ନୂଆଦିଲ୍ଲୀ,୨୭/୦୬:  ଭାରତୀୟ ଟି-ଟ୍ୱେଣ୍ଟି ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଜର୍ମାନୀର ମ୍ୟୁନିକ  ସ୍ଥିତ ଏକ ହସ୍ପିଟାଲ୍‌ରେ ସ୍ପୋର୍ଟ୍ସ ହାର୍ନିଆ  ଅସ୍ତ୍ରୋପଚାର କରାଇଛନ୍ତି । ସେ ସୋସିଆଲ୍‌ ମିଡିଆ ଇନ୍‌ଷ୍ଟାଗ୍ରାମ୍‌  ପୃଷ୍ଠାରେ ଏକ ଫଟୋ ଛାଡ଼ି ଏବିଷୟରେ ଜଣାଇଛନ୍ତି । 

ସେ ଲେଖିଛନ୍ତି, ମୁଁ ସ୍ପୋର୍ଟ୍ସ ହାର୍ନିଆ ଅସ୍ତ୍ରୋପଚାର କରାଇଛି । ଅସ୍ତ୍ରୋପଚାର ସଫଳ ହୋଇଛି । କ୍ରିକେଟ୍‌କୁ ମଇଦାନକୁ ଫେରିବାକୁ ଅପେକ୍ଷା କରିପାରୁନାହିଁ ।’ ସୂର୍ଯ୍ୟକୁମାର ଗତ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ  ସେ ୧୬ଟି ଇନିଂସ୍‌ ଖେଳି ୭୧୭ ରନ୍‌  ସଂଗ୍ରହ କରିଥିଲେ । ସେ ଟୁର୍ଣ୍ଣାମେଣ୍ଟରେ  ଦ୍ୱିତୀୟ ସର୍ବାଧିକ ସ୍କୋରର ରହିଥିଲେ ।  

ଗତ ଫେବ୍ରୁଆରୀ ମାସ ସେ ଇଂଲଣ୍ଡ  ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଖେଳିଥିଲେ ।  ଭାରତୀୟ ଦଳ ଆଗାମୀ ଅଗଷ୍ଟରେ  ବାଂଲାଦେଶ ଗସ୍ତରେ ୩ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳିବ । ସେତେବେଳକୁ  ସୂର୍ଯ୍ୟକୁମାର ଫିଟ୍‌ ହୋଇସାରିଥିବେ ଏବଂ ଦଳର ନେତୃତ୍ୱ ନେବେ ।