ଅନୁଗୋଳ,୨୫/୧୨: ତାଳଚେର ଡବଲ ମର୍ଡର କେସ୍ ଘଟଣା। ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଏଥିସହ ସେମାନଙ୍କ ଠାରୁ ଗୋଟିଏ ୧୨ ବୋର ଡବଲ-ବ୍ୟାରେଲ ବନ୍ଧୁକ ଏବଂ ଗୋଟିଏ ଖାଲି କାର୍ଟ୍ରିଜ ଜବତ ହୋଇଛି। ତେବେ ଏହି ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ୧୨ରୁ ୧୩ ଜଣଙ୍କର ଏକ ଗୋଷ୍ଠୀ ଗ୍ରୋଟାମ ଇନଫ୍ରାଷ୍ଟକ୍ଚର ଲିମିଟେଡର ଷ୍ଟକୟାର୍ଡରେ ଚୋରି କରିବାକୁ ଚେଷ୍ଟା କରିଥିଲେ। ଯେଉଁଠାରେ ବୈଦ୍ୟୁତିକ ଟାୱାର ସାମଗ୍ରୀ ଥିଲା।
ସୂଚନା ମୁତାବକ, ଗତ ୨୩ ତାରିଖ ବିଳମ୍ୱିତ ରାତ୍ରିରେ ଏହି ଗୋଷ୍ଠୀ ଷ୍ଟକୟାର୍ଡ ଭିତରକୁ ପ୍ରବେଶ କରୁଥିଲେ। ସେହି ସମୟରେ ସେହି ଷ୍ଟକୟାର୍ଡ ବାହାରେ ଥିବା ସୁରକ୍ଷାକର୍ମୀ ଏବଂ ସେଠାରେ ନିୟୋଜିତ ଜଣେ ବନ୍ଧୁକଧାରୀ ସେମାନଙ୍କ ପ୍ରବେଶକୁ ରୋକିବା ପାଇଁ ଗୁଳି ଚଳାଇଥିଲେ। ଫଳରେ ଦିବ୍ୟରଞ୍ଜନ ପରିଡା ଏବଂ ଜନାର୍ଦ୍ଦନ ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଘଟଣାର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି। ଏନେଇ ଗୁଳି ଚଳାଇବାରେ ସମ୍ପୃକ୍ତ ବନ୍ଧୁକଧାରୀ ସମେତ ସମସ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଗିରଫ ଅଭିଯୁକ୍ତମାନେ ହେଲେ ବନ୍ଧୁକଧାରୀ ଗଣେଶ ସାହୋ,ଅଭିମନ୍ୟୁ ସାହୁ ,ପର୍ଶୁରାମ ପରିଡା,ଆନନ୍ଦୀ ମାଝି,କିଶାନ ମଞ୍ଜୀ। ସେହିପରି ଅନ୍ୟ ଆହତମାନଙ୍କୁ ବିଷୟରେ ଯାଞ୍ଚ ଚାଲିଥିବା ସୂଚନା ମିଳିଛି।