ମୁମ୍ବାଇ,୧୧/୦୪: ଭାରତ ପ୍ରତ୍ୟର୍ପଣ କରିଛି ୨୬/୧୧ ମାଷ୍ଟରମାଇଣ୍ଡ ତହବୁର ରାଣା । କୋର୍ଟରେ ହାଜର ପରେ ରାଣାକୁ ୧୮ ଦିନିଆ ରିମାଣ୍ଡରେ ନେଇଛି ଏନଆଇଏ । ଭୟଙ୍କର ମୁମ୍ବାଇ ଆତଙ୍କୀ ଆକ୍ରମଣର ଷଡ଼ଯନ୍ତ୍ରକାରୀ ତହବୁରକୁ ଫାଶୀ ଦେବାକୁ ଦାବି ହେଉଛି । ଏହାରି ଭିତରେ ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାୱତ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ତୁରନ୍ତ ଫାଶୀ ଦିଆଯାଉ- ତହବୁର ରାଣାର ପ୍ରତ୍ୟର୍ପଣ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଶିବସେନା ସାଂସଦ ସଞ୍ଜୟ ରାୱତ୍ କହିଛନ୍ତି,''୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣର ଷଡ଼ଯନ୍ତ୍ରକାରୀ ଏବଂ ଅଭିଯୁକ୍ତ ତହବୁର ରାଣାକୁ ତୁରନ୍ତ ଫାଶୀ ଦିଆଯିବା ଦରକାର । ମାତ୍ର ଏମିତି ହେବ ନାହିଁ । ବିହାର ନିର୍ବାଚନ ଭିତରେ (ଚଳିତବର୍ଷ ଶେଷ ଆଡକୁ ନିର୍ବାଚନ ହେବ) କେନ୍ଦ୍ର ସରକାର ଏହା କରିବେ । ତହବୁରକୁ ଫାଶୀ ଦେବେ । ରାଣାକୁ ଭାରତ ଆଣିବାକୁ ୧୬ ବର୍ଷ ହେବ ଲଢ଼େଇ ଚାଲିଥିଲା । ଏହା କଂଗ୍ରେସ ଶାସନ ସମୟରୁ ଆରମ୍ଭ ହୋଇଥିଲା । ତେଣୁ ରାଣା ଭାରତ ଫେରିବାର ଶ୍ରେୟ କାହାକୁ ନେବା କଥା ଉଚିତ୍ ନୁହେଁ । ''

ସେ ଆହୁରି କହିଛନ୍ତି, ''ତହବୁର ରାଣା ଭାରତ ଫେରିଥିବା ପ୍ରଥମ ଆତଙ୍କୀ ନୁହେଁ । ଏହା ପୂର୍ବରୁ ୧୯୯୩ର ସିରିଏଲ ବ୍ଲାଷ୍ଟର ଅଭିଯୁକ୍ତ ଅବୁ ସଲେମ୍‌କୁ ଭାରତ ପ୍ରତ୍ୟର୍ପଣ କରାଯାଇଥିଲା । ପଳାତକ ନୀରବ ମୋଦି ଏବଂ ମେହୁଲ ଚୌକସିକୁ ମଧ୍ୟ ଭାରତ ପ୍ରତ୍ୟର୍ପଣ କରାଯାଉ ।''

କହି ରଖୁଛି କି, ୨୬/୧୧ ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଗୁରୁବାର ଭାରତ ପ୍ରତ୍ୟର୍ପଣ କରାଯାଇଛି । ଆମେରିକୀୟ ଗଲ୍ଫଷ୍ଟ୍ରିମ୍‌ ଜି୫୫୦ ବିମାନ ତହବୁରକୁ ଭାରତ ଅଣାଯାଇଛି । ପଟିଆଲା ହାଉସ୍‌ କୋର୍ଟରେ ହାଜର କରାଯିବା ପରେ ୧୮ ଦିନିଆ ରିମାଣ୍ଡରେ ନେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା । ତହବୁରର ପ୍ରତ୍ୟର୍ପଣ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟର୍ପଣର ଶ୍ରେୟ ନେଉଥିବା କଂଗ୍ରେସ କହିଥିଲା । ଆତଙ୍କବାଦୀ ବିରୋଧରେ କଂଗ୍ରେସ ନୀରବ ବୋଲି ଜବାବ୍‌ରେ ବିଜେପି କହିଥିଲା ।