ପୁରୀ, ୧୭/୦୭: ପୁରୀ ପ୍ରବଳ ବର୍ଷା ଯୋଗୁଁ ଶ୍ରୀକ୍ଷେତ୍ରର ଅନ୍ୟତମ ପଞ୍ଚତୀର୍ଥ ଶ୍ୱେତଗଙ୍ଗାର ପାଚେରି ଭୁଶୁଡ଼ି ପଡ଼ିଛି । ପଶ୍ଚିମ ପାର୍ଶ୍ୱରେ ଥିବା ୨୫ ଫୁଟର ପାଚେରି ଗଳିପଡିଛି । ନିକଟରେ ଦୁଇ ଜଣ ନାବାଳକ ବୁଲୁଥିଲେ । ସେମାନେ ସେଠାରୁ ଦୂରେଇ ଯିବା ପରେ ହଠାତ୍ ପାଚେରି ଭୁଶୁଡ଼ିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

ସୂଚନା ଅନୁଯାୟୀ ଗୁରୁବାର ରାତି ପ୍ରାୟ ୮ଟା ୩୫ରେ ସମୟରେ ଶ୍ୱେତଗଙ୍ଗା ପୁଷ୍କରୀଣି ପାଚେରି ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି । ପାଚେରି ପଡ଼ିଯିବା ଦ୍ୱାରା ଶ୍ୱେତଗଙ୍ଗା ଅତି ପ୍ରାଚୀନ ନିର୍ମାଣର କିଛି ଅଂଶ ମଧ୍ୟ ଭାଙ୍ଗିଛି । ମାଟି ଓ ପଥର ଧସିଯାଇ ଶ୍ୱେତଗଙ୍ଗା ଜଳରେ ମିଶିଛି । ପାଚେରି ଭାଙ୍ଗିଯିବାରେ ସେପଟେ ଥିବା ବିଦ୍ୟୁତ୍ ସରାବରାହ ବାଧାପ୍ରାପ୍ତ ହୋଇଛି । ଫଳରେ ଶ୍ୱେତଗଙ୍ଗାର ପଶ୍ଚିମ ପାର୍ଶ୍ୱ ଅନ୍ଧାର ରହିଛି । ଏପରିକି ବିଦ୍ୟୁତ୍ ତାର ଖୋଲା ରହିଥିଲେ କରେଣ୍ଟ ମାରିବାର ଭୟ ରହୁଥିବା ମଧ୍ୟ କହିଛନ୍ତି ସ୍ଥାନୀୟ ଲୋକେ ।

 

ଲଗାଣ ବର୍ଷା ଯୋଗୁଁ ପାଣି ଭେଦି ପୁରୁଣା ପାଚେରି ଭାଙ୍ଗିଗଲା । ରଥ ଯାତ୍ରା ପାଇଁ ଶ୍ରୀମନ୍ଦିର ଅତି ନିକଟରେ ଥିବା ଶ୍ୱେତଗଙ୍ଗାକୁ ଯାତ୍ରୀଙ୍କ ସୁଅ ଛୁଟୁଛି । କିଏ କେଉଁପଟେ ପାଣି ଛିଞ୍ଚି ହେଉଛନ୍ତି କିମ୍ବା ସ୍ନାନ କରୁଛନ୍ତି ତାହାରି କୌଣସି ନିର୍ଦ୍ଦିଷ୍ଟତା ନାହିଁ । ଅବଶ୍ୟ ରଥ ଯାତ୍ରା ପାଇଁ ଆଗ୍ନିକମାନେ ସୁରକ୍ଷିତ ସ୍ନାନ ପାଇଁ ସେଠାରେ ମୁତୟନ ହୋଇଛନ୍ତି । ଦିନ ସମୟରେ ଦୁର୍ଘଟଣା ଘଟିଥିଲେ ସ୍ନାନ କରୁଥିବା ବ୍ୟକ୍ତି ପାଚେରି ତଳେ ପୋତି ହୋଇ ମରିଥାନ୍ତା । ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେଇ ଶ୍ୱେତଗଙ୍ଗାକୁ ସୁରକ୍ଷା ପ୍ରଦାନ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।