ନୂଆଦିଲ୍ଲୀ,୦୭/୦୩: ବୁଲ୍‌ ଡୋଜର ଆକ୍ସନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି । କହିଛନ୍ତି, ଏଭଳି କାର୍ଯ୍ୟାନୁଷ୍ଠାନ  ଚକିତ କଲା ଭଳି । ଏହା ଭୁଲ ସଂକେତ ଦେଉଛି ।  ସମ୍ବିଧାନର ଧାରା ୨୧ କଥା ଚିନ୍ତା କରିବା ଆବଶ୍ୟକ ।  ବିଚାରପତି ଅଭୟ ଏସ୍‌ ଓକା ଏବଂ ଏନ୍‌ କୋଟିଶ୍ୱର  ରାଓଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି  କହିଛନ୍ତି, ବୁଲ୍‌ ଡୋଜର ଆକ୍ସନ ଦ୍ୱାରା ଭଙ୍ଗାଯାଉଥିବା  ଘରକୁ ସରକାର ଆଉଥରେ ନିର୍ମାଣ ପାଇଁ ନିର୍ଦ୍ଦେଶ  ଦେଇପାରିବେ କି? କିନ୍ତୁ ଏହା କରିବା ସରକାରଙ୍କ  ଦାୟିତ୍ୱ । ପ୍ରୟାଗରାଜରେ ଜଣେ ଓକିଲ, ଜଣେ ପ୍ରଫେସର  ଏବଂ ଅନ୍ୟ ତିନି ଜଣଙ୍କ ଘର ଭଙ୍ଗାଯିବାକୁ କେନ୍ଦ୍ର କରି  ଖଣ୍ଡପୀଠ ୟୁପି ସରକାରଙ୍କୁ ସମାଲୋଚନା କରିଛନ୍ତି ।  ଜଷ୍ଟିସ୍‌ ଓକା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି,  ଏବେ ଆମେ ଆପଣଙ୍କ ଖର୍ଚ୍ଚରେ ପୁନର୍ନିର୍ମାଣ ପାଇଁ ଆଦେଶ  ଦେବୁ । ଏଭଳି କରିବା ହିଁ ଏକମାତ୍ର ଉପାୟ । 

ଉଲ୍ଲେଖଯୋଗ୍ୟ, ଆବେଦନକାରୀଙ୍କ ମଧ୍ୟରେ  ଥିବା ଓକିଲ ଜୁଲ୍‌ଫିକର ହାଇଦର, ପ୍ରଫେସର ଅଲ୍ଲୀ  ଅହମ୍ମଦ, ଦୁଇଜଣ ବିଧବା ଏବଂ ଅନ୍ୟ ଜଣେ ବ୍ୟକ୍ତି  ଆହ୍ଲାବାଦ ହାଇକୋର୍ଟରେ ପିଟିସନ ଖାରଜ ହେବା  ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ  ଦର୍ଶାଇଥିଲେ ଯେ ଅଧିକାରୀମାନେ ଶନିବାର ବିଳମ୍ବିତ  ରାତିରେ ଘର ଭାଙ୍ଗିବା ନୋଟିସ ଜାରି କରିଥିଲେ ଏବଂ  ଏହା ପରଦିନ ସେମାନଙ୍କ ଘରକୁ ଭାଙ୍ଗିଦିଆଯାଇଥିଲା ।  ଏଭଳି ସ୍ଥିତିରେ ଘରଭଙ୍ଗା ନୋଟିସକୁ ଚ୍ୟାଲେଞ୍ଜ କରିବା  ପାଇଁ ସେମାନଙ୍କୁ ସୁଯୋଗ ମିଳି ନ ଥିଲା । ତା’ଛଡ଼ା ଭୂମିର  ବୈଧ ପଟ୍ଟା ରହିଥିଲା । ଏହାକୁ ଫ୍ରିହୋଲ୍ଡ ସମ୍ପତ୍ତିରେ  ପରିବର୍ତ୍ତନ ପାଇଁ ଆବେଦନ ହୋଇଥିଲା । ସେମାନଙ୍କ  ଓକିଲଙ୍କ ମୁତାବକ, ରାଜ୍ୟ ସରକାର ଭୁଲ ଉପାୟରେ ଉକ୍ତ  ଭୂମିକୁ ଗ୍ୟାଙ୍ଗ୍‌ଷ୍ଟର-ରାଜନେତା ଅତିକ ଅହମ୍ମଦଙ୍କ ସହ  ଯୋଡ଼ାଯାଇଥିଲା । ୨୦୨୩ରେ ଅତିକଙ୍କୁ ହତ୍ୟା କରାଯାଇଥିଲା ।