ରଙ୍ଗେଇଲୁଣ୍ଡା,୨୧/୧୧: ଗୋଳନ୍ଥରା ଥାନା ଅନ୍ତର୍ଗତ କୁସୁମି ଅଞ୍ଚଳରେ କାର୍ଯ୍ୟରତ ବିଦ୍ୟୁତ୍ ବିଭାଗ (ଟିପିଏସ୍ଓଡିଏଲ୍) ସୁପ୍ରଭାଇଜର୍ଙ୍କୁ କାତିରେ ଆକ୍ରମଣ ମାମଲାରେ ଅଭିଯୁକ୍ତ ଗିରଫ ହୋଇଛି । ସେ ହେଲା ସିଙ୍ଗିବାଡିର ବୁଡୁ ଦାସ ଯେକି ଜଣେ ଅଭ୍ୟାସଗତ ଶିକାରୀ ବୋଲି ପୁଲିସ ସୂଚନା ଦେଇଛି । ତା ଠାରୁ ଆକ୍ରମଣରେ ବ୍ୟବହୃତ କାତି ଜବତ କରାଯାଇଛି । ତାକୁ ବୁଧବାର କୋର୍ଟଚାଲାଣ କରାଯାଇଥିବା କହିଛନ୍ତି ଆଇଆଇସି ବିବେକାନନ୍ଦ ସ୍ୱାଇଁ ।
ସୋମବାର ରାତିରେ ସିଙ୍ଗାବାଡି ନିକଟ ଝାଡବାଙ୍କ ଠାରେ ଏହି ଆକ୍ରମଣ ଘଟଣା ଘଟିଥିଲା । ଉକ୍ତ ରାତିରେ ମହୁଡା ଫିଡର୍ରେ ବାରମ୍ବାର ଟ୍ରିପ୍ ହେବାରୁ ସୁପର୍ଭାଇଜର୍ ପ୍ରଦ୍ୟୁମ୍ନ କୁମାର ଜେନା ଓ ଅନ୍ୟ ୩ ଜଣ କର୍ମଚାରୀ ପାଟ୍ରୋଲିଂରେ ବାହାରିଥିଲେ । ଏହି ସମୟରେ ଝାଡବାଙ୍କ ଠାରେ ବାର୍ହା ଶିକାର ପାଇଁ ୧୧ କେଭି ବିଦ୍ୟୁତ୍ ତାର ଟାଣି ବିଛାଯାଇଥିବା ଦେଖିବାକୁ ପାଇଥିଲେ । ଏହି ତାର କିଏ ବିଛାଇଛି ଜାଣିବା ପାଇଁ ସେମାନେ ସେଠାରେ ଛପି ରହିଥିଲେ । ରାତି ପ୍ରାୟ ସାଢେ ୨ଟା ବେଳ ବୁଡୁ ସେଠାରେ ପହଞ୍ଚିଥିଲା । ଏନେଇ ପ୍ରଦ୍ୟୁମ୍ନ ଜେନା ପଚାରିବାରୁ ଉତ୍କ୍ଷୀପ୍ତ ହୋଇ ବୁଡୁ ଗାଳିଗୁଲଜ କରିବା ସହ ପାଖରେ ରଖିଥିବା ଏକ ଧାରୁଆ କାତିରେ ଆକ୍ରମଣ କରିଥିଲା । ପ୍ରଦ୍ୟୁମ୍ନଙ୍କ ବାମ ହାତକୁ ଚୋଟ ବାଜିବାରୁ ସେ ଆହତ ହୋଇଥିଲେ । ଘଟଣା ପରେ ବୁଡୁ ଚମ୍ପଟ ମାରିଥିଲା । ଅନ୍ୟ କର୍ମଚାରୀମାନେ ବୁଡୁଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସିତ ହେବା ପରେ ସେ ଥାନାରେ ଅଭିଯୋଗ କରିଥିଲେ । ତାହାକୁ ଆଧାର କରି ପୁଲିସ ବୁଡୁକୁ ସିଙ୍ଗିବାଡିରୁ ଗିରଫ କରି କୋର୍ଟଚାଲାଣ କରିଛି ।