ମନମୁଣ୍ଡା,୧/୧ : ବିବାହର ମାତ୍ର ୭ମାସ । ଦମ୍ପତ୍ତିଙ୍କ ହାତ ଓ ଗୋଡ଼ରୁ ମେହେନ୍ଦି ଓ ଅଳତା ଲିଭି ନାହିଁ। ଶଳା , ଶାଳୀ ଏବଂ ପତ୍ନୀ ସହ ପୁରୁଣା ବର୍ଷ ୨୦୨୫କୁ ବିଦାୟ ଉତ୍ସବ ମନାଇବାକୁ ଆସି ନିଜେ ବିଦାୟ ନେଇ ଯାଇଥିବା ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମନମୁଣ୍ଡା ଥାନା ଗୋହିପିଟା ନିକଟରେ।

ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଲକନି ଗ୍ରାମର ସୂର୍ଯ୍ୟନାରାୟଣ ଲୁହା (୩୦) ପ୍ରାୟ ୭ ମାସ ତଳେ ମନମୁଣ୍ଡା ଥାନା ଯୋଗିନ୍ଦ୍ରପୁର ଗ୍ରାମର ଅଚ୍ୟୁତ ଭୋଇନାଙ୍କ ଝିଅ ସୁଜ୍ଞାନିଙ୍କ ସହ ବିବାହ କରିଥିଲେ। ସୂର୍ଯ୍ୟନାରାୟଣ ୩୧ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ନିଜ ଗାଁରୁ ଏକ ବାଇକ ଯୋଗେ ଶ୍ବଶୁର ଘରକୁ ବାହାରିଥିଲେ। କିନ୍ତୁ ଗଲାବେଳେ ରାତ୍ର ପ୍ରାୟ ୮ଟା ୩୦ମିନିଟ ସମୟରେ ମନମୁଣ୍ଡା ଥାନା ଗୋହିପିଟା ସୋଲାର ପ୍ଲାଣ୍ଟ ନିକଟରେ ଦୁର୍ଘଟଣାର ଶିକାର ହୋଇ ଅଫେରା ରାଇଜକୁ ଚାଲିଗଲେ।

ପୁରୁଣା ବର୍ଷକୁ ବିଦାୟ ଦେବାକୁ ଯାଇ ନିଜେ ବିଦାୟ ନେଇଗଲେ। ଏହି ଦୁଃଖଦ ଘଟଣାରେ ମୃତକଙ୍କ ପତ୍ନୀ କାନ୍ଦି କାନ୍ଦି ଭାଙ୍ଗି ପଡ଼ିଥିବାବେଳେ ନିଜ ଗାଁ ଓ ଶ୍ବଶୁର ଘର ଗାଁରେ ଜଣାଶୁଣା ମହଲରେ ଶୋକର ଛାୟା ଖେଳିଯାଇଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ସୂର୍ଯ୍ୟଙ୍କ ଦେହାନ୍ତ ହୋଇଥିବା ତାଙ୍କ ବଡ଼ ଭାଇ ଆନନ୍ଦ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଶବକୁ ଜବତ କରିବା ସହ ମାମଲା ରୁଜୁ କରି ଆଜି ମନମୁଣ୍ଡା ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପୂର୍ବକ ଏହାର ତଦନ୍ତ ଚଳାଇଥିବା ଜାଣିବାକୁ ମିଳିଛି ।