କୋଲକାତା,୦୭/୦୫; ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଥମିବା ନାଁ ଧରୁନାହିଁ । ନର୍ଥ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ମଧ୍ୟମଗ୍ରାମରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ବୁଧବାର ରାତିରେ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ଉପରେ ୪ ରାଉଣ୍ଡ ଗୁଳି ମାଡ଼ ହୋଇଥିଲା । ଘଟଣାରେ ଡ୍ରାଇଭର ସମେତ ଆଉ ୩ ଜଣ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ଟିଏମ୍ସି କାର୍ଯ୍ୟକର୍ତ୍ତାଙ୍କୁ ଦାୟୀ କରାଯାଇଛି । ପିଏ ହତ୍ୟାକୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଥମ ବୟାନ ଆସିଛି । ସେ କହିଛନ୍ତି, '' ଏହା ପ୍ରି-ପ୍ଲାନ ମର୍ଡର । ୧୫ ବର୍ଷର ମହାଜଙ୍ଗଲ ରାଜର ପରିଣାମ । ୨/୩ ଦିନ ରେକି କରିଥିଲେ, ସୁଯୋଗ ଦେଖି ହତ୍ୟା କରିଛନ୍ତି । ଗୁଣ୍ଡାମାନଙ୍କୁ ସଫା କରିବ ବିଜେପି । ''
ଶୁଭେନ୍ଦୁ ଅଧିକାରୀ ମଧ୍ୟ ତାଙ୍କ ପିଏଙ୍କ ହତ୍ୟା ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି, "ଏହା ଏକ ପୂର୍ବ ଯୋଜନାବଦ୍ଧ ହତ୍ୟା, ଏବଂ ଡିଜିପି ମଧ୍ୟ ସମାନ କଥା କହିଛନ୍ତି । ହତ୍ୟାକାଣ୍ଡ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଥିଲା, ଦୁଇରୁ ତିନି ଦିନ ରେକି କରାଯାଇଥିଲା । ପୁଲିସ ତଦନ୍ତ ଆରମ୍ଭ କରିଛି । ଆମେ ଏ ଘଟଣାରେ ଦୁଃଖିତ ଏବଂ ଘଟଣାକୁ ନିନ୍ଦା କରିବା ପାଇଁ ଶବ୍ଦ ନାହିଁ । ଦିଲ୍ଲୀରେ ଆମର ସମଗ୍ର ନେତୃତ୍ୱ ଏ ବିଷୟରେ ପଚାରି ବୁଝିଛନ୍ତି । କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ମୃତକଙ୍କ ପରିବାର ଏବଂ ପୁଲିସ ସହିତ କଥା ହୋଇଛନ୍ତି । ବିଭିନ୍ନ ନେତା ଏବଂ ନିର୍ବାଚିତ ବିଧାୟକ ନିଜ ନିଜ ନିର୍ବାଚନମଣ୍ଡଳୀରୁ ଏଠାକୁ ଆସିଛନ୍ତି । ପୁଲିସ କିଛି ପ୍ରମାଣ ପାଇଛି ଏବଂ ତଦନ୍ତ କରିବ । ଏହା ୧୫ ବର୍ଷର ଜଙ୍ଗଲ ରାଜର ପରିଣାମ । ବିଜେପି ଏଠାରେ ଗୁଣ୍ଡାମାନଙ୍କୁ ନିପାତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିବ। "
ଏହା ବି ପଢନ୍ତୁ...ପଶ୍ଚିମବଙ୍ଗରେ ହିଂସା: ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
ସୂଚନା ଅନୁସାରେ, ରାତି ପ୍ରାୟ ୧୧ଟା ୩୦ରେ ଚନ୍ଦ୍ରନାଥ ସ୍କର୍ପିଓ ଯୋଗେ ଘରକୁ ଫେରୁଥିଲେ । ଜେସୋର ରୋଡ୍ସ୍ଥିତ ଦେହାରିୟା ଅଞ୍ଚଳ ନିକଟରେ ଆତତାୟୀମାନେ ବାଇକ୍ରେ ଆସି ତାଙ୍କ ଗାଡ଼ିକୁ ଘେରିଯାଇଥିଲେ । କେହି କିଛି କହିବା ପୂର୍ବରୁ ସେମାନେ ଆଖିବୁଜା ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ଚନ୍ଦ୍ରନାଥଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିବାରୁ ସେ ଟଳିପଡ଼ିଥିଲେ । ତାଙ୍କୁ ତୁରନ୍ତ ନର୍ସିଂ ହୋମ୍ରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରି ନ ଥିଲେ । ଆହତ ୩ ଜଣଙ୍କ ଚିକିତ୍ସା ଜାରି ରହିଛି । ଖବର ପାଇ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ଅନେକ ବିଜେପି ନେତା ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ହସ୍ପିଟାଲ ଯାଇଥିଲେ । ପୁଲିସ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । ଏଥିସହ ଉକ୍ତ ଅଞ୍ଚଳରେ ପୁଲିସ ଓ କେନ୍ଦ୍ରୀୟ ବାହିନୀ ପକ୍ଷରୁ ନାକାବନ୍ଦୀ କରାଯାଇଛି । ଆକ୍ରମଣକାରୀଙ୍କୁ ଧରିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଟିଏମ୍ସିର ବିଭିନ୍ନ କର୍ମକର୍ତ୍ତାଙ୍କୁ ପଚରାଉଚରା କରୁଛି । ଏହାକୁ ମିଶାଇ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ହୋଇଛି ।