ନୂଆଦିଲ୍ଲୀ, ୧୮/୦୧: ପୁଣି ଥରେ ଆଉ ଏକ ରେକର୍ଡ଼ କରିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ । ମହାକାଶରେ ୮ଥର ସ୍ପେଶୱାକ୍‌ କରି ସୁନୀତା ଏହି ରେକର୍ଡ କରିଛନ୍ତି ।  ଦୀର୍ଘ ୭ ମାସ ପରେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ବାହାରି ସ୍ପେଶୱାକ୍‌ କରିଛନ୍ତି ସୁନୀତା । ତେବେ ତାଙ୍କ ସହ ନାସାର ଆଉ ଜଣେ ମହାକାଶଚାରୀ ନିକ୍‌ ହଗ୍‌ ମହାକାଶରେ ଚାଲିଥିବା ଜଣାପଡ଼ିଛି ।

ତେବେ ଗତ ବର୍ଷ ଜୁନ ମାସରେ ୮ ଦିନ ପାଇଁ ମହାକାଶକୁ ଯାଇଥିଲେ ସୁନୀତା । ହେଲେ ୭ମାସରୁ ଅଧିକ ସମୟ ଧରି ସେଠାରେ ଫସି ରହିଛନ୍ତି । ପ୍ରାୟ ୭ ମାସ ପରେ ସେ ସ୍ପେଶ ଷ୍ଟେସନରୁ ବାହାରି ସେ ସ୍ପେଶଓ୍ବାକ କରିଛନ୍ତି। ନାସାର ସୂଚନା ଅନୁସାରେ ସ୍ପେଶ ଷ୍ଟେସନରେ କିଛି ଜରୁରୀ ମରାମତି କରିବା ଲାଗି ସେ ସ୍ପେଶ ଷ୍ଟେସନରୁ ବାହାରିଛନ୍ତି। ଗତବର୍ଷ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ନାସା ମହାକାଶଚାରୀଙ୍କ ସ୍ପେଶୱାକ୍‌କୁ ରୋକାଯିବା ପରେ ଏହା କୌଣସି ମହାକାଶଚାରୀଙ୍କ ପ୍ରଥମ ସ୍ପେଶୱାକ୍‌ ଥିଲା । ମହାକାଶ ଯାତ୍ରୀଙ୍କ ସୁଟ୍‌ର କୁଲିଂ ଲୁପ୍‌ରୁ ପାଣି ଲିକ୍‌ ହୋଇ ଏୟାରଲକ୍‌ କୁ ଆସିଯାଇଥିବାରୁ ସ୍ପେଶୱାକ୍‌କୁ ରୋକାଯାଇଥିଲା । ହେଲେ ଏବେ ନାସା ସେହି ସମସ୍ୟାର ସମାଧାନ କରିଛି । ଏହା ସୁନୀତା ୱିଲିୟମ୍ସଙ୍କ ଲାଗି ୮ ନମ୍ବର ସ୍ପେଶୱାକ୍‌ ଥିବା ବେଳେ ସେ ଏହା ପୂର୍ବରୁ ଅନେକ ଥର ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ରହି ସ୍ପେଶୱାକ୍‌ କରିସାରିଛନ୍ତି । 

ଏହା ମଧ୍ୟ ପଢନ୍ତୁ- ଇଣ୍ଟର ନ୍ୟାସନାଲ ସ୍ପେସ୍ ଷ୍ଟେସନ୍‌ରେ ଫାଟ, ୫୦ ସ୍ଥାନରେ ଲିକେଜ୍: ସଙ୍କଟରେ ସୁନୀତା ଓ୍ବିଲିୟମ୍ସଙ୍କ ଜୀବନ

ସେହିପରି ମହାକାଶଚାରୀ ସୁନୀତା ଜାନୁଆରୀ ୨୩ରେ ସହଯୋଗୀ ୱିଲମୋରଙ୍କ ସହ ଦ୍ବିତୀୟ ସ୍ପେଶୱାକ୍‌ କରିବାକୁ ଯାଉଛନ୍ତି । ପ୍ରକାଶ ଥାଉକି, ସୁନୀତା ଓ ସହଯୋଗୀ ୱିଲମୋର ଗତବର୍ଷ ଜୁନରେ ବୋଇଙ୍ଗ ଷ୍ଟାରଲାଇନର କ୍ୟାପସୁଲ୍‌ରେ ମହାକାଶକୁ ଯାତ୍ରା କରିଥିଲେ । ଏହା ମାତ୍ର ଗୋଟିଏ ସପ୍ତାହର ପରୀକ୍ଷା ଥିଲା । କିନ୍ତୁ ବୋଇଙ୍ଗ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେମାନେ ପୃଥିବୀ ଫେରିପାରିନଥିଲେ । ଏହାପରେ ନାସା କ୍ୟାପସୁଲ୍‌କୁ ଖାଲି କରି ଏହାକୁ ପୃଥିବୀ ପଠାଇବାକୁ କହିଥିଲା । ଏହାପରେ ସୁନୀତା ଓ ସହଯୋଗୀ ୱିଲମୋର, ସ୍ପେଶଏକ୍ସ ମହାକାଶ ଯାନରେ ଫେରିବାର ଥିଲା । କିନ୍ତୁ ଏହି ଯାନ ଲଞ୍ଚରେ ବିଳମ୍ବ ଯୋଗୁଁ ଉଭୟ ମହାକାଶଚାରୀ ଚଳିତ ବର୍ଷ ମାର୍ଚ୍ଚ ଶେଷରେ କିମ୍ବା ଏପ୍ରିଲ ଆରମ୍ଭରୁ ଘରକୁ ଫେରିପାରନ୍ତି ବୋଲି ନାସା ପକ୍ଷରୁ ସୂଚନା ମିଳିଛି ।