ନୂଆଦିଲ୍ଲୀ,୩।୧୦: କରୁରରେ ଅଭିନେତା-ରାଜନେତା ବିଜୟଙ୍କ ରାଲି ସମୟରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ ପାଇଁ ମାଡ୍ରାସ ହାଇକୋର୍ଟ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଗଠନ କରିଛନ୍ତି। ଘଟଣାର ସିବିଆଇ ତଦନ୍ତ ପାଇଁ ଏକ ଆବେଦନର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଘଟଣାର ତଦନ୍ତ ପାଇଁ ପୁଲିସ ଆଇଜି ଆସ୍ରା ଗର୍ଗଙ୍କ ନେତୃତ୍ୱରେ ଏଆଇଟି ଗଠନ କରାଯାଇଛି। ପୁଲିସକୁ ସମସ୍ତ ଜରୁରୀ କାଗଜପତ୍ର ତୁରନ୍ତ SITକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ଜଣିକିଆ ଖଣ୍ଡପୀଠ କଥିତ ଭାବରେ ବିଜୟଙ୍କ ପାର୍ଟି ତାମିଲଗା ଭେତ୍ରି କଝଗମ୍ (ଟିଭିକେ)ର ପଦାଧିକାରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ହାଇକୋର୍ଟ ଶୁକ୍ରବାର କରୁର ଦଳାଚକଟାର CBI ତଦନ୍ତ ଦାବି କରୁଥିବା ଏକ ଆବେଦନକୁ ଖାରଜ କରି ଆବେଦନକାରୀଙ୍କୁ ମାଦୁରାଇ ବେଞ୍ଚକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜେପି ନେତା ଉମା ଆନନ୍ଦନ ସେପ୍ଟେମ୍ବର ୨୭ ରେ ଏହି ଆବେଦନ ଦାଖଲ କରିଥିଲେ। ଅଭିନେତା-ରାଜନେତା ବିଜୟଙ୍କ ସାର୍ବଜନୀନ ରାଲିରେ ଦଳାଚକଟାରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬୦ ରୁ ଅଧିକ ଆହତ ହୋଇଥିଲେ।
ଆବେଦନରେ କୁହାଯାଇଛି ଯେ, ଏହି ଘଟଣା ପଛରେ ସରକାରୀ ଉଦାସିନତା ସହିତ ବହୁ ପ୍ରଶ୍ନ ରହିଛି। ଶୁକ୍ରବାର ଏକ ଖଣ୍ଡପୀଠ ଆବେଦନକୁ ଖାରଜ କରି ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠଙ୍କ ଦ୍ବାରସ୍ତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।