ଭୁବନେଶ୍ୱର,୧୩/୦୯: ଆସନ୍ତା ୧୭ ତାରିଖରୁ ସବୁ ସହରାଞ୍ଚଳରେ ‘ସ୍ୱଚ୍ଛୋତ୍ସବ’ ଆୟୋଜିତ ହେବ । ୧୫ ଦିନ ଧରି ଚାଲିବାକୁ ଥିବା ଏହି ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ସବୁ ସହରରେ ବ୍ୟାପକ ଓ ସକ୍ରିୟ ଭାବେ ପାଳିବାକୁ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି ।
ଏହି ଅଭିଯାନ ଅଧୀନରେ ୨୫ ତାରିଖରେ ‘ଏକ୍ ଦିନ, ଏକ ଘଣ୍ଟା, ଏକ ସାଥ୍' କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ଦେଶର ସମସ୍ତେ ସ୍ୱଚ୍ଛତା ପାଇଁ ଏକ ଘଣ୍ଟାର ଶ୍ରମଦାନ ଉତ୍ସର୍ଗ କରିବାକୁ ଆହ୍ୱାନ ଦିଆଯାଇଛି । ଅକ୍ଟୋବର ୨ ତାରିଖ ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ ଦେଶରେ ସ୍ୱଚ୍ଛ ଭାରତ ଦିବସ ପାଳନ ହେଉଛି । ଏହି ସ୍ୱଚ୍ଛୋତ୍ସବ ସେହି ଦିନ ଶେଷ ହେବ । ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସର୍ବସାଧାରଣ ସ୍ଥାନକୁ ସଫା ରଖିବା ସହ ବଜାର ଓ ଅଧିକ ଭିଡ଼ ସ୍ଥାନରେ ସ୍ୱଚ୍ଛତା ରକ୍ଷା କରିବାକୁ ଗୁରୁତ୍ୱ ଦିଆଯିବ ।
ଏଥିସହ ସଫେଇମିତ୍ରଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ଶିବିର, ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ହେବ । କ୍ଲିନ ଗ୍ରୀନ୍ ଉତ୍ସବ, ବର୍ଜ୍ୟବସ୍ତୁ ଅଲଗା କରିବା, ପର୍ବପର୍ବାଣି ଓ ସର୍ବସାଧାରଣ ସ୍ଥାନରେ ଶୂନ୍ୟ-ବର୍ଜ୍ୟ ଉତ୍ସବ ବା କୌଣସି ଆବର୍ଜନା ଯେଭଳି ଗଦା ନ ହେବ ସେଥିପାଇଁ ପଦକ୍ଷେପ ନିଆଯିବ ।
ବର୍ଜ୍ୟରୁ କଳା( ୱେଷ୍ଟ ଟୁ ଆର୍ଟ) ପଦକ୍ଷେପ, ସ୍ୱଚ୍ଛ ପଥ ଖାଦ୍ୟ ଅଭିଯାନ(କ୍ଲିନ୍ ଷ୍ଟ୍ରିଟ୍ ଫୁଡ୍ ଡ୍ରାଇଭ୍) ଓ ଆର୍ଆରଆର୍ (ଅଳିଆ ହ୍ରାସ, ପୁନଃବ୍ୟବହାର, ପୁନଃଚକ୍ରଣ)କୁ ପ୍ରୋତ୍ସାହନ ଦିଆଯିବ । ସମସ୍ତ ପୌରାଞ୍ଚଳ ଆବାସିକ ଉନ୍ନୟନ ସଂଘ, ସ୍ୱୟଂ ସହାୟକ ଗୋଷ୍ଠୀ, ଗୋଷ୍ଠୀ ଭିତ୍ତିକ ସଂଘ, ବଜାର ସଂଘ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଓ ଯୁବ ସ୍ୱେଚ୍ଛାସେବୀଙ୍କୁ ଅଧିକ ସଂଖ୍ୟାରେ ଏହି ଅଭିଯାନରେ ସାମିଲ କରିବାକୁ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି ।
ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି, ସ୍ୱଚ୍ଛତା ହିଁ ସେବା କେବଳ ଏକ ଅଭିଯାନ ନୁହେଁ,ଏହା ଲୋକଙ୍କ ଦାୟିତ୍ୱର ପର୍ବ । ଏହି ୧୫ ଦିନକୁ ସ୍ୱଚ୍ଛତାର ଉତ୍ସବରେ ପରିଣତ କରି ସହରକୁ ସୁସ୍ଥ, ସବୁଜ ଓ ସ୍ଥାୟୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।