ନୂଆଦିଲ୍ଲୀ: ଠକେଇ ଅଭିଯୋଗରେ ୨୦୧୫ରୁ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖର ଜେଲରେ ଥିବା ସମୟରେ ମଧ୍ୟ ଖବରର ଶିରୋନାମାରେ ରହିଛି । ସୁକେଶ ପ୍ରାୟତଃ ଜେଲରୁ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଚିଠି ଲେଖୁଛି ଏବଂ ଉପହାର ପଠାଉଛି । ଆଉ ଏଥପାଇଁ ଜ୍ୟାକଲିନ୍ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ଏଥର ସୁକେଶ ଜ୍ୟାକଲିନଙ୍କୁ ଉପହାର ଦେବାକୁ ପ୍ରସ୍ତାବ ଦେଇଛି ।
କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ସୁକେଶ ଜେଲରୁ ଜ୍ୟାକଲିନଙ୍କ ପାଇଁ ଏକ ଚିଠି ଲେଖିଛି । ସୁକେଶ ବର୍ତ୍ତମାନ ଦିଲ୍ଲୀର ମଣ୍ଡୋଲି ଜେଲରେ ରହିଛି । ଚିଠିରେ ସେ ଜ୍ୟାକଲିନଙ୍କୁ ବେବି ଗର୍ଲ ଏବଂ ଲାଲ ପରୀ ଭାବରେ ମନେ ପକାଇଛି । ସେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜ୍ୟାକଲିନଙ୍କ ଉପସ୍ଥିତିକୁ ମଧ୍ୟ ପ୍ରଶଂସା କରିଛି । ସୁକେଶ ତାଙ୍କ ଚିଠିରେ ଜ୍ୟାକଲିନଙ୍କ ସଦ୍ୟ ମୁକ୍ତିଲାଭ କରିଥିବା ଫିଲ୍ମ 'ହାଉସଫୁଲ-୫'କୁ ମଧ୍ୟ ପ୍ରଶଂସା କରିଛି ।
ସୁକେଶ ଜ୍ୟାକଲିନଙ୍କୁ ସରପ୍ରାଇଜ ଦେବାକୁ ଯୋଜନା କରିଛନ୍ତି । ଜ୍ୟାକଲିନଙ୍କ ପାଇଁ ସୁକେଶ ଏକ କଷ୍ଟମାଇଜଡ୍ ଟେସଲା ସାଇବର ଟ୍ରକ୍ କିଣିଥିବା ଜଣାପଡ଼ିଛି । ସୁକେଶ ତାର ଚିଠିରେ ଲେଖିଛି ଯେ, ଏହି ଉପହାର ଜ୍ୟାକଲିନଙ୍କ ଜନ୍ମଦିନ ପୂର୍ବରୁ ଭାରତରେ ପହଞ୍ଚିବ । ଏହି ଟ୍ରକ୍ ଜ୍ୟାକଲିନଙ୍କ ସଫଳତା ପାଇଁ । ଜ୍ୟାକଲିନଙ୍କ ପାଖରେ ଏହି କାର ରହୁ ବୋଲି ସେ ଚିଠି ମାଧ୍ୟମରେ ନିଜର ଆଶା ବ୍ୟକ୍ତ କରିଛି ।
ସୁକେଶ ଆହୁରି ଲେଖିଛି, ‘ହୁଏତ ମୋ ପ୍ରେମକୁ କେହି ବୁଝିପାରିବେ ନାହିଁ । କିନ୍ତୁ ମୋ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କାରଣ କେବଳ ତୁମେ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୁଁ ତୁମକୁ ସ୍ୱତନ୍ତ୍ର ଅନୁଭବ କରାଇବାକୁ ଚାହୁଁଛି। ମୁଁ ତୁମକୁ ଭଲପାଏ ବେବି ଗର୍ଲ, ମୋର ଲାଲ ପରୀ । ଯେଉଁମାନେ ଆମର ପ୍ରେମ କାହାଣୀର ମଜା ଉଡ଼ାଉଛନ୍ତି, ସେମାନେ ଆମର କାହାଣୀକୁ ଇତିହାସ ସୃଷ୍ଟି କରୁଥିବାର ଦେଖିବେ।’