ମୁମ୍ୱାଇ : ୧୯୯୯ ମସିହାରେ ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ଫିଲ୍ମ 'ହମ୍ ଦିଲ୍ ଦେ ଚୁକେ ସନମ୍' ମୁକ୍ତିଲାଭ କରିଥିଲା । ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର କାହାଣୀ ଥିଲା ଏକ ତ୍ରିକୋଣ ପ୍ରେମ ଏବଂ ଦୁଇ ପ୍ରେମୀଙ୍କ ହୃଦୟ ଭାଙ୍ଗିବାର ବ୍ୟଥା। ଏହାର ଶେଷ ଭାଗ ଦର୍ଶକଙ୍କୁ ଯେତିକି ହସାଇ ଥିଲା, ସେତିକି କନ୍ଦାଇଥିଲା ମଧ୍ୟ। କିନ୍ତୁ ଏହି ସିନେମାଟି ଏତେ ଖାସ୍ ହୋଇ ପାରି ନଥାନ୍ତା, ଯଦି ଏହାର ଗୀତରେ ସେହି ଯନ୍ତ୍ରଣା ଏବଂ ଖୁସିର ଛାପ ନଥାନ୍ତା। ଏହି ଫିଲ୍ମର ଏମିତି ଏକ ଗୀତ ଅଛି, ଯାହାର ସବୁଠାରୁ ସୁନ୍ଦର ଅଂଶଟି ଭୋର୍ ୪ଟା ସମୟରେ ରେକର୍ଡ କରାଯାଇ ଥିଲା।
ସଞ୍ଜୟ ଲୀଲା ଭଂସାଲୀ ଏହି ଫିଲ୍ମ ପାଇଁ ବାୟୋଲିନ୍ ବାଦକ ଇସମାଇଲ୍ ଦରବାରଙ୍କୁ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସୁଯୋଗ ଦେଇ ଥିଲେ। ମ୍ୟୁଜିକ୍ କମ୍ପୋଜର୍ ଭାବେ ଏହା ତାଙ୍କର ପ୍ରଥମ ଫିଲ୍ମ ଥିଲା। ସେ ଏଥିପାଇଁ ୧୧ଟି ଚମତ୍କାର ଗୀତ ପ୍ରସ୍ତୁତ କରି ଥିଲେ, ଯେଉଁଥିରେ ‘ଚାନ୍ଦ ଛୁପା ବାଦଲ ମେ’, ‘ନିମ୍ବୁଡ଼ା’, ‘ଆଖୋଁ କି ଗୁସ୍ତାଖିୟାଁ’ ଏବଂ ଶୀର୍ଷକ ସଙ୍ଗୀତ ‘ହମ୍ ଦିଲ୍ ଦେ ଚୁକେ ସନମ୍’ ଭଳି ସୁପରହିଟ୍ ଗୀତ ସାମିଲ ଥିଲା। ଏହି ତାଲିକାରେ କେକେ ଗାଇଥିବା 'ତଡ଼ପ ତଡ଼ପ କେ ଇସ ଦିଲ୍ ସେ' ଗୀତଟି ସବୁଠୁ ଅଲଗା ଥିଲା।
ଅଧାରେ ଅଟକି ଯାଇଥିଲା ରେକର୍ଡିଂ
ଫିଲ୍ମରେ ଯେତେବେଳେ ସଲମାନ ଖାନଙ୍କ ହୃଦୟ ଭାଙ୍ଗେ, ସେତେବେଳେ ବ୍ୟାକଗ୍ରାଉଣ୍ଡରେ ଏହି ଗୀତଟି ବାଜିଥାଏ । ରାତି ପ୍ରାୟ ୧ଟା ବେଳେ ଗୀତର ୫୦ ପ୍ରତିଶତ ରେକର୍ଡିଂ ଶେଷ ହୋଇଥିଲା, କିନ୍ତୁ ହଠାତ୍ ଷ୍ଟୁଡିଓରେ ସର୍ଟ ସର୍କିଟ୍ ଯୋଗୁଁ କାମ ବନ୍ଦ କରିବାକୁ ପଡ଼ିଥିଲା। ଗାୟକ କେକେଙ୍କୁ ବ୍ରେକ୍ ମିଳିଲା ଏବଂ ସେ ଷ୍ଟୁଡିଓର ଏକ କୋଣରେ ଶୋଇ ପଡ଼ିଲେ। ଭୋର୍ ୪ଟା ବେଳେ ତାଙ୍କ ନିଦ ଭାଙ୍ଗିଲା। ଗୀତର ବାକି ଅଂଶଟି ବହୁତ ହାଇ-ପିଚ୍ ଥିଲା, ତେଣୁ ଇସମାଇଲ୍ ଦରବାର କହିଲେ ଯେ , ଆଜି ଏତିକି ଥାଉ, ବାକିଟା କାଲି ରେକର୍ଡ କରିବା। କାରଣ ଶୋଇକି ଉଠିବା ପରେ ସଙ୍ଗେ ସଙ୍ଗେ ହାଇ-ପିଚ୍ ଗୀତ ଗାଇବା ଜଣେ ସିଙ୍ଗରଙ୍କ ପାଇଁ କଷ୍ଟକର ହୋଇଥାଏ।
ଆହୁରି ମଧ୍ୟ ପଢନ୍ତୁ : ସମୀରଙ୍କ ଲେଖା ଏହି ଗୀତର ଗୋଟିଏ ଧାଡ଼ି ଗୀତିକାର ଆନନ୍ଦ ବକ୍ସିଙ୍କ ମନକୁ ଛୁଇଁଥିଲା , ରାତି ଅଧରେ କରି ଥିଲେ ଫୋନ୍
କେକେ ନିଜ ଚା’ କପ୍ ଧରି ଛାତ ଉପରକୁ ଚାଲି ଗଲେ । ସେଠାରୁ ସେ ଶାନ୍ତ ମୁମ୍ବାଇ ଏବଂ ଆକାଶକୁ ଦେଖିଲେ। ଏକ ଅଜବ ଶାନ୍ତି ତାଙ୍କ ମନକୁ ଛୁଇଁଗଲା। ସେ ସଙ୍ଗେ ସଙ୍ଗେ ତଳକୁ ଆସି ଘରକୁ ଯାଉଥିବା ଇସମାଇଲ୍ ଦରବାରଙ୍କୁ ଅଟକାଇ ଆଉ ଏକ ‘ଟେକ୍’ ନେବାକୁ ଜିଦ୍ କଲେ। ପ୍ରଥମେ ମନା କରୁଥିଲେ ବି ପରେ ଇସମାଇଲ୍ ରାଜି ହେଲେ।
ଭୋର୍ ୪ଟାରେ କେକେ ସେହି ଉଚ୍ଚ ସ୍ୱରରେ ଗାଇଲେ- "ଅଗର ମିଲେ ଖୁଦା ତୋ, ପୁଛୁଙ୍ଗା ଖୁଦା ସେ, ଜିସ୍ମ ମୁଝେ ଦେକେ ମିଟ୍ଟିକା, ଶିଶେ କା ଦିଲ୍ କ୍ୟୁଁ ବନାୟା..."। ଆଜି ବି ଏହି ଧାଡ଼ି ଶୁଣିଲେ ଶ୍ରୋତାଙ୍କ ଆଖି ଓଦା ହୋଇଯାଏ। ସଲମାନଙ୍କ ଅଭିନୟ ଏବଂ କେକେଙ୍କ ସେହି ଦୁଃଖ ଭରା ସ୍ୱର ଏହି ଗୀତକୁ ସବୁଦିନ ପାଇଁ ଅମର କରି ଦେଲା।