ନୂଆଦିଲ୍ଲୀ,୦୬/୦୮: ବିଜୁଳି ଜାଳିବା ହେବ ମହଙ୍ଗା। ଉପଭୋକ୍ତାଙ୍କୁ ଲାଗିବ ୪୪୦ ଭୋଲ୍ଟର ଝଟକା। ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଦର ବଢ଼ିବ । ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି। ବିଜୁଳି ଦର ବୃଦ୍ଧିକୁ ଅନୁମତି ଦେବା ଉପରେ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । 

ସୁପ୍ରିମକୋର୍ଟ କହିଛନ୍ତି, ବିଜୁଳି ଦରରେ ବୃଦ୍ଧି ସଠିକ୍‌ ଭାବେ ହେବା ଉଚିିତ୍‌ । ନ୍ୟାୟାଳୟ ବିଜୁଳି ବିଲ୍‌ ଦର ବଢାଇବା ପାଇଁ ଅନୁମତି ଦେବା ସହ କିଛି ସର୍ତ୍ତ ରଖିଛନ୍ତି । କୋର୍ଟ କହିଛନ୍ତି ଯେ, ଦର ବୃଦ୍ଧି ଲାଭଦାୟକ ହେବା ଆବଶ୍ୟକ ଓ ଦିଲ୍ଲୀ ନିୟାମକ ଆୟୋଗ ପକ୍ଷରୁ ସ୍ଥିର କରାଯାଇଥିବା ସୀମାରୁ ଅଧିକ ହେବା ଉଚିିତ୍‌ ନୁହେଁ । ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ବିଜୁଳି ଦର ବଢା ଯାଇପାରିବ, ମାତ୍ର ତାହା ପକେଟ୍‌କୁ ସୁହାଇବା ଭଳି ହେବା ଆବଶ୍ୟକ । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିର ପ୍ରଭାବ ଦିଲ୍ଲୀ ସମେତ ଦେଶର ଅନ୍ୟ ରାଜ୍ୟ ଉପରେ ମଧ୍ୟ ପଡିପାରେ ।

ଏହି ମାମଲା ବିଜୁଳି ବିତରଣ କମ୍ପାନୀର ଅଟକିଥିବା ଟଙ୍କାକୁ ନେଇ ବର୍ଷ ବର୍ଷ ଧରି ଚାଲିଥିବା ମକଦ୍ଦମା ଉପରେ ହୋଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଦିଲ୍ଲୀ ବିଜୁଳି ନିୟାମକ ଆୟୋଗ (ଡିଇଆରସି) ରୋଡ୍‌ମ୍ୟାପ୍‌ ତିଆରି କରିବା ଆବଶ୍ୟକ ଯେ ବିଜୁଳି ବିଲ୍‌ କେବେ ଓ କେତେ ବଢାଇବା ଉଚିିତ୍‌। ରିପୋର୍ଟ ଅନୁଯାୟୀ, ବୃଦ୍ଧି ବିଜୁଳି ଦର ଯେପରି ସମସ୍ତ ପ୍ରକାର ଉପଭୋକ୍ତାଙ୍କ ଉପରେ ଲାଗୁ କରାଯାଇପାରିବ।