କଟକ, ୨୯/୦୧ : ଗ୍ରହ ଖରାପ । ତେଣୁ ପରିବାରରେ ଅଶାନ୍ତି ଲାଗି ରହୁଛି । ରିଷ୍ଟ ଖଣ୍ଡନ ଓ ଗ୍ରହ ଶାନ୍ତି ପାଇଁ ପୂଜାର୍ଚ୍ଚନା କରିବାକୁ ପଡ଼ିବ। ଜାତକ ଦେଖି ଏମିତି କହିଥିଲେ ଜ୍ୟୋତିଷ । ଏହାପରେ ବନ୍ଦ ଘରେ ଚାଲିଥିଲା ହୋମପାଠ। ଗୁପ୍ତ ପୂଜା ନାଁରେ ଯୁବତୀଙ୍କୁ ଧ୍ୟାନମୁଦ୍ରାରେ ବସାଇ ଅସଦାଚରଣ କରିଥିଲେ ଜ୍ୟୋତିଷ। ଯୁବତୀ ଜଣଙ୍କ ପାଟି କରିବାରୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଭଣ୍ଡ ଜ୍ୟୋତିଷ। ଏହାପରେ ଯୁବତୀ ଜଣଙ୍କ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏବେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତର ନାଁ ଜଗନ୍ନାଥ ନାୟକ (୩୬) । ତାର ଘର  ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ମହାତୋଳ ଗ୍ରାମରେ ।  ଅଭିଯୁକ୍ତଠାରୁ ପୁଲିସ ମୋବାଇଲ୍‌ ଫୋନ୍‌ ଜବତ କରିଛି । 

ପୁଲିସ ସୂତ୍ରରୁ ପ୍ରକାଶ, ସାଆନ୍ତସାହି ଅଞ୍ଚଳର ଜଣେ  ଯୁବତୀଙ୍କ ପରିବାର ଲୋକଙ୍କ ସହିତ ଜଗନ୍ନାଥଙ୍କ ଭେଟ ହୋଇଥିଲା । ଜଗନ୍ନାଥ ନିଜକୁ ଜ୍ୟୋତିଷ ବୋଲି ପରିଚୟ ଦେଇ ଯୁବତୀଙ୍କ ସମେତ ତାଙ୍କ ପରିବାର ଲୋକଙ୍କ ଜାତକ ଦେଖିଥିଲା । ଜାତକ ଦେଖିବା ପରେ ସମୟ ଭଲ ନଥିବା କହି ପୂଜାପାଠ ଓ ହୋମ ନିହାତି ଦରକାର ବୋଲି କହିଥିଲେ । ଧର୍ମୀୟ ବିଶ୍ୱାସରେ ରହି ଯୁବତୀଙ୍କ ପରିବାର ଲୋକେ ଜ୍ୟୋତିଷ  କଥାରେ ପୂଜାପାଠ ଆୟୋଜନ ପାଇଁ ପ୍ରସ୍ତୁତି ହୋଇଥିଲେ । ଏଥିଲାଗି ଅଭିଯୁକ୍ତ ଜଗନ୍ନାଥଙ୍କୁ ଆଗୁଆ ୨୫ ହଜାର ଟଙ୍କା ମଧ୍ୟ ଦେଇଥିଲେ । ପୂଜା ପାଇଁ ମଙ୍ଗଳବାର ସମୟ ନିର୍ଘଣ୍ଟ  ସ୍ଥିର ହୋଇଥିଲା । ପୂଜା ଚାଲିଥିବା ସମୟରେ ଯୁବତୀଙ୍କୁ ସେ  ଅସଦାଚରଣ କରିଥିଲା । ଯୁବତୀ ଜଣଙ୍କ ପାଟି କରିବାରୁ ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଏନେଇ  ଯୁବତୀ ଜଣଙ୍କ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏବେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତର ନାଁ ଜଗନ୍ନାଥ ନାୟକ। ଏହାପୂର୍ବରୁ ସେ ଆଉ ଦୁଇଟି ସ୍ଥାନରେ ମଧ୍ୟ ଗ୍ରହ ଗଣନା କରି ପୂଜାପାଠ କରିବା ନାଁରେ ଠକିବା ସହ ଅସଦାଚରଣ କରିଥିବା ଖବର ମିଳିଛି।

ଏହି ଖବରଟିକୁ ପଢନ୍ତୁ- ଶିମିଳିପାଳରେ ରହିଛି ମହୌଷଧି ଲାଇକେନ୍, ବିଭିନ୍ନ ସଂକ୍ରମଣ ରୋଗର ହୋଇପାରିବ ଉପଚାର