ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଜରିଆରେ ନୂଆ ହିତାଧିକାରୀ ଯୋଡ଼ିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏବେ ବି ଆବାସ ଯୋଜନାରୁ ବଞ୍ଚିତ ପରିବାରଙ୍କୁ ଏଥିରେ ଯୋଡ଼ିବାକୁ ଆରମ୍ଭ ହୋଇଛି ଆବାସ ପ୍ଲସ ୨ ସର୍ଭେ । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଉପସ୍ଥିତିରେ ଏହି ସର୍ଭେର ଶୁଭାରମ୍ଭ କରାଯାଇଛି । ତେବେ ଏହି ସର୍ଭେ ଆବାସ ପ୍ଲସ ମୋବାଇଲ ଆପ୍ ଜରିଆରେ ହେଉଛି । ଏହି ସର୍ଭେକୁ ହିତାଧିକାରୀ ବ୍ଲକ ଅଧିକାରୀଙ୍କ ଜରିଆରେ କିମ୍ବା ନିଜେ ମଧ୍ୟ କରିପାରିବେ । ନିର୍ଦ୍ଦିଷ୍ଟ ଗାଁ ଆଧାରରେ ଏହି ସର୍ଭେ ହେଉଥିବା ବେଳେ ଏହି ଯୋଜନାର କୋହଳ ନିୟମାବଳୀ ଏବଂ ଯୋଗ୍ୟତା ମାନଦଣ୍ଡ ଅନୁସାରେ ସବୁ କାର୍ଯ୍ୟ ସମ୍ପାଦନ କରାଯାଉଛି । ସର୍ଭେ ସମୟରେ ଇ-କେୱାଇସିକୁ ବାଧ୍ୟତାମୂଳକ କରାଯାଇଛି । ଏଥିରେ ହିତାଧିକାରୀଙ୍କ ଯୋଗ୍ୟତା ମାନଦଣ୍ଡକୁ କୋହଳ କରାଯାଇଛି । ଦୁଇ ଚକିଆ ଯାନ, ଫ୍ରିଜ୍ ଏବଂ ଲ୍ୟାଣ୍ଡ ଫୋନ୍ ଥିବା ପରିବାର ମଧ୍ୟ ଆବାସ ଯୋଜନାରେ ଲାଭ ପାଇପାରିବେ । ସେହିଭଳି ଆବାସ ଯୋଜନାରେ ଘର ପାଇବାକୁ ହେଲେ ପରିବାରର ମାସିକ ଆୟ ସୀମାକୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର ।
ସେହିଭଳି ସର୍ଭେ ସମୟରେ ପରିବାରର ବିଭିନ୍ନ ତଥ୍ୟ, ଆଧାର କାର୍ଡ, ଜବ୍ କାର୍ଡ, ବ୍ୟାଙ୍କ ପାସବୁକ, ମୋବାଇଲ ନମ୍ବର, ନାମ, ବୟସ, ଲିଙ୍ଗ, ପରିବାର ସଦସ୍ୟଙ୍କ ବୃତ୍ତି, ଘରର ବର୍ଗ ଏବଂ ରୁମ ସଂଖ୍ୟା ନିଆଯାଉଛି । ମୋବାଇଲ ଆପ୍ରେ ପ୍ରଦର୍ଶନ ହେଉଥିବା ଘରର ପ୍ରକାର ଭେଦକୁ ଚୟନ କରିବେ ହିତାଧକାରୀ । ଜମିର ରେକର୍ଡ ଷ୍ଟାଟସର ତଥ୍ୟ ସଂଗ୍ରହ ହେବ । ହିତାଧିକାରୀ ଯେଭଳି ନିଜେ ନିଜର ସର୍ଭେ ସହଜରେ କରିପାରିବେ ସେ ନେଇ ରାଜ୍ୟର ପ୍ରତି ପଞ୍ଚାୟତରେ ଗତ ମାସ ୨ରୁ ୪ ମଧ୍ୟରେ କର୍ମଶାଳା ଆୟୋଜନ କରାଯାଇ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏହି ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସାରା ରାଜ୍ୟରେ ୧୩,୯୪୨ ବ୍ଲକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
ରାଜ୍ୟରେ କଚ୍ଚା ଘରେ ରହୁଥିବା ସମସ୍ତ ଯୋଗ୍ୟ ପରିବାର ଗୁଡିକୁ ସର୍ଭେରେ ଚିହ୍ନଟ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ପଞ୍ଚାୟତି ରାଜ ମନ୍ତ୍ରୀଙ୍କ ଦିଗଦର୍ଶନରେ ଯୋଗ୍ୟ ପରିବାର ଗୁଡିକୁ ପକ୍କାଘର ଯୋଗାଣ ଦ୍ୱାରା ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଭାଗ ନିରନ୍ତର ଉଦ୍ୟମ ଜାରି ରଖିଥିବା କହିଛି । ୧୯୯୬ରୁ ୨୦୧୫ ଯାଏ ଇନ୍ଦିରା ଆବାସ ଯୋଜନାରେ କେବଳ ୨୦ ବର୍ଗ ମିଟର ବିଶିଷ୍ଟ ଗୋଟିଏ ଘର ତିଆରି କରାଯାଉଥିଲା । ଆଜବେଷ୍ଟସ ଏବଂ ଟିଣ ଛପର ଏଥିରେ ରହୁଥିଲା । କିନ୍ତୁ ପିଏମ୍ ଆବାସ ଗ୍ରାମୀଣରେ ୨୫ବର୍ଗ ମିଟର ଆର୍ସିସି ଛାତଘର ସହ ରୋଷେଇ ଘର, ବାରଣ୍ଡା, ଶୌଚାଳୟ ନିର୍ମାଣ କରାଯିବା ସହ ପିଇବା ପାଣି, ରନ୍ଧନ ଗ୍ୟାସ ଏବଂ ବିଜୁଳି ବତି ଭଳି ମୌଳିକ ସୁବିଧାକୁ ପ୍ରାଥମିକତା ଦିଆଯାଇଛି ।
ଇନ୍ଦିରା ଆବାସ ଯୋଜନାରେ ପଲ୍ଲିସଭା ଦ୍ୱାରା ହିତାଧିକାରୀ ଚୟନ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ସ୍ୱଚ୍ଛତା ଆଧାରରେ ହିତାଧିକାରୀ ଚୟନ କରାଯାଉଛି । ଏସ୍ଇସିସି ୨୦୧୧ ସର୍ଭେ ମୁତାବକ, କଚ୍ଚାଘରେ ରହୁଥିବା ପରିବାର ବର୍ଗଙ୍କ ଏକ ସ୍ଥାୟୀକ୍ରମ ତାଲିକା ପ୍ରସ୍ତୁତ କରାଯାଇଥିଲା । ସେହିଭଳି ତାଲିକା ଅନୁସାରେ ହିତାଧିକାରୀଙ୍କୁ ଘର ମଞ୍ଜୁର କରାଯାଉଥିଲା । ଏହି ସର୍ଭେ ଅନୁସାରେ ରାଜ୍ୟରେ ୧୮.୩୭ ଲକ୍ଷ ଯୋଗ୍ୟ ପରିବାରକୁ ଚିହ୍ନଟ କରାଯାଇ ୨୦୨୦-୨୧ ମଧ୍ୟରେ ଗୃହ ମଞ୍ଜୁର କରାଯାଇଛି । ବଳକା ରହିଥିବା ପରିବାର ଗୁଡିକୁ ଚିହ୍ନଟ କରିବା ଲାଗି କେନ୍ଦ୍ର ସରକାର ୨୦୧୮-୧୯ରେ ଆବାସ ପ୍ଲସ ସର୍ଭେ ଆରମ୍ଭ କରିଥିଲେ । ଏହି ସର୍ଭେରେ ୯.୯୨ ଲକ୍ଷ ଯୋଗ୍ୟ ପରିବାରକୁ ଚିହ୍ନଟ କରାଯାଇ ଗୃହ ମଞ୍ଜୁର କରାଯାଇଛି ।