ନୂଆଦିଲ୍ଲୀ,୦୭/୦୩: ବୁଲ୍ ଡୋଜର ଆକ୍ସନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି । କହିଛନ୍ତି, ଏଭଳି କାର୍ଯ୍ୟାନୁଷ୍ଠାନ ଚକିତ କଲା ଭଳି । ଏହା ଭୁଲ ସଂକେତ ଦେଉଛି । ସମ୍ବିଧାନର ଧାରା ୨୧ କଥା ଚିନ୍ତା କରିବା ଆବଶ୍ୟକ । ବିଚାରପତି ଅଭୟ ଏସ୍ ଓକା ଏବଂ ଏନ୍ କୋଟିଶ୍ୱର ରାଓଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି କହିଛନ୍ତି, ବୁଲ୍ ଡୋଜର ଆକ୍ସନ ଦ୍ୱାରା ଭଙ୍ଗାଯାଉଥିବା ଘରକୁ ସରକାର ଆଉଥରେ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇପାରିବେ କି? କିନ୍ତୁ ଏହା କରିବା ସରକାରଙ୍କ ଦାୟିତ୍ୱ । ପ୍ରୟାଗରାଜରେ ଜଣେ ଓକିଲ, ଜଣେ ପ୍ରଫେସର ଏବଂ ଅନ୍ୟ ତିନି ଜଣଙ୍କ ଘର ଭଙ୍ଗାଯିବାକୁ କେନ୍ଦ୍ର କରି ଖଣ୍ଡପୀଠ ୟୁପି ସରକାରଙ୍କୁ ସମାଲୋଚନା କରିଛନ୍ତି । ଜଷ୍ଟିସ୍ ଓକା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଏବେ ଆମେ ଆପଣଙ୍କ ଖର୍ଚ୍ଚରେ ପୁନର୍ନିର୍ମାଣ ପାଇଁ ଆଦେଶ ଦେବୁ । ଏଭଳି କରିବା ହିଁ ଏକମାତ୍ର ଉପାୟ ।
ଉଲ୍ଲେଖଯୋଗ୍ୟ, ଆବେଦନକାରୀଙ୍କ ମଧ୍ୟରେ ଥିବା ଓକିଲ ଜୁଲ୍ଫିକର ହାଇଦର, ପ୍ରଫେସର ଅଲ୍ଲୀ ଅହମ୍ମଦ, ଦୁଇଜଣ ବିଧବା ଏବଂ ଅନ୍ୟ ଜଣେ ବ୍ୟକ୍ତି ଆହ୍ଲାବାଦ ହାଇକୋର୍ଟରେ ପିଟିସନ ଖାରଜ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ ଦର୍ଶାଇଥିଲେ ଯେ ଅଧିକାରୀମାନେ ଶନିବାର ବିଳମ୍ବିତ ରାତିରେ ଘର ଭାଙ୍ଗିବା ନୋଟିସ ଜାରି କରିଥିଲେ ଏବଂ ଏହା ପରଦିନ ସେମାନଙ୍କ ଘରକୁ ଭାଙ୍ଗିଦିଆଯାଇଥିଲା । ଏଭଳି ସ୍ଥିତିରେ ଘରଭଙ୍ଗା ନୋଟିସକୁ ଚ୍ୟାଲେଞ୍ଜ କରିବା ପାଇଁ ସେମାନଙ୍କୁ ସୁଯୋଗ ମିଳି ନ ଥିଲା । ତା’ଛଡ଼ା ଭୂମିର ବୈଧ ପଟ୍ଟା ରହିଥିଲା । ଏହାକୁ ଫ୍ରିହୋଲ୍ଡ ସମ୍ପତ୍ତିରେ ପରିବର୍ତ୍ତନ ପାଇଁ ଆବେଦନ ହୋଇଥିଲା । ସେମାନଙ୍କ ଓକିଲଙ୍କ ମୁତାବକ, ରାଜ୍ୟ ସରକାର ଭୁଲ ଉପାୟରେ ଉକ୍ତ ଭୂମିକୁ ଗ୍ୟାଙ୍ଗ୍ଷ୍ଟର-ରାଜନେତା ଅତିକ ଅହମ୍ମଦଙ୍କ ସହ ଯୋଡ଼ାଯାଇଥିଲା । ୨୦୨୩ରେ ଅତିକଙ୍କୁ ହତ୍ୟା କରାଯାଇଥିଲା ।