ନୂଆଦିଲ୍ଲୀ, ୧୭।୭: ଆଫ୍ରିକାରେ ହୀରା ବ୍ୟବସାୟୀ ଅପହରଣ ଘଟଣା । ଆଫ୍ରିକୀୟ ଦେଶ ମାଲିରେ ଦୀର୍ଘ ୩ ମାସ ଧରି ବନ୍ଧକ ଥିବା ସୁରଟର ପ୍ରସିଦ୍ଧ ହୀରା ବ୍ୟବସାୟୀ ଧୀରୁ ରମାଣୀ ଶେଷରେ ସୁରକ୍ଷିତ ଭାବେ ମୁକ୍ତ ହୋଇଛନ୍ତି । ଏକ ସଶସ୍ତ୍ର ଆତଙ୍କବାଦୀ ସଂଗଠନ କବଳରୁ ତାଙ୍କୁ ଉଦ୍ଧାର କରିବା ପାଇଁ ପରିବାର ପକ୍ଷରୁ ପ୍ରାୟ ୪୪ କୋଟି ଟଙ୍କା ଦିଆଯାଇଥିବା ଜଣାପଡ଼ିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଅପହରଣକାରୀମାନେ ୧୦୦ କୋଟି ଟଙ୍କା ଦାବି କରିଥିଲେ । କିନ୍ତୁ, ପରେ ୪୪ କୋଟିରେ ରାଜି ହୋଇଥିଲେ ।
କିଏ ଏହି ଧୀରୁ ରମାଣୀ ?
ଧୀରୁ ରମାଣୀ ହେଉଛନ୍ତି ଜଣେ ଅନ୍ତର୍ଜାତୀୟ ସ୍ତରର ପ୍ରତିଷ୍ଠିତ ଶିଳ୍ପପତି । ତାଙ୍କ ପରିବାର ଦୀର୍ଘ ବର୍ଷ ଧରି ଗୁଜରାଟର ସୁରଟରେ ହୀରା କାରବାର ସହ ଜଡ଼ିତ । ଆମେରିକାର ନ୍ୟୁୟର୍କ ସହରରେ ତାଙ୍କର ‘ରମାଣୀ ଏକ୍ସପୋର୍ଟସ୍’ ନାମକ କମ୍ପାନୀ ରହିଛି । ଏହା ସହିତ ସେଠାରେ ତାଙ୍କର ନିଜସ୍ୱ ଡାଇମଣ୍ଡ ଫ୍ୟାକ୍ଟ୍ରି ଏବଂ CBD Diamond & Jewelry ନାମକ ବିଶାଳ ଶୋ’ ରୁମ୍ ମଧ୍ୟ ରହିଛି । ଦେଶ ତଥା ବିଦେଶରେ ତାଙ୍କର ହୀରା ବ୍ୟବସାୟର ବଡ଼ ନେଟୱର୍କ ରହିଛି ଏବଂ ବିଶ୍ୱ ବଜାରରେ ସେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । କେବଳ ହୀରା ବ୍ୟବସାୟ ନୁହେଁ, ବରଂ ନିଜ ବ୍ୟବସାୟର ସମ୍ପ୍ରସାରଣ କରି ଧୀରୁ ରମାଣୀ କିଛି ବର୍ଷ ପୂର୍ବେ ପଶ୍ଚିମ ଆଫ୍ରିକୀୟ ଦେଶ ମାଲିର ସୁନା ଖଣି ପ୍ରୋଜେକ୍ଟରେ ବହୁ କୋଟି ଟଙ୍କା ନିବେଶ କରିଥିଲେ । ବିଗତ ଦୁଇ ବର୍ଷ ଧରି ସେ ସେଠାରେ ରହି ଏହି ସୁନା ଖଣିର ସଞ୍ଚାଳନ ଓ ତଦାରଖ କରୁଥିଲେ । ପ୍ରାୟ ତିନି ମାସ ପୂର୍ବେ ସେଠାରେ ସୁପରଭିଜନ କରୁଥିବା ସମୟରେ ହଠାତ୍ ସେ ନିଖୋଜ ହୋଇଯାଇଥିଲେ ।
ଏହା ବି ପଢ଼ନ୍ତୁ... J-20 vs AMCA: ଭାରତ ସୀମାରେ ଚୀନର ଘାତକ J-20 ଜେଟ୍, ଚିନ୍ତାରେ ବାୟୁସେନା !
ଅପହରଣ ସମୟରେ କେବଳ ଧୀରୁ ରମାଣୀ ନୁହନ୍ତି, ବରଂ ତାଙ୍କ ସହ କାମ କରୁଥିବା ତାଙ୍କର ରୋଷେଇଆ ଏବଂ ଜଣେ ଇଲେକ୍ଟ୍ରିସିଆନଙ୍କୁ ମଧ୍ୟ ଅପହରଣକାରୀମାନେ ବନ୍ଧକ ବନାଇଥିଲେ । ସ୍ଥାନୀୟ ଏକ ସଂଗଠିତ ଆତଙ୍କବାଦୀ ଗୋଷ୍ଠୀ ଏହି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଥିଲା । ଦୀର୍ଘ ଦୁଇ ମାସ ପର୍ଯ୍ୟନ୍ତ ଅପହରଣକାରୀମାନେ ରମାଣୀଙ୍କ ପରିବାର ସହ କୌଣସି ଯୋଗାଯୋଗ କରିନଥିଲେ । ଅପହରଣକାରୀମାନେ ୧୦୦ କୋଟିର ଦାବି କରାଯିବା ପରେ ପରିବାର ଲୋକେ ଧୀରୁ ରମାଣୀ ଜୀବିତ ଥିବାର ପ୍ରମାଣ ମାଗିଥିଲେ । ଏହାପରେ ଏକ ଭିଡିଓ କଲ୍ ଜରିଆରେ ତାଙ୍କର ସୁରକ୍ଷିତ ଥିବା କଥା ସ୍ପଷ୍ଟ କରାଯାଇଥିଲା । ସୂତ୍ର ଅନୁଯାୟୀ, ଅପହରଣକାରୀଙ୍କ ସହ ଦୀର୍ଘ ଦିନର ଆଲୋଚନା ପରେ ଶେଷରେ ପ୍ରାୟ ପ୍ରାୟ ୪୪ କୋଟି ଟଙ୍କା ଦେବା ପାଇଁ ସହମତି ପ୍ରକାଶ ପାଇଥିଲା । ଟଙ୍କା ପହଞ୍ଚିବା ପରେ ଧୀରୁ ରମାଣୀ ଓ ତାଙ୍କ ସହଯୋଗୀଙ୍କୁ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଛି । ମୁକ୍ତ ହେବା ପରେ ତାଙ୍କୁ ମାଲିର ରାଜଧାନୀ ବାମାକୋ ଅଣାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଏହି ସମ୍ପୂର୍ଣ୍ଣ ମାମଲାରେ ଭାରତ କିମ୍ବା ମାଲି ସରକାରଙ୍କ ତରଫରୁ କୌଣସି ଆଧିକାରିକ ବୟାନ ସାମ୍ନାକୁ ଆସିନାହିଁ । ପରିବାର ପକ୍ଷରୁ ନିଜସ୍ୱ ପ୍ରୟାସରେ ଏହି ଆଲୋଚନା କରାଯାଇ ତାଙ୍କୁ ମୁକ୍ତ କରାଯାଇଛି । ଏହି ଅପହରଣ ପଛରେ ‘ଅଲ୍-କାଏଦା’ ସହ ଜଡ଼ିତ ଏକ ସ୍ଥାନୀୟ ଚରମପନ୍ଥୀ ସଂଗଠନର ହାତ ଥିବା ଆଶଙ୍କା କରାଯାଉଛି ।