ନୂଆଦିଲ୍ଲୀ, ୧୪/୦୮ : ବହୁ ଚର୍ଚ୍ଚିତ ରେଣୁକାସ୍ୱାମୀ ହତ୍ୟା ମାମଲା। କନ୍ନଡ଼ ଅଭିନେତା ଦର୍ଶନ ଥୁଗୁଦୀପାଙ୍କ ବଢିଲା ଅଡ଼ୁଆ। ରେଣୁକାସ୍ଵାମୀ ମର୍ଡର କେସ୍ରେ ଜାମିନ ଆବେଦନ ରଦ୍ଦ କଲେ ସୁପ୍ରିମକୋର୍ଟ। ଖୁବଶୀଘ୍ର ଗିରଫ ହେବେ ଅଭିନେତା। ଏହା ପୂର୍ବରୁ କର୍ଣ୍ଣାଟକ ସରକାରଙ୍କ ଯାମିନ ରଦ୍ଦ ଯାଚିକାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ।
ଦର୍ଶନଙ୍କୁ କର୍ଣ୍ଣାଟକ ହାଇକୋର୍ଟରୁ ଜାମିନ ମିଳିଥିଲା। ଜଷ୍ଟିସ୍ ଜେ ବି ପାରଦିୱାଲା ଏବଂ ଜଷ୍ଟିସ୍ ଆର ମହାଦେବନଙ୍କ ପୀଠ ଏହି ମାମଲାରେ ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି। କୋର୍ଟ କହିଛନ୍ତି ଯେ, 'ଆମେ ସବୁ ଦିଗକୁ ବିଚାରକୁ ନେଇଛୁ। ଜାମିନ ଦେବା ଓ ରଦ୍ଦ କରିବା ଉପରେ ବି ବିଚାର କରିଛୁ। ହାଇକୋର୍ଟଙ୍କ ରାୟ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ। ଅଭିଯୁକ୍ତ ଯେତେ ବଡ଼ ହେଲେ ମଧ୍ୟ ଆଇନ କାନୁନ ଠାରୁ ଉର୍ଦ୍ଧ୍ଵରେ ନୁହେଁ।' ଅଭିଯୁକ୍ତଙ୍କୁ ଜେଲରେ ସ୍ଵତନ୍ତ୍ର ସୁବିଧା ନଦେବାକୁ ମଧ୍ୟ କୋର୍ଟ ଚେତାବନୀ ଦେଇଛନ୍ତି।
ପ୍ରକାଶଥାଉ କି, ଗତବର୍ଷ ଜୁନ୍ ୯ରେ ବେଙ୍ଗାଲୁରୁର କାମାକ୍ଷୀପାଲ୍ୟା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ନିକଟରୁ ଅଭିନେତା ଦର୍ଶନଙ୍କ ଜଣେ ପ୍ରଶଂସକ ରେଣୁକାସ୍ୱାମୀଙ୍କ ମୃତଦେହ ମିଳିଥିଲା। ଦର୍ଶନ ବିବାହିତ ହୋଇ ବି ତାଙ୍କ ସହକଳାକାର ପବିତ୍ରାଙ୍କ ସହ ମିଳାମିଶା କରିବାକୁ ରେଣୁକାସ୍ୱାମୀ ପସନ୍ଦ କରୁ ନଥିଲେ । ତେଣୁ ରେଣୁକାସ୍ୱାମୀ ପବିତ୍ରାଙ୍କୁ ଆପତ୍ତିଜନକ ମେସେଜ କରିବା ସହ ଧମକ ଦେବାରେ ଲାଗିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଦର୍ଶନ ତାଙ୍କୁ ଅପହରଣ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
ଏହି ଖବରଟିକୁ ପଢନ୍ତୁ- ରେଣୁକାସ୍ୱାମୀ ହତ୍ୟା ମାମଲା : ଅଭିନେତା ଦର୍ଶନଙ୍କ ବଢିଲା ଅଡ଼ୁଆ, ହାଇକୋର୍ଟଙ୍କ ଜାମିନ ଦେବା ରାୟ ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ