଁ । ୨୦୨୩ରେ ବିଜେବି କଲେଜର ଜଣେ ଛାତ୍ରୀଙ୍କ ମୃତଦେହ ହଷ୍ଟେଲ୍‌ରୁ ମିଳିଥିଲା । ହେଲେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିଲା ନାହିଁ । ଭଗବାନପୁର ଓୟୋ ହୋଟଲରେ କ୍ରମାଗତ ଦୁଇଟି ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାର ରହସ୍ୟ ଜଣାପଡ଼ିନି । ଗତ ୬ ମାସରେ ଆତ୍ମହତ୍ୟା କରିଥିବା ୧୭୮ ଜଣଙ୍କ ମଧ୍ୟରୁ ୯୫ ଜଣ ପୁରୁଷ ଅଛନ୍ତି ଓ ବାକି ମହିଳା । ଆତ୍ମହତ୍ୟା ରୋକିବା ପାଇଁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଅନେକ ସଚେତନା କାର୍ଯ୍ୟକ୍ରମ କରାଯାଉଛି ବୋଲି ପୁଲିସ୍‌ କମିଶନର ସୂଚନା ଦେଇଛନ୍ତି ।