ନୂଆଦିଲ୍ଲୀ,୨୫।୨: ଦେଶର ଶିକ୍ଷା ବ୍ୟବସ୍ଥା ଏବଂ ନ୍ୟାୟପାଳିକା ମଧ୍ୟରେ ଦେଖାଦେଇଛି ଏକ ବଡ଼ ବିବାଦ । ନୂତନ NCERT ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ନ୍ୟାୟପାଳିକାର କାର୍ଯ୍ୟକାରିତା ଏବଂ ଏଥିରେ ଥିବା ଦୁର୍ନୀତି ଉପରେ ଉଲ୍ଲେଖକୁ ନେଇ ପ୍ରଧାନ ବିଚାରପତି(ସିଜେଆଇ) ସୂର୍ଯ୍ୟକାନ୍ତ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଏହାକୁ ଅନୁଷ୍ଠାନକୁ ବଦନାମ କରିବା ପାଇଁ ଏକ ଜାଣିଶୁଣି ପ୍ରୟାସ ବୋଲି କହିଛନ୍ତି।

ଏନସିଇଆରଟିର ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ନ୍ୟାୟପାଳିକା ସହ ଜଡିତ ନୂତନ ବିଷୟବସ୍ତୁ ଉପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶୁଣାଣି ସମୟରେ ସିଜେଆଇ ସୂର୍ଯ୍ୟକାନ୍ତ ସ୍ପଷ୍ଟ ଭାବରେ କହିଥିଲେ, ନ୍ୟାୟପାଳିକା ଭଳି ଏକ ସାମ୍ବିଧାନିକ ପ୍ରତିଷ୍ଠାନକୁ ବଦନାମ କରିବାକୁ କାହାକୁ ଅନୁମତି ଦେବୁନି।

ସିଜେଆଇ ଏହାକୁ ଏକ ‘ଯୋଜନାବଦ୍ଧ’ ଏବଂ ’ସୁଚିନ୍ତିତ ପ୍ରୟାସ’ ବୋଲି କହି ସେ ସୂଚିତ କରିଛନ୍ତି ଯେ କୋର୍ଟ ଏହି ମାମଲାର ନିଜେ ତଦନ୍ତ କରିବେ ଏବଂ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଜଷ୍ଟିସ୍ ବାଗଚୀ ମଧ୍ୟ ଚିନ୍ତା ପ୍ରକାଶ କରି ଏହାକୁ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧି ବୋଲି କହିଛନ୍ତି।

ଏହି ବିବାଦର ମୂଳ କାରଣ ହେଉଛି ଅଷ୍ଟମ ଶ୍ରେଣୀ ନଗର ବିଜ୍ଞାନ ପାଠ୍ୟପୁସ୍ତକର ଏକ ନୂତନ ଅଧ୍ୟାୟ, ଯାହାର ଶୀର୍ଷକ ‘ଆମ ସମାଜରେ ନ୍ୟାୟପାଳିକାର ଭୂମିକା’। ଏହି ଅଧ୍ୟାୟର ଶୀର୍ଷକ ରହିଛି ‘ନ୍ୟାୟପାଳିକାରେ ଦୁର୍ନୀତି’ ଶୀର୍ଷକ ଏକ ବିଶେଷ ବିଭାଗ ଯୋଡାଯାଇଛି। ବହିରେ ପଢାଯାଉଛି ଯେ...

-ନ୍ୟାୟପାଳିକାର ବିଭିନ୍ନ ସ୍ତରରେ ଲୋକଙ୍କୁ ଦୁର୍ନୀତିର ସାମନା କରିବାକୁ ପଡିଥାଏ। ଏହାଦ୍ବାରା ଗରିବମାନେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥାନ୍ତି।

- କୋର୍ଟରେ ବିଚାରପତିଙ୍କ ପ୍ରବଳ ଅଭାବରହିଛି। ମୌଳିକ ଢାଞ୍ଚା ମଧ୍ୟ ଖୁବ୍ ଦୁର୍ବଳ।

-ନ୍ୟାୟିକ ଢାଞ୍ଚା ଏତେ ଦୁର୍ବଳ ବର୍ଷ ବର୍ଷ ଧରି ମାମଲାର ଶୁଣାଣି ଚାଲିଥାଏ।

ଏହି ଏହି ଗମ୍ଭୀର ପ୍ରସଙ୍ଗକୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ ମନୁ ସିଂଘଭି କୋର୍ଟଙ୍କ ଦୃଷ୍ଟିକୁ ଆଣିଥିଲେ। ଓକିଲମାନେ ଯୁକ୍ତି ଦେଇଥିଲେ ଯେ ସ୍କୁଲ ବୟସର ଛୋଟ ପିଲାମାନଙ୍କୁ ନ୍ୟାୟପାଳିକା ବିଷୟରେ ଏପରି ନକାରାତ୍ମକ ବିଷୟବସ୍ତୁ ପଢ଼ାଇବା ଅତ୍ୟନ୍ତ ଚିନ୍ତାଜନକ, କାରଣ ଏହା ନ୍ୟାୟ ବ୍ୟବସ୍ଥା ବିଷୟରେ ଏକ ନକାରାତ୍ମକ ବାର୍ତ୍ତା ପଠାଇପାରେ। ସିବଲ ଏହି ମାମଲାରେ ହସ୍ତକ୍ଷେପ କରିବାକୁ କୋର୍ଟଙ୍କୁ ଆବେଦନ କରିଥିଲେ, ଯାହାର ଜବାବରେ ସିଜେଆଇ କହିଥିଲେ ଯେ ସେ ଏହି ବିଷୟରେ ଅନେକ କଲ୍ ଏବଂ ବାର୍ତ୍ତା ପାଇଛନ୍ତି ଏବଂ ପରିସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି।

ଆହୁରି ପଢନ୍ତୁ :ମେଟ୍ରୋରେ ୩ ବର୍ଷରେ ୩ ଗୁଣ ବଢ଼ିଛି ଛାଡ଼ପତ୍ର, ୫୮% ମାମଲାରେ ମହିଳା ଛାଡ଼ପତ୍ର ଚାହୁଁଛନ୍ତି