ନୂଆଦିଲ୍ଲୀ, ୧୬।୧୦: ଆଫଗାନିସ୍ତାନ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ସେପଟେ ତାଲିବାନ ଓ ପାକିସ୍ତାନ ଉଭୟ ୪୮ ଘଣ୍ଟା ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି । ତାଲିବାନ ଦାବି କରିଛି ଯେ, ପାକିସ୍ତାନୀ ସୈନିକମାନେ ଡୁରାଣ୍ଡ ରେଖା ନିକଟରେ ସେମାନଙ୍କର ପୋଷ୍ଟ ଛାଡ଼ି ପଳାଇଛନ୍ତି । ଏହି ସମୟରେ ଆଫଗାନିସ୍ତାନ ଯୋଦ୍ଧାମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି । ଅନ୍ୟପଟେ ପ୍ୟାଣ୍ଟ ଛାଡ଼ି ଯୁଦ୍ଧ ମୈଦାନରୁ ଦୌଡ଼ିଲେ ପାକିସ୍ତାନ ସୈନିକ । ତାଲିବାନ ସୈନିକମାନେ ବିଜୟ ଦାବି କରି ପାକିସ୍ତାନୀ ସୈନିକଙ୍କ ପ୍ୟାଣ୍ଟକୁ ସେମାନଙ୍କ ବନ୍ଧୁକରେ ଟାଙ୍ଗି ଦେଇଛନ୍ତି । ତାଲିବାନୀ ଯୋଦ୍ଧା ସେଲିବ୍ରେନ କରୁଥିବାର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗୁଛି ।  

ପାକିସ୍ତାନ କାବୁଲରେ ତେହରିକ-ଏ-ତାଲିବାନ ପାକିସ୍ତାନ ଶିବିର ଉପରେ ଆକ୍ରମଣ କରିଛି । ଆଫଗାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ଭାରତ ଗସ୍ତ କରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । କହିରଖୁଛୁ ଯେ, ପାକିସ୍ତାନୀ ସେନା କାବୁଲ ଏବଂ କାନ୍ଦାହାରରେ ବିମାନ ଆକ୍ରମଣ କରିଥିଲା, ଯେଉଁଥିରେ ୧୫ ଜଣ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୦୦ରୁ ଅଧିକ ଆହତ ହୋଇଥିଲେ । ତାଲିବାନ ଏହାର କଡ଼ା ଜବାବ ଦେଇ ସ୍ପିନ-ବୋଲଡାକ ସୀମାନ୍ତ ଆଉଟପୋଷ୍ଟକୁ କବଜା କରିଥିଲା । ଗତ ଚାରି ଦିନ ମଧ୍ୟରେ ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ ସଂଘର୍ଷରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।