ନୂଆଦିଲ୍ଲୀ, ୧୩/୧୨ : ସାରା ଦେଶରେ ଏବେ ଚହଳ ପକାଇଛି ବେଙ୍ଗାଲୁରୁ ଏଆଇ ଇଞ୍ଜିନିୟରଙ୍କ ଅତ୍ମହତ୍ୟା ମାମଲା। ସ୍ତ୍ରୀ ଏବଂ ତାଙ୍କ ଶ୍ଵଶୁର ଘର ଲୋକଙ୍କ ଦ୍ଵାରା ପ୍ରତାଡ଼ିତ ହୋଇ ଶେଷରେ ଜୀବନ ହାରିଛନ୍ତି ଅତୁଲ। ମୃତ୍ୟୁ ପୂର୍ବରୁ ଛାଡି ଯାଇଛନ୍ତି ୨୪ ପୃଷ୍ଠର ସୁଇସାଇଡ୍ ନୋଟ୍ ଏବଂ ଦେଢ ଘଣ୍ଟାର ଭିଡିଓ। ଏହି ଶେଷ ବାର୍ତ୍ତାରେ ସେ ବର୍ଣ୍ଣନା କରିଯାଇଛନ୍ତି ପତ୍ନୀ ଦେଇଥିବା ନିର୍ଯାତନାର କାହାଣୀ। ତେବେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଉଛି ମଣିଷ ? କାହା ଚାପରେ କରୁଛି ଆତ୍ମହତ୍ୟା ? ଏଠି ମହିଳା ନା ପୁରୁଷ କିଏ ଅଧିକ ନିର୍ଯ୍ୟାତିତ ? ବିବାହିତ ପୁରୁଷ ନା ମହିଳା କାହାର ଆତ୍ମହତ୍ୟା ସଂଖ୍ୟା ଅଧିକ ?
ଏନସିଆରବି ରିପୋର୍ଟରୁ ସାମ୍ନାକୁ ଆସିଲା ସତ। ମହିଳାଙ୍କ ତୁଳନାରେ ବିବାହିତ ପୁରୁଷଙ୍କ ଆତ୍ମହତ୍ୟା ସଂଖ୍ୟା ଅଧିକା। ୨୦୨୧ର ଏନସିଆରବି ରିପୋର୍ଟ ଅନୁଯାୟୀ, ଦେଶରେ ଆତ୍ମହତ୍ୟା କରିଛନ୍ତି ୮୧ ହଜାର ୬୩ ବିବାହିତ ପୁରୁଷ । ସେହିଭଳି ବିବାହିତା ମହିଳାଙ୍କ ଆତ୍ମହତ୍ୟା ସଂଖ୍ୟା ୨୮ ହଜାର ୬୮୦। ଅର୍ଥାତ୍ ବିବାହିତା ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆତ୍ମହତ୍ୟା ସଂଖ୍ୟା ୩ ଗୁଣା ଅଧିକା। ପାରିବାରିକ କଳହ, ଅର୍ଥାଭାବ, ଏବଂ ସାମାଜିକ ଚାପ ହେଉଛି ଏହା ପଛର ମୂଳ କାରଣ। ଏତଦ୍ ବ୍ୟତୀତ ପରିବାରର ବୋଝ, ମାନସିକ ଚାପ ଏବଂ ଅବଷାଦ ଯୋଗୁଁ ବି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି କିଛି ପୁରୁଷ।
ଗତ ୫ ବର୍ଷର ଆତ୍ମହତ୍ୟା ରିପୋର୍ଟ ଦେଖିଲେ ଆପଣଙ୍କର ଉଡିଯିବ ହୋସ୍। ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ଏନସିଆରବି ରିପୋର୍ଟରେ ହେଲା ଚାଞ୍ଚଲ୍ୟକର ଖୁଲାସା। ଜଣେ ମହିଳା ତୁଳନାରେ ଆତ୍ମହତ୍ୟା କରୁଛନ୍ତି ୨-୩ ଜଣ ପୁରୁଷ। ୨୦୧୮ରେ ଆତ୍ମହତ୍ୟା କରିଥିଲେ ମୋଟ ଲକ୍ଷେ ୩୪ ହଜାର ୫୧୬ ଜଣ। ସେମାନଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ଥିଲା ୪୨ ହଜାର ୩୯୧ ଏବଂ ପୁରୁଷଙ୍କ ସଂଖ୍ୟା ୯୨ ହଜାର ୧୧୪। ସେହିପରି ୨୦୧୯ରେ ଆତ୍ମହତ୍ୟା କରିଥିଲେ ୯୭ ହଜାର ୬୧୩ ଜଣ ପୁରୁଷ ଏବଂ ୪୧ ହଜାର ୪୯୩ ଜଣ ମହିଳା। ୨୦୨୦ରେ ବଢି ଯାଇଥିଲା ଆତ୍ମହତ୍ୟା ସଂଖ୍ୟା। ଏହି ବର୍ଷ ୪୪ ହଜାର ୪୮୯ ଜଣ ମହିଳା ଆତ୍ମହତ୍ୟା କରିଥିବା ବେଳେ ଜୀବନ ହାରିଥିଲେ ଲକ୍ଷେ ୮ ହଜାର ୫୩୨ ଜଣ ପୁରୁଷ। ସେହିପରି ୨୦୨୧ରେ ଆଉ ଟିକେ ବଢିଥିଲା ଆତ୍ମହତ୍ୟା ସଂଖ୍ୟା। ୨୦୨୨ରେ ଲକ୍ଷେ ୨୨ ହଜାର ୭୨୪ ଜଣ ପୁରୁଷ ଆତ୍ମହତ୍ୟା କରିଥିବା ବେଳେ ଜୀବନ ହାରିଥିଲେ ୪୮ ହଜାର ୧୭୨ ଜଣ ମହିଳା।