ନୂଆଦିଲ୍ଲୀ,୨୭/୧୦: ବୁଲା କୁକୁର ପ୍ରସଙ୍ଗରେ ରାଜ୍ୟ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଦେଶରେ ବୁଲା କୁକୁର ସମସ୍ୟା ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିବାରେ ବିଫଳ ହୋଇଛନ୍ତି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କୋର୍ଟ କହିଛନ୍ତି ଯେ, ଏପରି ଘଟଣା ନିରନ୍ତର ଘଟୁଛି, ଯାହା ବିଦେଶରେ ମଧ୍ୟ ଦେଶର ପ୍ରତିଛବିକୁ ଖରାପ କରୁଛି । ତଥାପି, ରାଜ୍ୟଗୁଡ଼ିକ ନିର୍ଦ୍ଦେଶ ପାଳନର ସତ୍ୟପାଠ ଦାଖଲ କରି ନାହାଁନ୍ତି । ନଭେମ୍ବର ୩ରେ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ହାଜର ହେବାକୁ ସମନ ଜାରି କରିଛନ୍ତି ସୁପ୍ରିମକୋର୍ଟ ।

ମାମଲାର ଶୁଣାଣି କରି ସୁପ୍ରିମକକୋର୍ଟ କହିଛନ୍ତି, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ସତ୍ୟପାଠ ଦାଖଲ କରିଛନ୍ତି । ଅନ୍ୟ ରାଜ୍ୟ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ୨ ମାସର ସମୟସୀମା ସତ୍ତ୍ୱେ ୩ ମାସ ହୋଇଗଲା ହେଲେ ସତ୍ୟପାଠ ଦାଖର କରାଯାଇନାହିଁ । ଏହି ପ୍ରସଙ୍ଗ ବିଦେଶରେ ଭାରତର ଛବିକୁ ଖରାପ କରୁଛି । ନଭେମ୍ବର ୩ତାରିଖରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ହାଜର ହୋଇ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆବଶ୍ୟକ ହେଲେ, ଅଡିଟୋରିୟମ୍‌ରେ କୋର୍ଟ କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

'ଦେଶର ଛବି ଖରାପ ହେଉଛି''.. ଶୁଣାଣିରେ କୋର୍ଟ କହିଛନ୍ତି, ''ଅଗଷ୍ଟ ନିର୍ଦ୍ଦେଶ ପରଠାରୁ, ସାରା ଦେଶରେ ବୁଲା କୁକୁର ଆକ୍ରମଣର ଅନେକ ମାମଲା ସାମ୍ନାକୁ ହୋଇଛି । ପିଲାମାନଙ୍କ ଉପରେ କୁକୁର ଆକ୍ରମଣର ଅନେକ ଘଟଣା ପୂର୍ବରୁ ରିପୋର୍ଟ ହୋଇଛି । ଗତ ମାସରେ, ମହାରାଷ୍ଟ୍ରର ପୁଣେରେ ଏକ କୁକୁର ଏକ ଶିଶୁକୁ ଆକ୍ରମଣ କରିଥିଲା । ଏହା ପୂର୍ବରୁ, ଏକ ଝିଅ ସହିତ ସମାନ ଘଟଣା ଘଟିଥିଲା ।  ଏବେ, ଭଣ୍ଡାରା ଜିଲ୍ଲାରେ ୨୦ଟି କୁକୁରଙ୍କ ଏକ ଦଳ ଏକ ଶିଶୁକୁ ଆକ୍ରମଣ କରିଥିଲେ । ଏପରି ଘଟଣା ଦେଶର ଛବିକୁ ବିଦେଶରେ ଖରାପ କରୁଛି । ଏବେ ସୁଦ୍ଧା ରାଜ୍ୟମାନେ ସତ୍ୟପାଠ ଦାଖଲ କରିନାହାନ୍ତି । ୨ ମାସ ପରେ ବି ଉତ୍ତର ଦେଇନାହାନ୍ତି ।''

ବୁଲା କୁକୁର ସମସ୍ୟା କେବଳ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ସୀମିତ ଥିଲା । କିନ୍ତୁ ଅଗଷ୍ଟ ୨୨ ତାରିଖରେ ସୁପ୍ରିମକୋର୍ଟ ଏହାକୁ ସମଗ୍ର ଭାରତର ସମସ୍ୟା ବୋଲି କହିଥିଲେ । ସମସ୍ୟାର ସମାଧାନ ପାଇଁ ବୁଲା କୁକୁରଙ୍କୁ ଧରି ବନ୍ଧ୍ୟାକରଣ  କରିବା ପରେ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଥିଲା । ଏପର୍ଯ୍ୟନ୍ତ କେତେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି, ତା’ର ରିପୋର୍ଟ ଦେବାକୁ କୁହାଯାଇଥିବା ବେଳେ ରାଜ୍ୟ ସରକାର ଏଥିରେ ବିଫଳ ହୋଇଛନ୍ତି ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।