ଚେନ୍ନାଇ,୦୩/୦୭; ତାମିଲନାଡୁରେ ଜୋସେଫ୍ ବିଜୟଙ୍କ ନେତୃତ୍ୱରେ ସରକାର ଗଠନକୁ ମାତ୍ର ୨ ମାସ ହୋଇଛି । ଇତିମଧ୍ୟରେ କିନ୍ତୁ ଘୋଡ଼ାବେପାର ଜରିଆରେ ତାଙ୍କ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର ଚାଲିଥିବା ନେଇ ରାଜ୍ୟ ଗୁଇନ୍ଦା ବିଭାଗ ଦାବି କରିଛି । ଅବଶ୍ୟ ସେହି ଯୋଜନାକୁ ବିଫଳ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ, ଜୁନ୍ ୨୯ରେ ଟିଭିକେ ବିଧାୟକ ଏନ୍ ଇଲିୟାରାଜା ତାଙ୍କୁ ବାଚସ୍ପତିଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବରେ ଭୋଟ ଦେବା ବଦଳରେ ୩୫ କୋଟି ଟଙ୍କା ଲାଞ୍ଚ ପାଇଁ ଅଫର୍ ମିଳିଥିବା ନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଗୁଇନ୍ଦା ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିଲା । ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହେବା ପରେ ତାମିଲନାଡୁ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଘଟଣାରେ ୩ ଜଣଙ୍କୁ ଗିରଫ କରାଯିବା ପରେ ଷଡ଼ଯନ୍ତ୍ରରେ ଡିଏମ୍କେ ସାମିଲ ଥିବା ନେଇ ଅଭିଯୋଗ ହୋଇଥିଲା ।
ଚେନ୍ନାଇର ଏକ କନ୍ସଲଟାନ୍ସି ଫାର୍ମ ସହ ଜଡିତ ୩ ଜଣଙ୍କୁ ଗିରଫ କରାଯାଇଥିଲା । ତଦନ୍ତରୁ ଏଥିରେ ଡିଏମ୍କେ ବିଧାୟକ ସେନ୍ଥିଲ ବାଲାଜୀଙ୍କ ସମ୍ବନ୍ଧ ଥିବା ସୂଚନା ମିଳିଛି । ଇତିମଧ୍ୟରେ ଟିଭିକେ ମନ୍ତ୍ରୀ ନିର୍ମଳ କୁମାର ଦାବି କରିଛନ୍ତି ଯେ, ଡିଏମ୍କେ ନେତା ସେନ୍ଥିଲ ବାଲାଜୀ ବିଗତ ୪୦ ଦିନ ମଧ୍ୟରେ ଅନେକ ଟିଭିକେ ବିଧାୟକଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ସେ ୧୦-୫୦ କୋଟି ଟଙ୍କା ଯାଏ ଅଫର କରିଥିଲେ । ରାଜ୍ୟ ଗୁଇନ୍ଦା ବିଭାଗ ଏହି ଯୋଜନାକୁ ପଣ୍ଡ କରିଥିବା ଦାବି କରିଛି । ମିଳିଥିବା ସୂଚନା ଅନୁଯାୟୀ ସରକାର ପତନ ପାଇଁ ଏକାସଙ୍ଗେ ୧୫ ଜଣ ଟିଭିକେ ବିଧାୟକଙ୍କୁ ଇସ୍ତଫା ଦେବା ପାଇଁ ଟଙ୍କା ଲୋଭ ଦିଆଯାଇଥିଲା । ଏକ ସମୟରେ ଏତେ ବିଧାୟକ ଇସ୍ତଫା ଦେଇଥିଲେ ବିଜୟ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା ହୋଇଥିଲା । ବିରୋଧୀ ଦଳ ଏସବୁ ଡିଏମ୍ ମୁଖ୍ୟ ଏମ୍କେ ଷ୍ଟାଲିନଙ୍କ ଜ୍ଞାତସାରରେ ଏବଂ ତାଙ୍କର ଅନୁମତି କ୍ରମେ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି । ଡିଏମ୍କେ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛି । ଏହାର ତଦନ୍ତ ଲାଗି ଦଳ ଦାବି କରିଛି ।
ଏହା ବି ପଢନ୍ତୁ...Vijay vs Stalin: ତାମିଲନାଡୁରେ ପତନ ହେବ କି ଜୋସେଫ ବିଜୟଙ୍କ ସରକାର ? ଏମକେ ଷ୍ଟାଲିନଙ୍କ ବୟାନ ପରେ ହଲଚଲ
ଡିଏମକେ ପାଲଟା ଅଭିଯୋଗ କରିଛି କି, ବିଜୟ ସରକାର ବିରୋଧୀ ଦଳର ବିଧାୟକମାନଙ୍କୁ ନିଜ ଦଳକୁ ଆଣିବାକୁ ପ୍ରୟାସ କରୁଛି । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଉଭୟ ପକ୍ଷ ପରସ୍ପ ବିରୋଧରେ ବିଧାୟକ କିଣାବିକାର ଅଭିଯୋଗ କରୁଥିବାବେଳେ, ପୁଲିସ୍ ସମସ୍ତ ଦିଗକୁ ଧ୍ୟାନରେ ରଖି ତଦନ୍ତ ଜାରି ରଖିଛି । ତଦନ୍ତ ଶେଷ ପରେ ଘଟଣାର ସତ ସାମ୍ନାକୁ ଆସିବ ବୋଲି ଅଧିକାରୀମାନ କହିଛନ୍ତି ।
ଏହା ବି ପଢନ୍ତୁ...CM Vijay: ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଳା-ଧଳା କୋଟ୍ କାହିଁକି ପିନ୍ଧନ୍ତି ? ସୁଟ୍ ପଛରେ ଲୁଚିଛି ବଡ଼ ସଙ୍କେତ