ନୂଆଦିଲ୍ଲୀ ୨୭/୦୬: ସ୍ୱିଡେନ୍‌ର ଜଳବାୟୁ ମନ୍ତ୍ରୀ ରୋମିନା ପୋରମୋଖତାରି ନିଜର ୩ ମାସର ପୁଅକୁ ନେଇ ୟୁରୋପୀୟ ସଂଘର ଜଳବାୟୁ ମନ୍ତ୍ରୀଙ୍କ ବୈଠକରେ ପହଞ୍ଚିଲେ । ଲକ୍‌ଜମବର୍ଗରେ ଗତ ଗୁରୁବାର ଅନୁଷ୍ଠିତ ଏହି ବୈଠକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ରୋମିନା ପୁଅ ଆଡାମ୍‌ଙ୍କୁ କୋଳରେ ଧରି ବୈଠକରେ ଯୋଗ ଦେଲେ ଏବଂ ଭାଷଣ ଦେଲେ । ଏହି ସମୟରେ ସେ ଶିଶୁକୁ ଶାନ୍ତ କରାଇବା ସହ ବୈଠକରେ ନିଜ ପକ୍ଷ ମଧ୍ୟ ରଖିଲେ ।

ବୈଠକ ପରେ ରୋମିନା ଏକ ଗଣମାଧ୍ୟମକୁ କହିଲେ, ମୁଁ ଜାଣି ଜାଣି ଏପରି କଲି, ଯାହା ଦ୍ୱାରା ବାର୍ତ୍ତା ଯିବ ଯେ ମହିଳାଙ୍କୁ କ୍ୟାରିଅର ଓ ପରିବାର ମଧ୍ୟରୁ କୌଣସି ଗୋଟିଏକୁ ଚୟନ କରିବା ପାଇଁ ବାଧ୍ୟ ହେବା ଆବଶ୍ୟକ ନାହିଁ । ମା’ ହେବାର ଅର୍ଥ ନୁହେଁ ଯେ ଜଣେ ମହିଳାଙ୍କ କାମ ଅଟକିଗଲା । ସୋସିଆଲ ମିଡିଆରେ ଲୋକେ ସ୍ୱିଡେନ୍ ମନ୍ତ୍ରୀଙ୍କର ଏହି ପ୍ରୟାସକୁ ପ୍ରଶଂସା କରୁଛନ୍ତି । ଲୋକେ ଏହାକୁ କର୍ମଜୀବୀ ମହିଳାଙ୍କ ପାଇଁ ପ୍ରେରଣାଦାୟକ ବୋଲି କହିଛନ୍ତି । ମା’ ହେବା ପରେ ମଧ୍ୟ ମହିଳା ପରିବାର ଓ କ୍ୟାରିଅର୍ ଉଭୟର ଦାୟିତ୍ୱ ଏକତ୍ର ନିର୍ବାହ କରିପାରନ୍ତି । ବୈଠକ ପୂର୍ବରୁ ରୋମିନା ସାମ୍ବାଦିକଙ୍କୁ କହିଥିଲେ, ମା’ ହେବା ପରେ ବି ମହିଳା ସାର୍ବଜନୀନ ଜୀବନ ଓ ଚାକିରିରେ ସକ୍ରିୟ ରହିପାରିବେ ।

ଆହୁରି ପଢ଼ନ୍ତୁ...ପ୍ରବଳ ଗରମ ଯୋଗୁଁ ଛୋଟ ପୋଷାକ ପିନ୍ଧି ଥିଲେ, ମହିଳାଙ୍କୁ ବିମାନରେ ଚଢ଼ିବାକୁ ଅଟକାଇଲେ ଏୟାର ହୋଷ୍ଟେସ