ନୂଆଦିଲ୍ଲୀ,୦୭/୦୮: ହିମାଚଳ ପ୍ରଦେଶରେ ବେଲଗାମ ବିକାଶ ଯୋଗୁଁ ପରିବେଶକୁ ହେଉଥିବା କ୍ଷତି ଉପରେ ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଯଦି ଏହା ଜାରି ରହେ, ତେବେ ଏପରି ଦିନ ଆସିବ ହିମାଚଳ ପ୍ରଦେଶ ମାନଚିତ୍ରରୁ ଗାଏବ ହୋଇଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି । କୋର୍ଟ ଏହି ମାମଲାର ତଦନ୍ତ କରି ୪ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। ରାଜ୍ୟ ସରକାର ପରିବେଶ ସୁରକ୍ଷା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ଏବଂ ଭବିଷ୍ୟତ ପାଇଁ କ’ଣ ଯୋଜନା କରିଛନ୍ତି ତାହା ଜଣାଇବାକୁ ପଡିବ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୫ରେ ହେବ।
ପ୍ରିଷ୍ଟିନ୍ ହୋଟେଲ୍ସ ଆଣ୍ଡ୍ ରିସର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀର ଆବେଦନକୁ ଖାରଜ କରି ଜଷ୍ଟିସ୍ ଜେବି ପାରଡିୱାଲା ଏବଂ ଜଷ୍ଟିସ୍ ଆର ମହାଦେବନଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀ ଜୁନ୍ ୨୦୨୫ର ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରିଥିଲା, ଯେଉଁଥିରେ ଶ୍ରୀ ତାରା ମାତା ହିଲକୁ ସବୁଜ ଅଞ୍ଚଳ ଘୋଷଣା କରାଯାଇଥିଲା। କମ୍ପାନୀ ସେଠାରେ ଏକ ହୋଟେଲ ନିର୍ମାଣ କରିବାକୁ ଚାହୁଁଥିଲା, କିନ୍ତୁ ଏହାକୁ ସବୁଜ ଅଞ୍ଚଳ ଘୋଷଣା କରାଯିବା ଯୋଗୁଁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି । ଏବେ ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ସମର୍ଥନ କରିଛନ୍ତି।
କୋର୍ଟ କହିଛନ୍ତି ଯେ, ପର୍ଯ୍ୟାବରଣ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ସବୁଜ ଅଞ୍ଚଳ ଭାବରେ ଘୋଷଣା କରିବା ଏକ ଭଲ ପଦକ୍ଷେପ, କିନ୍ତୁ ରାଜ୍ୟରେ ଏପରି ପଦକ୍ଷେପ ବହୁତ କମ୍ ଏବଂ ବହୁତ ବିଳମ୍ବରେ ନିଆଯାଇଛି। କୋର୍ଟ କହିଛନ୍ତି, 'ହିମାଚଳ ପ୍ରଦେଶରେ ପରିସ୍ଥିତି ଖରାପ ହେଉଛି। ପ୍ରକୃତି ନିଜର କରାଳ ରୂପ ଦେଖାଉଛି । ପହାଡ ଧସିବା, ଘର ଭାଙ୍ଗିପଡ଼ିବା, ରାସ୍ତା ଧସିବା ଇତ୍ୟାଦି ଏହାର ପରିଣାମ। ଚଳିତ ବର୍ଷ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ହଜାର ହଜାର ଘର ନଷ୍ଟ ହୋଇଯାଇଛି । ଯେଉଁଥିରେ ଶହ ଶହ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି।'
କୋର୍ଟ କହିଛନ୍ତି ଯେ, ହିମାଚଳ ପ୍ରଦେଶରେ ଭୂସ୍ଖଳନ, ବନ୍ୟା ଏବଂ ଭୂମିକମ୍ପ ଭଳି ବିପର୍ଯ୍ୟୟ ମଣିଷକୃତ। କୌଣସି ବୈଜ୍ଞାନିକ ଅଧ୍ୟୟନ ବିନା ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯାଉଛି ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ କରାଯାଉଛି। ସେଥିପାଇଁ ଗଛ କଟାଯାଉଛି। ପାହାଡ଼ ଗୁଡ଼ିକୁ ବିସ୍ଫୋରଣ କରି ଉଡ଼ାଇ ଦିଆଯାଉଛି । ଯାହା ଫଳରେ ଭୂକମ୍ପ ଭଳି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏପରି ସ୍ଥିତିରେ କେବଳ ରାଜସ୍ୱ ବଢାଇବା ହିଁ ସବୁକିଛି ନୁହେଁ। ପରିବେଶ ନଷ୍ଟ କରି ଏପରି ରୋଜଗାର ହିମାଚଳର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବ।