ବାରିପଦା, ୧୬/୧୨ : ମୟୂରଭଞ୍ଜ ଡାକମଣ୍ଡଳ ଅଧିନସ୍ଥ ମହାରାଜା ଶ୍ରୀରାମ ଚ଼ନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ଅବସ୍ଥିତ ତଖତପୁର ଉପ-ଡ଼ାକଘରକୁ ରାଜ୍ୟର ପ୍ରଥମ "ଜେନ୍ ଜେଡ୍" ଡାକଘର ରୂପେ ଓଡ଼ିଶା ଡାକ ପରିମଣ୍ଡଳର ମୂଖ୍ୟ ମହାଡ଼ାକପାଳ ନିର୍ମଳଜୀତ୍ ସିଂ ମଙ୍ଗଳବାର ଉଦଘାଟନ କରିଛନ୍ତି । ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ ଭାରତ ସରକାର ଡାକଘରର ଆଧୁନିକକରଣ କରିବା ସହ ଯୁବପିଢିଙ୍କ ବିଚାର ଓ ଛାତ୍ର ଅନୁକୂଳ ପରିବେଶ ଡାକ ଘରରେ ସୃଷ୍ଟି କରିବାକୁ ପ୍ରୟାସ କରାଯାଇଛି l ତଖତପୁରସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପରିସର ମଧ୍ୟରେ ଅବସ୍ଥିତ ଏହି ଉପ-ଡାକଘର ମୟୂରଭଞ୍ଜ ଜିଲ୍ଲାର ସଂସ୍କୃତି, ଐତିହ୍ୟ, ଛଉ, ଝୁମର, ଟେରାକୋଟା, ସବାଇ ଘାସ ସହ ଆଧୁନିକତା ଓ ଶୈକ୍ଷିକ ଆଧାରିତ ବିଭିନ୍ନ ବିଷୟକୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୁନ୍ଦର ଭାବରେ ଡାକଘର କାନ୍ଥରେ ପ୍ରତିଫଳନ କରିଛନ୍ତି l

ସମସ୍ତଙ୍କ ପାଇଁ ଡାକ ଘର ପରିସରକୁ ମାଗଣା ୱାଇ-ଫାଇ ଜୋନରେ ପରିଣତ କରିବା ସହିତ ବିଭିନ୍ନ ଅତ୍ୟାଧୁନିକ ସୁବିଧାସୁଯୋଗ ଯଥା କ୍ୟୁଆର କୋଡ୍ ମାଧ୍ୟମରେ ପାର୍ସଲ୍ ବୁକିଙ୍ଗ୍ ଓ ସ୍ପିଡ୍ ପୋଷ୍ଟ କରିବାର ବ୍ୟବସ୍ଥା କରାଯାଇଛି । ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଡାକ ଘରେ ଚା’କଫିର ବ୍ୟବସ୍ଥା ସହ ଖବରକାଗଜ ଓ ମାଗାଜିନ ଉପଲବ୍ଧ ରହିଛି l ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥି ଯୋଗଦେଇ ଡାକ ବିଭାଗର ଏତାଦୃତ ଆଧୁନିକ ଜେନ୍ ଜେଡ୍ ବିଷୟ ଆଧାରିତ ଡାକଘର ରୂପାନ୍ତିକରଣର ପ୍ରଶଂସା କରିବା ସହ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ତଖତପୁର ଉପ ଡାକଘରଟି ରାଜ୍ୟର ପ୍ରଥମ 'ଜେନ ଜେଡ' ଡାକଘର ରୂପେ ଘୋଷିତ ହୋଇଥିବାରୁ ମୁଖ୍ୟ ମହା ଡାକପାଳଙ୍କୁ ସହୃଦୟ ଧନ୍ୟବାଦ ଜଣେଇଥିଲେ l ଏହି ଉପ ଡାକଘରକୁ ଏକ ଆଧୁନିକ ଓ କଳାତ୍ମକ ରୂପରେଖ ଦେଇଥିବା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପୁରସ୍କୃତ କରିଥିଲେ l

ମୟୂରଭଞ୍ଜ ଡାକ ମଣ୍ଡଳର ଅଧିକ୍ଷକ ଭାଗ୍ୟଧର ଦାସ, ଉପ- ଅଧିକ୍ଷକ ପ୍ରଣବ କୁମାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଡାକମଣ୍ଡଳର ସମସ୍ତ ଉପମଣ୍ଡଳ ଅଧିକାରୀ, ଡାକମଣ୍ଡଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l