ତାଳଚେର,୧୪।୫ : ତାଳଚେରର ବିଶ୍ଵଜିତ ନାଏକ(୨୫) ହତ୍ୟା ଘଟଣା ଉପରୁ ପରଦା ହଟାଇଛି ପୁଲିସ୍ । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ବିଶ୍ବଜିତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ କୁହାଯାଇଛି। ଏଥିସହିତ ହତ୍ୟାକାଣ୍ଡର ଅଭିଯୁକ୍ତ ବଅଁରପାଳ ଥାନା ଇଲାକା ଶାଳଗାଡ଼ିଆ ଗ୍ରାମର ଆନନ୍ଦ ନାଏକକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ହତ୍ୟାରେ ବ୍ୟବହୃତ ଏକ କାରକୁ ଜବତ କରାଯାଇଛି।
ପ୍ରକାଶ ଯେ, କୋଲିୟରୀ ଥାନା ଇଲାକା ଦେଉଳବେଡ଼ା ଅଞ୍ଚଳର ବିଶ୍ଵଜିତ ନାଏକ ଗତ ୨୭ ତାରିଖରୁ ନିଖୋଜ ଥିଲେ । ପରିବାର ଲୋକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନିଖୋଜ ହେବାର ୯ ଦିନପରେ ତାଳଚେର ଥାନା ଏକଡାଳ ନିକଟସ୍ଥ ଜଙ୍ଗଲରୁ ବିଶ୍ବଜିତଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହ ପାଖରୁ ଏକ ସ୍କୁଟି ଜବତ ହୋଇଥିଲା । ତାଙ୍କୁ ହତ୍ୟା କରି ଫୋପାଡ଼ି ଦିଆଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ। ପୁଲିସ୍ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଚଳାଇଥିବା ବେଳେ ବୁଧବାର ହତ୍ୟା ରହସ୍ୟ ଉପରୁ ପରଦା ହଟାଇଛି।
ପୁଲିସ୍ ସୂଚନା ମୁତାବକ, ପ୍ରେମ ସମ୍ପର୍କ କୁ କେନ୍ଦ୍ର କରି ଅଭିଯୁକ୍ତ ଆନନ୍ଦ ନାଏକ, ନନ୍ଦୁ ଓରଫ ସତ୍ୟପ୍ରକାଶ ନାଏକ ସହିତ ବିଶ୍ଵଜିତ ନାଏକଙ୍କର ମନୋମାଳିନ୍ୟ ଥିଲା। ତେଣୁ ଆନନ୍ଦ ନାଏକ ଓ ସତ୍ୟପ୍ରକାଶ ନାଏକ ମିଶି ଅପହରଣ ଓ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଯୋଜନା ମୁତାବକ ସେମାନେ ଏକ ବେନାମୀ ସିମ୍ ଓ ଏକ ନୂଆ ମୋବାଇଲ ଫୋନ କିଣି ଗତ ଏପ୍ରିଲ୍ ୨୫ ତାରିଖ ଠାରୁ ବିଶ୍ଵଜିତ ସହିତ ସେହି ଫୋନ୍ରେ କଥା ହେଉଥିଲେ ।
ଗତ ୨୭ ତାରିଖ ଦିନ ପ୍ରାୟ ସାଢ଼େ ଗୋଟିଏରେ ଆନନ୍ଦ ନାଏକ ଓ ସତ୍ୟପ୍ରକାଶ ନାଏକ ମିଶି ବିଶ୍ଵଜିତକୁ ଦେଉଳବେଡାରେ ଥିବା ଗ୍ରୀନଗ୍ରାସ ଷ୍ଟାଡିୟମ ପାଖକୁ ଡ଼ାକିଥିଲେ । ବିଶ୍ୱଜିତର ଆସିବା ବାଟକୁ ଅପେକ୍ଷା କରି ଆନନ୍ଦ ନାଏକ, ସତ୍ୟପ୍ରକାଶ ନାଏକ ଓ ତା'ର ଜଣେ ସାଥୀ ଏକ କାରରେ ଅପେକ୍ଷା କରିଥିଲେ । ବିଶ୍ଵଜିତ୍ ସ୍କୁଟିରେ ଆସି ତାଙ୍କ ପାଖରେ ପହଞ୍ଚିବା ପରେ ତାକୁ ସେମାନେ କାରର ଆଗ ସିଟରେ ବସାଇ ଅପରାହ୍ନରେ ଏକଡାଳ ଗ୍ରାମ ଜଙ୍ଗଲ ମଧ୍ୟକୁ ଯାଇଥିଲେ । ବିଶ୍ଵଜିତର ସ୍କୁଟି ନନ୍ଦୁର ଜଣେ ସାଙ୍ଗ ଚଲାଇ ନେଇଥିଲେ। ଏକଡାଳ ଜଙ୍ଗଲରେ ସେମାନେ ଅପେକ୍ଷା କରିବା ସମୟରେ ନନ୍ଦୁର ଆଉ ଦୁଇ ଜଣ ସାଙ୍ଗ ଓ ସ୍କୁଟି ନେଇ ଯାଇଥିବା ସାଥୀ ସେଠାରେ ଏକତ୍ରିତ ହୋଇଥିଲେ । ସନ୍ଧ୍ୟା ହେବା ପରେ ସେମାନେ ବିଶ୍ଵଜିତକୁ ଶିବରାମପୁର ଗ୍ରାମ ପାଖକୁ ନେଇଥିଲେ । ସେଠାରେ ଏକ କୋଇଲା ବୋଝେଇ ଟ୍ରକ ପଛ ଚକା ତଳେ ବିଶ୍ଵଜିତକୁ ଶୁଆଇ ଟ୍ରକରେ ଶୋଇଥିବା ଡ୍ରାଇଭରକୁ ହଠାତ ଉଠାଇ ତାକୁ ଆତଙ୍କିତ କରିଥିଲେ । ସେ ଡ୍ରାଇଭର ସେଠାରୁ ଟ୍ରକ ନେଇ ପଳେଈ ଯିବାରୁ ଟ୍ରକର ପଛ ଚକା ବିଶ୍ଵଜିତର ମୁଣ୍ଡ ଓ ଶରୀର ର କିଛି ଅଂଶରେ ଚଢି ଯାଇଥିଲା । ବିଶ୍ବଜିତର ମୃତ୍ୟୁ ହୋଇଥିଲା । ଏହାକୁ ଦୁର୍ଘଟଣାରର ରୂପ ଦେବା ପାଇଁ ସେହି ରାସ୍ତା କଡ ନାଳ ଭିତରକୁ ବିଶ୍ଵଜିତର ସ୍କୁଟିକୁ ଫୋପାଡି ଦେବା ପରେ ବିଶ୍ଵଜିତର ମୃତ ଶରୀରକୁ ମଧ୍ଯ ଭିଡି ନେଇ ନାଳ ଭିତରେ ପକାଇ ଦେଇଥିଲେ ବୋଲି ପୁଲିସ୍ କହିଛି।