ଧର୍ମଶାଳା ୧୪/୦୪: ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଗ୍ରାମରେ ଜଣେ ମହିଳାଙ୍କୁ ଶାଶୂଘର ଲୋକ ବାଡେଇ ବାଡେଇ ମାରି ଦେଇଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି। ଅଧିକ ଯୌତୁକ ଆଣିବା ଓ ବିବାହର ୪ ବର୍ଷ ପରେ ସନ୍ତାନ ନହେବା କାରଣରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଏତଲାରେ ତାଙ୍କ ମାଆ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଚହଟା ଗ୍ରାମର ମହମ୍ମଦ ସଗିର ଅହେମଦଙ୍କ ଝିଅ ଆର୍ଜୁ ନେଶାଁ(୨୫) ୨୦୧୯ରେ ନେଉଳପୁର ଗ୍ରାମର ଏନାମ ଖାଁଙ୍କ ପୁଅ ମହସିନ ଖାଁଙ୍କୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ସେତେବେଳେ ଯୌତୁକ ବାବଦକୁ ଦେଢ଼ଲକ୍ଷ ଟଙ୍କା ସମେତ ସମସ୍ତ ଆସବାବପତ୍ର ଦିଆଯାଇଥିଲା। କିନ୍ତୁ ଅଧିକ ଯୌତୁକ ଆଣିବା ପାଇଁ ତାଙ୍କୁ ବାରମ୍ବାର ଶାରୀରିକ ନିର୍ଯାତନା ଦିଆଯାଉଥଲା। ଏପରିକି ସନ୍ତାନ ନହେବା ନେଇ ଶ୍ୱଶୁର, ଶାଶୂ ଓ ନଣନ୍ଦ ମଧ୍ୟ ମାନସିକ ଯନ୍ତ୍ରଣା ଓ ନିର୍ଯାତନା ଦେଇଆସୁଥିଲେ ବୋଲି ତାଙ୍କ ମାଆ ସୋହାନା ବିବି ଏତଲାରେ ଦର୍ଶାଇଛନ୍ତି।
ଆର୍ଜୁ ଏନେଇ ବାରମ୍ବାର ମାଆଙ୍କୁ ଜଣାଇ ଆସୁଥିଲେ। ଗତକାଲି ତାଙ୍କୁ ଫୋନ ଯୋଗେ ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଓ ତାକୁ ଉଦ୍ଧାର କରି ମେଡିକାଲ ଆଣିଥିବା ଶାଶୂଘର ଲୋକ ଫୋନ ଯୋଗେ ତାଙ୍କ ବାପଘରକୁ ଜଣାଇଥିଲେ। ପରିବାର ଲୋକ ନେଉଳପୁର ଶାଶୂଘରେ ପହଞ୍ଚି ପାରିପାର୍ଶିକ ସ୍ଥିତିକୁ ଲକ୍ଷ୍ୟ କରି ଜାଣିବା ପରେ ତାଙ୍କ ଝିଅକୁ ଶାରୀରିକ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ନେଇ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ତେବେ ମୃତ ଦେହ ଶାଶୂ ଘରେ ସେମିତି ପଡିରହିଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି।