ନୂଆଦିଲ୍ଲୀ - ଫିଲ୍ମ ପରଦାରୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଚୌକିରେ ବସିଥିବା ସି. ଜୋସେଫ ବିଜୟ ଲଗାତାର ଆକ୍ସନ ମୋଡରେ। ଅନେକ ନିଷ୍ପତ୍ତି ସହ ଥାଲାପତି ସ୍କୁଲ ଓ କଲେଜ ଗୁଡ଼ିକରେ ରିଲ୍ ଏବଂ ସର୍ଟସ୍ କଲଚରର ଦ୍ରୁତ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟମକୁ କଡ଼ାକଡ଼ି କରିବା ଏବଂ ସୋସିଆଲ ମିଡିଆର ବ୍ୟବହାର ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସେ କୌଣସି ପ୍ରତିଷ୍ଠାନରେ ଏପରି କାର୍ଯ୍ୟକଳାପ ଯେପରି ନ ଘଟେ ତାହା ସୁନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ବିଜୟଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଏପରି ଏକ ସମୟରେ ଆସିଛି, ଯେତେବେଳେ ବିରୋଧୀ ଦଳଗୁଡ଼ିକ କ୍ରମାଗତ ଭାବରେ ତାଙ୍କୁ ଫିଲ୍ମ ହିରୋ ବୋଲି କହି କଟାକ୍ଷ କରୁଥିବାର ନଜର ଆସୁଛି। ନିକଟରେ ବିଜୟଙ୍କ ଦଳ 'ତମିଲଗା ଭେଟ୍ରି କାଜାଗାମ' (TVK) ର କିଛି କର୍ମକର୍ତ୍ତା ମଧ୍ୟ ଏକ ସ୍କୁଲ ଭିତରକୁ ପଶି ରିଲ୍ସ କରୁ ଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ବିଜେପି ଛାଡ଼ିଥିବା ଅନ୍ନାମଲାଇ ଏବଂ ଅନ୍ୟ ସମସ୍ତ ବିରୋଧୀ ଦଳ ତାଙ୍କୁ କଡ଼ା ସମାଲୋଚନା କରି ଥିଲେ। ବିଜୟ କ୍ରମାଗତ ଭାବରେ ଏହି କଥାକୁ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି ଯେ, ସେ ଜନସାଧାରଣଙ୍କ ସାମ୍ନାରେ ନିଜକୁ ସାବ୍ୟସ୍ତ କରି ପାରିବେଯେ,ସେ କେବଳ ଜଣେ 'ରିଲ୍ ହିରୋ' ନୁହଁନ୍ତି।
ଏହି କ୍ରମରେ ଆଗକୁ ବଢ଼ି ସେ ବୁଧବାର ଦିନ ଦୁର୍ନୀତି ବିରୋଧରେ ନିଜ ମନ୍ତ୍ରୀମାନଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ କୌଣସି ବି ମନ୍ତ୍ରୀ ଲାଞ୍ଚ ନେଉ ଥିବାର ଦେଖାଯିବା ଉଚିତ ନୁହେଁ। ବିଜୟ ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ ବିରୋଧରେ ଅତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେତେବେଳେ ତାଙ୍କର ପଦବୀ କିମ୍ବା ଅନ୍ୟ କୌଣସି ଜିନିଷକୁ ବିଚାରକୁ ନିଆଯିବ ନାହିଁ। ଏହା ସହ ସେ ମନ୍ତ୍ରୀମାନଙ୍କୁ ନିଜ ନିଜ ବିଭାଗରେ ମଧ୍ୟ ଏହିଭଳି ନିର୍ଦ୍ଦେଶ ଜାରି କରିବାକୁ ଆଦେଶ ଦେଇଛନ୍ତି।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦୁର୍ନୀତି ହ୍ରାସ କରିବା ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି। 'ଟାଇମ୍ସ ଅଫ୍ ଇଣ୍ଡିଆ'ର ରିପୋର୍ଟ ଅନୁଯାୟୀ, ବୈଠକରେ ବିଜୟ କହିଛନ୍ତି, ମୁଁ ଏଠାକୁ କେବଳ ପାଞ୍ଚ ବର୍ଷର କାର୍ଯ୍ୟକାଳ ପାଇଁ ଆସି ନାହିଁ। ଲୋକମାନେ ଆମ ଉପରେ ଭରସା କରିଛନ୍ତି ଏବଂ ଆମକୁ ସେମାନଙ୍କ ଆଶା ପୂରଣ କରିବାକୁ ହେବ। ଏକ ସ୍ୱଚ୍ଛ ପ୍ରଶାସନର ଆମର ପ୍ରତିଶ୍ରୁତି ଆମ କାର୍ଯ୍ୟରେ ମଧ୍ୟ ପ୍ରତିଫଳିତ ହେବା ଉଚିତ।
ବିଜୟ ଦୁର୍ନୀତି ବିରୋଧରେ ନିଜର ଅଭିଯାନକୁ ଆହୁରି ପାଦେ ଆଗକୁ ନେଇ ଏକ ହେଲ୍ପଲାଇନ ମଧ୍ୟ ଜାରି କରିଛନ୍ତି। ବିଜୟଙ୍କ କହିବା ଅନୁଯାୟୀ, ତାମିଲନାଡୁର ନାଗରିକମାନେ ଯେକୌଣସି ସରକାରୀ କର୍ମଚାରୀଙ୍କ ଦ୍ୱାରା ମଗାଯାଉଥିବା ଲାଞ୍ଚ ସମ୍ପର୍କରେ ସୂଚନା ସେୟାର କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ୯୪୯୮୧ ୮୦୯୩୬ ନମ୍ବରରେ ସୂଚନା ପଠାଇ ଅଭିଯୋଗ ଦାଖଲ କରାଯାଇ ପାରିବ।
ଆହୁରି ମଧ୍ୟ ପଢନ୍ତୁ - Social Media Curfew : ଅଧା ରାତି ହେଲେ ଆଉ ଚାଲିବନି ସୋସିଆଲ ମିଡିଆ ଆପ୍, ଡିଜିଟାଲ ସୁରକ୍ଷା ନେଇ ଯୋଜନା