ନୂଆଦିଲ୍ଲୀ, ୨୬।୯: ଏବେ ବାପାଙ୍କ ସମ୍ପତ୍ତି ଫେରାଇବାକୁ ପୁଅ ବାଧ୍ୟ ହେବେ । ବାପା, ମା’ ଭରଣପୋଷଣ ଦାୟିତ୍ୱରେ ଉଲଙ୍ଘନ ହେଲେ ସନ୍ତାନଙ୍କୁ ସମ୍ପତ୍ତିରୁ ବହିଷ୍କାର କରିବାକୁ କୋର୍ଟଙ୍କର ପୂର୍ଣ୍ଣ ଅଧିକାର ଅଛି । ସୁପ୍ରିମକୋର୍ଟ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ତାଙ୍କ ପୁଅକୁ ବାପାଙ୍କ ସମ୍ପତ୍ତି ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ବିକ୍ରମ ନାଥ ଏବଂ ବିଚାରପତି ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ବୃଦ୍ଧ ବ୍ୟକ୍ତିଙ୍କ ଆବେଦନ ଉପରେ ଏପ୍ରିଲରେ ହୋଇଥିବା ବମ୍ବେ ହାଇକୋର୍ଟର ନିଷ୍ପତ୍ତିକୁ ଖାରଜ କରିଛନ୍ତି । ଯେଉଁଥିରେ ପୁଅକୁ ତାଙ୍କ ବାପାଙ୍କ ସମ୍ପତ୍ତି ଫେରାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ, ବାପା-ମା' ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଏବଂ କଲ୍ୟାଣ ଆଇନ, ୨୦୦୭ରେ ଅନୁଯାୟୀ, ବୟସ୍କ ଲୋକଙ୍କ ଭରଣପୋଷଣ ପାଇଁ ଦାୟିତ୍ୱ ଉଲ୍ଲଂଘନ ହେଲେ ଟ୍ରିବୁନାଲ କୋର୍ଟଙ୍କୁ ବରିଷ୍ଠ ନାଗରିକଙ୍କ ସମ୍ପତ୍ତିରୁ ସନ୍ତାନ କିମ୍ବା ସମ୍ପର୍କୀୟଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେବାର ଅଧିକାର ଅଛି । 

୨୦୦୭ ଆଇନକୁ ଅଧିନରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ଆଇନଟି ବୟସ୍କ ବ୍ୟକ୍ତିଙ୍କ ଦୁଃଖଦୁର୍ଦ୍ଦଶା ଦୂର କରିବା ଏବଂ ସେମାନଙ୍କର ଯତ୍ନ ଓ ସୁରକ୍ଷା ଯୋଗାଇବା ପାଇଁ ପ୍ରଣୟନ କରାଯାଇଥିଲା । କୋର୍ଟ କହିଛନ୍ତି, ଯଦି ଜଣେ ବରିଷ୍ଠ ନାଗରିକଙ୍କୁ ଭରଣପୋଷଣ କରିବାର ଦାୟିତ୍ୱ ଉଲ୍ଲଂଘନ ହୁଏ, ତେବେ ଟ୍ରିବ୍ୟୁନାଲ୍ କୋର୍ଟ ବରିଷ୍ଠ ନାଗରିକଙ୍କ ସମ୍ପତ୍ତିରୁ ସନ୍ତାନ କିମ୍ବା ସମ୍ପର୍କୀୟଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେବାର ପୂର୍ଣ୍ଣ ଅଧିକାର ରଖିଛି ।" ସୁପ୍ରିମକୋର୍ଟଙ୍କ ସେପ୍ଟେମ୍ବର ୧୨ ଆଦେଶରେ କୁହାଯାଇଛି ଯେ, ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେବା ସତ୍ତ୍ୱେ ପୁଅ ତାଙ୍କ ବାପାଙ୍କୁ ନିଜ ସମ୍ପତ୍ତିରେ ରହିବାକୁ ଅନୁମତି ନ ଦେଇ ବୈଧାନିକ ଦାୟିତ୍ୱ ଉଲ୍ଲଂଘନ କରିଛନ୍ତି । କୋର୍ଟ ଉଲ୍ଲେଖ କରିଛନ୍ତି ଯେ, ଆବେଦନକାରୀଙ୍କ ବୟସ ପ୍ରାୟ ୮୦ ବର୍ଷ, ତାଙ୍କ ସ୍ତ୍ରୀଙ୍କ ବୟସ ୭୮ ଏବଂ ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି । ତାଙ୍କ ବଡ଼ ପୁଅ ଜଣେ ବ୍ୟବସାୟୀ । କୋର୍ଟ ଉଲ୍ଲେଖ କରିଛନ୍ତି ଯେ, ଆବେଦନକାରୀ ମୁମ୍ବାଇରେ ଦୁଇଟି ସମ୍ପତ୍ତି କିଣିଛନ୍ତି । ସେ ପିଲାଙ୍କ ପାଖରେ ତାଙ୍କ ସମ୍ପତ୍ତି ଛାଡ଼ି ସ୍ତ୍ରୀଙ୍କ ସହିତ ଉତ୍ତରପ୍ରଦେଶରେ ରହୁଛନ୍ତି । ଖଣ୍ଡପୀଠ ଆହୁରି ଉଲ୍ଲେଖ କରିଛନ୍ତି ଯେ, ବଡ଼ ପୁଅ ସମ୍ପତ୍ତିଗୁଡ଼ିକୁ ଦଖଲ କରିନେଇଛି ଏବଂ ସେଠାରେ ତାଙ୍କ ବାପାଙ୍କୁ ରହିବାକୁ ଅନୁମତି ଦେଉନାହିଁ ।

ଆବେଦନକାରୀ ଏବଂ ତାଙ୍କ ସ୍ତ୍ରୀ ଜୁଲାଇ ୨୦୨୩ରେ ସମ୍ପତ୍ତିରୁ ଭରଣପୋଷଣ ଏବଂ ଜବରଦଖଲ ପାଇଁ ଏକ ଆବେଦନ ଦାଖଲ କରିଥିଲେ । ଗତ ବର୍ଷ ଜୁନ୍ ମାସରେ, ଟ୍ରିବ୍ୟୁନାଲ୍ କୋର୍ଟ ପୁଅକୁ ଉଭୟ ଘରର ମାଲିକାନା ତାଙ୍କ ବାପାଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଟ୍ରିବ୍ୟୁନାଲ୍ କୋର୍ଟ ତାଙ୍କୁ ତାଙ୍କର ବୃଦ୍ଧ ବାପା-ମା’ଙ୍କୁ ମାସିକ ୩ ହଜାର ଟଙ୍କା ଭରଣପୋଷଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।