କାଠମାଣ୍ଡୁ,୧୨/୦୯: ହିଂସାଗ୍ରସ୍ତ ନେପାଳରେ ଅନ୍ତରୀଣ ପ୍ରଧାନମନ୍ତ୍ରୀଙ୍କ ନାମକୁ ନେଇ ସସପେନ୍ସ ଶେଷ ହୋଇଛି । ରାଜନୈତିକ ସଂଙ୍କଟର ଅନ୍ତ ହେବାକୁ ଯାଉଛି  ସୁଶୀଳା କାର୍କି ନେପାଳର ନୂଆ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବେ । ବାଚସ୍ପତି ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ସୁଶୀଳାଙ୍କ ନାମରେ ସହମତି ହୋଇଛନ୍ତି । ନିର୍ବାଚନ ନହେବା ପର୍ଯ୍ୟନ୍ତ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କୁ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତ୍ତି ହୋଇଛି । ଗୁରୁବାର ମଧ୍ୟରାତ୍ରିରେ ନେପାଳ ରାଷ୍ଟ୍ରପତି, ବାଚସ୍ପତି ଓ ସୁଶୀଳା କାର୍କିଙ୍କ ମଧ୍ୟରେ କାଠମାଣ୍ଡୁରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଅନ୍ତରୀଣ ସରକାର ଗଠନ ଉପରେ ସହମତି ହୋଇଛି । ଜେନ୍‌-ଜେଡର ଏକ ଗୋଷ୍ଠୀ ସେନାକୁ ଚେତାବନୀ ଦେଇଥିଲେ ଯେ, ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଘୋଷଣା କରନ୍ତୁ, ନଚେତ୍ ବିପର୍ଯ୍ୟୟ ଘଟିବ । ସୁଶୀଳା ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । କାମଚଳା ପ୍ରଧାନମନ୍ତ୍ରୀ ରେସ୍‌ରେ ସୁଶୀଳାଙ୍କ  ବ୍ୟତୀତ କାଠମାଣ୍ଡୁ ମେୟର ବାଲେନ୍‌ ଶାହ ଓ ଜେନ୍‌-ଜି ଇଞ୍ଜିନିୟର କୁଲମନ ଘିସିଙ୍ଗ ଥିଲେ ।

ନେପାର ପ୍ରଥମ ମହିଳା ପ୍ରଧାନ ବିଚାରପତି- ସୁଶୀଳା କାର୍କି ଗତ କିଛି ବର୍ଷ ଧରି ନେପାଳରେ ସରକାର ବିରୋଧୀ ପ୍ରତିବାଦର ଚେହେରା ହୋଇ ଆସିଛନ୍ତି । ପ୍ରଧାନ ବିଚାରପତି ଭାବରେ, ସେ ନେପାଳ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ଅନେକ ନିଷ୍ପତ୍ତି ନେଇଥିଲେ । ଏହି ପଦକ୍ଷେପ ଯୋଗୁଁ ସେ ନେପାଳର ଜେନେରାଲ ଜେଡଙ୍କ ମଧ୍ୟରେ ଲୋକପ୍ରିୟ ହୋଇଗଲେ । ୭୩ ବର୍ଷୀୟା ସୁଶୀଳା ଜୁନ୍ ୭, ୧୯୫୨ରେ ନେପାଳର ବିରାଟନଗରରେ ଜନ୍ମଗ୍ରହଣ କରିଥିଲା । ୧୧ ଜୁଲାଇ ୨୦୧୬ରେ ସେ ନେପାଳ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ । କାର୍କି ପ୍ରାୟ ୧ ବର୍ଷ ପାଇଁ ଏହି ପଦବୀରେ ରହିଥିଲେ । ଏହା ପରେ, ୩୦ ଏପ୍ରିଲ ୨୦୧୭ରେ ତାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା । ଏହା ପରେ, ତାଙ୍କୁ ମୁଖ୍ୟ ବିଚାରପତି ପଦରୁ ନିଲମ୍ବିତ କରାଯାଇଥିଲା ।

କାର୍କି ତାଙ୍କ ପିତାମାତାଙ୍କ ସାତ ସନ୍ତାନଙ୍କ ମଧ୍ୟରୁ ବଡ଼ । ୧୯୭୨ ମସିହାରେ ସେ ବିରାଟନଗରର ମହେନ୍ଦ୍ର ମୋରାଙ୍ଗ କ୍ୟାମ୍ପସରୁ ବିଏ ଡିଗ୍ରୀ ହାସଲ କରିଥିଲେ। ଏହା ପରେ, ୧୯୭୫ ମସିହାରେ, ସେ ଭାରତର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ୧୯୭୮ ମସିହାରେ, ସେ ନେପାଳର ତ୍ରିଭୁବନ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ଗୋଟିଏ ବର୍ଷ ପରେ, ସେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ । ନେପାଳରେ ରାଜନୈତିକ ସଂକଟ ଜାରି ରହିଥିବା ବେଳେ ଗୁରୁବାର ଏହାକୁ ନେଇ ଜେନ୍‌-ଜି ଭାଙ୍ଗି ଦୁଇଫାଳ ହୋଇଥିଲା । ଗୋଟିଏ ଗୋଷ୍ଠୀ ପୂର୍ବତନ ପ୍ରଧାନ ବିଚାରପତି ସୁଶୀଲା କାର୍କିଙ୍କୁ ନେତା ବାଛିଥିଲେ । ଆଉ ଏକ ଗୋଷ୍ଠୀ କାଠମାଣ୍ଡୁ ମେୟର ବାଲେନ୍‌ ଶାହଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ । କିନ୍ତୁ ଏବେ ଗୁରୁବାର ବିଳମ୍ବିତ ରାତିରେ ବାଚସ୍ପିତ ଓ ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲଙ୍କ ମଧ୍ୟରେ ସୁଶୀଳାଙ୍କ ନାମରେ ମୋହର ବାଜିଥିବା ରିପୋର୍ଟ ପ୍ରକାଶ ପାଇଛି ।

ନେପାଳରେ ୨୬ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ହିଂସା ଆରମ୍ଭ ହୋଇଥିଲା । ଜେନ୍‌-ଜି ଗୋଷ୍ଠୀ ଦେଶରେ ଆନ୍ଦୋଳନ କରିଥିଲେ । ପୋଡ଼ାଜଳା, ଭଙ୍ଗାରୁଜା କରିଥିଲେ । ସଂସଦରୁ ସୁପ୍ରିମକୋର୍ଟ ଜଳିଥିଲା । ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମା ଇସ୍ତଫା ଦେଇଥିଲେ । ନେପାଳ ହିଂସାରେ ମୃତ୍ୟୁସଂଖ୍ୟା ୫୧ରେ ପହଞ୍ଚିଛି । ୩୦୦ରୁ ଅଧିକ ଆହତ ହୋଇଛନ୍ତି । ସେନା ଦେଶକୁ କ୍ଷମତାରେ ନେବା ପରେ ଦେଶରେ ଧିରେ ଧିରେ ଶାନ୍ତି ଫେରୁଛି ।