ମୁମ୍ବାଇ ୦୧/୦୧: ମୁମ୍ବାଇର ଏକ ସରକାରୀ ହସ୍ପିଟାଲରେ ଜଣେ ଝାଡୁଦାର ଜଣେ ମହିଳା ରୋଗୀଙ୍କର ଇସିଜି କରିଥିବା ଅଭିଯୋଗ ହୋଇଛି । ଘଟଣାଟି ଗତ ୨୮ ତାରିଖ ଗୋବନ୍ଦି ସ୍ଥିତ ବୃହନ୍ମୁମ୍ବାଇ ମ୍ୟୁନିସିପାଲ  କର୍ପୋରେସନ୍‌ ଦ୍ୱାରା ପରିଚାଳିତ ଶତାବ୍ଦୀ ହସ୍ପିଟାଲରେ ଘଟିଥିଲା । ପୂର୍ବତନ କର୍ପୋରେଟର ରୁକ୍‌ସାନା ସିଦ୍ଦିକି ଝାଡୁଦାରଙ୍କୁ ଗାଳି କରୁଥିବାର ଭିଡିଓ ଭାଇରାଲ ହେଉଛି । 

ଇସିଜି କରୁଥିବା ବ୍ୟକ୍ତିଙ୍କୁ ସିଦ୍ଦିକି ପଚାରିଲେ, ତୁମ ପୋଷ୍ଟ୍‌ କ’ଣ । ଝାଡୁଦାର ବୋଲି ସେ ଉତ୍ତର ଦେଲେ । ସିଦ୍ଦିକି ପୁଣି ପଚାରିଲେ, ତୁମ କାମ କ’ଣ?  ତୁମ ନାଁ କ’ଣ? ପ୍ରତିକ୍ରିୟାରେ ଝାଡୁଦାର କହିଲେ, ହସ୍ପିଟାଲ ସଫା କରିବା ମୋ କାମ । ମୋ ନାଁ ମୁକେଶ । ଏହା ଶୁଣି ସିଦ୍ଦିକି ପଚାରିଲେ  ‘ସଫେଇ କର୍ମଚାରୀ ଇସିଜି କରିବେ? ଏହା କ’ଣ? ତୁମର କି ଜ୍ଞାନ ଅଛି ଯେ ତୁମେ ଜଣେ ମହିଳା ରୋଗୀଙ୍କର ଇସିଜି କରିବ?’ ଏହା  ପରେ ସିଦ୍ଦିକି କହିଲେ ଯେ ଝାଡୁଦାର ମହିଳାଙ୍କୁ ଜଣାଇବା ଉଚିତ୍‌ ଥିଲା  ଯେ ଏହା ତାଙ୍କ କାମ ନୁହେଁ । ଏପରି କରି ଅତିରିକ୍ତ ଟଙ୍କା ପାଉଛନ୍ତି କି ବୋଲି ରୁକ୍‌ସାନା ମୁକେଶଙ୍କୁ ପଚାରିଲେ । ମୁକେଶ ମନା କଲେ । 

ଭିଡିଓର  ସତ୍ୟତା ବିଷୟରେ ସ୍ପଷ୍ଟ କରି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ଗତ କିଛି  ବର୍ଷ ହେଲା ଏହା ଚାଲିଛି । ହସ୍ପିଟାଲରେ ନୂଆ ନିଯୁକ୍ତି ହୋଇନାହିଁ । ଅଧିକ  ଇସିଜି ଟେକ୍ନିସିଆନ୍‌ଙ୍କୁ ନିଯୁକ୍ତି ଦେବାକୁ ସେମାନେ ବିଏମ୍‌ସିକୁ ଅନେକ ଥର  ଅନୁରୋଧ କରିଥିବା ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତର ଖବରସଂସ୍ଥାକୁ କହିଛନ୍ତି ।  ଡାକ୍ତର ଆହୁରି କହିଛନ୍ତି, ବର୍ତ୍ତମାନ ଟେକ୍ନୋଲୋଜି ଏତେ ଉନ୍ନତ ଯେ କମ୍‌ ତାଲିମ ନେଇ ଯେ କେହି ଏହାକୁ ବ୍ୟବହାର କରିପାରିବ । ତେଣୁ ଆମ ପାଖରେ ଥିବା କର୍ମଚାରୀଙ୍କୁ ନେଇ ଆମେ କାମ କରୁଛୁ ।