ନୂଆଦିଲ୍ଲୀ ୧୪/୦୮: ବିହାରରେ ସମସ୍ତୀପୁର ସଦର ହସ୍ପିଟାଲର ପୋଷ୍ଟ-ମର୍ଟମ୍‌  ହାଉସ୍‌ରେ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଆତ୍ମଘୋଷିତ ତାନ୍ତ୍ରିକ ସାପ କାମୁଡ଼ାରେ ପ୍ରାଣ ହରାଇଥିବା  ଜଣେ ୧୫ ବର୍ଷୀୟ ବାଳକର ଶରୀରକୁ ପୁନର୍ଜୀବିତ କରିବାକୁ  ଚେଷ୍ଟା କରିଛନ୍ତି। ଡାକ୍ତରଙ୍କ ପୋଷ୍ଟ୍‌ ମର୍ଟମ୍‌ର କିଛି ସମୟ ପୂର୍ବରୁ ତାନ୍ତ୍ରିକ ଏପରି ପ୍ରୟାସ କରିଛନ୍ତି । ଘଟଣାର  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନ୍ଧବିଶ୍ୱାସ ପ୍ରତି ଲୋକଙ୍କ ବିଶ୍ୱାସ ୟୁଜର୍‌ଙ୍କୁ ଚକିତ କରିଛି । 

ବାଳକର ମୃତ୍ୟୁ ପରେ ତା’ର ମୃତ  ଶରୀରକୁ ହସ୍ପିଟାଲକୁ ନିଆଯାଇଥିଲା ।  ହସ୍ପିଟାଲର ଜଣେ କର୍ମଚାରୀ ଶବକୁ ଟ୍ରଲିରେ ରଖି ଭିତରକୁ ନେବା ସମୟରେ ଜଣେ ବ୍ୟକ୍ତି ହେଲ୍‌ମେଟ ପିନ୍ଧି ହସ୍ପିଟାଲ ହତା ଭିତରକୁ ପ୍ରବେଶ କଲେ । ‘ଭଗତ’ (ଆସ୍ଥାର ଉପଚାର ନିମନ୍ତେ ସ୍ଥାନୀୟ ଶବ୍ଦ) ନାମରେ ସେ ନିଜର ପରିଚୟ ଦେଲେ । ଅଖିଳେଶ କୁମାର ରାଏ ନାମକ ଏହି ବ୍ୟକ୍ତି ଦାବି  କଲେ ଯେ ପାରମ୍ପରିକ ପ୍ରଥା ଜରିଆରେ ସେ ମୃତ ଶରୀରକୁ ପୁନର୍ଜୀବିତ କରିପାରିବେ ।  

ଦେଖଣାହାରି କହନ୍ତି, ଦୀର୍ଘ ୩୦ ମିନିଟ୍‌ରୁ ଅଧିକ ସମୟ ଧରି ଅଖିଳେଶ ତନ୍ତ୍ର-ମନ୍ତ୍ର ଆଦି ବିଧି କଲେ । ମୃତ ବାଳକର ଛାତି ଉପରେ ସେ ହାତ ରଖି ତା’ର ହୃତ୍‌ସ୍ପନ୍ଦନ ଯାଞ୍ଚ୍‌ କଲେ ଏବଂ ଧ୍ୟାନରେ ନିଜର ଆଖି ବନ୍ଦ କଲେ । ଗାମୁଛାକୁ  ଚାବୁକ୍‌ ଭାବେ ତା’ ଶରୀରକୁ ପିଟିଲେ । ଜଣେ ସହଯୋଗୀ ବାଳକର ପାଦକୁ ମସାଜ୍‌ କଲେ । ତା’ର ଶୋକାକୁଳ ପରିବାର ସଦସ୍ୟ ଆଶା ବାନ୍ଧିଥିଲେ । ଏହି ତନ୍ତ୍ର ବିଧିକୁ ଦେଖିବାକୁ ପୋଷ୍ଟ୍‌ ମର୍ଟମ୍‌ ରୁମ୍‌ରେ ଲୋକଙ୍କ ଭିଡ଼ ଜମିଗଲା । କିଛି ଏହାର ଭିଡିଓ ସୁଟ୍‌ କଲେ । ସ୍ଥିତି ଖୁବ୍‌ ଗମ୍ଭୀର ଥିଲା । ଅନେକ ଚମତ୍କାରକୁ ଅପେକ୍ଷା କରିଥିଲେ । କିନ୍ତୁ ସେମିତି  କିଛି ବି ହେଲା ନାହିଁ । 

ରାଏ ଦାବି କଲେ, ଡାକ୍ତର ବାଳକକୁ ସାଲାଇନ୍‌ ଦେଇଥିବାରୁ ତାକୁ ପୁନର୍ଜୀବିତ କରାଯାଇ ପାରିଲା ନାହିଁ । ପୁନର୍ଜୀବନ ପାଇଁ ଆବଶ୍ୟକ ଉର୍ଜ୍ଜାକୁ ଏହା ବାଧା ପହଞ୍ଚାଇଲା ବୋଲି ସେ ଅଭିଯୋଗ କଲେ । ଶେଷରେ ହାତ ଯୋଡ଼ି ଶୋକାକୁଳ ପରିବାରକୁ ସେ କ୍ଷମା ପ୍ରାର୍ଥନା କଲେ ଏବଂ ହସ୍ପିଟାଲରୁ ଚାଲିଗଲେ । ଏହା ପରେ ହସ୍ପିଟାଲ କର୍ମଚାରୀ ପୋଷ୍ଟ୍‌ ମର୍ଟମ୍‌ ପ୍ରକ୍ରିୟା ଆରମ୍ଭ କଲେ । ଆପାତକାଳ ୱାର୍ଡର ଡାକ୍ତର ପିଡି ଶର୍ମା ତାନ୍ତ୍ରିକଙ୍କ ଦାବିକୁ ଖଣ୍ଡନ କଲେ । 

ପରିବାରର ଭାବନାକୁ ସମ୍ମାନ ଜଣାଇ ସେ କହିଲେ, ବିଜ୍ଞାନ ଓ ଚିକିତ୍ସା ଅନୁସାରେ, ଥରେ ଜଣେ ବ୍ୟକ୍ତିର ମୃତ୍ୟୁ ହେଲେ ତା’ର ଜୀବନ ଫେରାଇ  ଆଣିବା ଅସମ୍ଭବ । ପୋଷ୍ଟ୍‌-ମର୍ଟମ୍‌ ପରେ ବାଳକର ଶରୀରକୁ  ପରିବାରକୁ ହସ୍ତାନ୍ତର କରାଗଲା । ଘଟଣାକୁ ନେଇ ସୋସିଆଲ ମିଡିଆ ୟୁଜର୍‌ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।