ଭୁବନେଶ୍ୱର, ୧୨।୧: ଯୁବଶକ୍ତି । ଏକ ପ୍ରମୁଖ ଶକ୍ତି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଭଳି ବହୁ ଯୁବକ ଦେଶ ସେବାରେ ନିଜ ଜୀବନ ଉତ୍ସର୍ଗ କରିଛନ୍ତି । ସମାଜର ବିକାଶ ଦିଗରେ ଯୁବପିଢିଙ୍କ ସକ୍ରିୟ ସହଯୋଗ ରହିଥାଏ । ତେଣୁ ଯୁବପିଢ଼ି ସବୁବେଳେ ଜାଗ୍ରତ ରହିବା ଦରକାର । ବର୍ତ୍ତମାନ ସ୍ଥିତିରେ କେନ୍ଦ୍ର ସରକାର ମଧ୍ୟ ଯୁବପିଢିଙ୍କ ସକ୍ରିୟ ସହଯୋଗ ଚାହୁଁଛନ୍ତି । ଆମ ଓଡ଼ିଶାରେ ବି ବହୁ ଯୁବ ପ୍ରତିଭା ରହିଛନ୍ତି, ଯେଉଁମାନେ ନିରନ୍ତର ଭାବେ ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ସୋମବାର ଜାତୀୟ ଯୁବ ଦିବସ ରହିଥିବା ବେଳେ ଏମାନଙ୍କ ନିଷ୍ଠା ଓ ସମାଜସେବା ଅନ୍ୟ ଯୁବକଯୁବତୀଙ୍କୁ ପ୍ରେରଣା ଯୋଗାଇବ ।

ବୁଲା ଗୋରୁଙ୍କ ଦେବଦୂତ ତାରାକାନ୍ତ:

ପେସାରେ ଶିକ୍ଷକ । ପିଲାଙ୍କୁ ପାଠ ପଢାଇ ଶିକ୍ଷିତ କରିବା ତାଙ୍କ କାମ । ହେଲେ ସେତିକିରେ ତାଙ୍କ ଦାୟିତ୍ୱ ସରୁନି, ରାସ୍ତାରେ ଅସୁସ୍ଥ ଗାଈ କି ଷଣ୍ଢଙ୍କୁ ଦେଖିଲେ ତାଙ୍କ ମନ ବିକଳ ହୋଇଯାଏ । ହାତରେ ଔଷଧ ଧରି ସେ ପହଞ୍ଚିଯାଆନ୍ତି । ସଙ୍ଗେସଙ୍ଗେ ଆରମ୍ଭ କରିଦିଅନ୍ତି ଚିକିତ୍ସା । ଖାଲି ଚିକିତ୍ସା କରି ଛାଡ଼ିଦିଅନ୍ତିନି, ପ୍ରାଣୀଟି କେମିତି ଭଲ ହେବ ଓ ପୁଣି ଚଲାବୁଲା ସେସବୁ ଉପରେ ମଧ୍ୟ ନଜର ରଖନ୍ତି । ପ୍ରତିଦିନ ଆସି ଦେଖାଶୁଣା କରି ଖାଇବାକୁ ଦିଅନ୍ତି । ସେଥିପାଇଁ ଲୋକେ ତାଙ୍କୁ ବୁଲା ଓ ଅସୁସ୍ଥ ଗୋରୁଙ୍କ ଦେବଦୂତ କୁହନ୍ତି । ସେ ହେଲେ ଶିକ୍ଷକ ତାରାକାନ୍ତ ବେହେରା । ରାଜଧାନୀ ଉପକଣ୍ଠ ପଥରଗାଡ଼ିଆରେ ସପରିବାର ସହ ରହୁଛନ୍ତି ତାରାକାନ୍ତ । ଭାସ୍କର ବେହେରା ଓ ଦ୍ରୌପଦୀ ବେହେରାଙ୍କ ସାନପୁଅ ତାରାକାନ୍ତ ପିଲାଟି ବେଳୁ ପଶୁଜନ୍ତୁଙ୍କୁ ଭଲ ପାଆନ୍ତି । ଏକ ଘରୋଇ ସ୍କୁଲରେ ସେ ଶିକ୍ଷକତା କରୁଛନ୍ତି । ଦଶମ ଶ୍ରେଣୀରେ ପଢୁଥିବା ବେଳେ ଏକ ରୋଗୀଣା ଷଣ୍ଢର ଚିକିତ୍ସା ସେ କରିଥିଲେ । ତା ପୁଣି ପକେଟ ମନିରେ । ବାସ୍ ସେଇଠୁ ବୁଲା ଅସୁସ୍ଥ ଗୋରୁଙ୍କ ପ୍ରତି ତାଙ୍କର ଦୁର୍ବଳତା ସୃଷ୍ଟି ହୋଇଥିଲା । ଯାହା ତାଙ୍କର ନିଶା ପାଲଟିଛି ।

୨୦୦୩ରୁ ଆଜି ପର୍ଯ୍ୟନ୍ତ ସେ ବୁଲା ଗୋରୁଙ୍କ ଚିକିତ୍ସା କରିଆସୁଛନ୍ତି । ଦିନ ହେଉ ଅବା ରାତି, ଘରେ ଥାଆନ୍ତୁ କିମ୍ବା ସ୍କୁଲରେ, କେଉଁଠି ଯଦି ଅସୁସ୍ଥ ଗାଈ, ଷଣ୍ଢ, ବାଛୁରୀଙ୍କ ଖବର ମିଳେ, ସଙ୍ଗେସଙ୍ଗେ ଗାଡ଼ିରେ ସେ ଛୁଟିଯାଆନ୍ତି । ଖାଇବା, ପିଇବା ଭୁଲିଯାଇ ସେ ଗୋରୁଙ୍କ ଚିକିତ୍ସାରେ ଲାଗିପଡ଼ନ୍ତି । ଏଥିପାଇଁ କର୍ମକ୍ଷେତ୍ରରେ ସମସ୍ୟା ଦେଖାଦିଏ, ହେଲେ ଏସବୁକୁ ତାରାକାନ୍ତ ଭ୍ରୁକ୍ଷେପ କରନ୍ତିନି । ତାଙ୍କ ନଜରରେ ଗୋରୁଗାଈଙ୍କ ଜୀବନ ବି ମଣିଷ ଜୀବନ ସହ ସମାନ । ପ୍ରତିମାସକୁ ସେ ୯୦ରୁ ୧୦୦ଟି ଅସୁସ୍ଥ ଗୋରୁଙ୍କ ଚିକିତ୍ସା କରୁଛନ୍ତି । ବଡ଼କଥା ହେଉଛି, ଚିକିତ୍ସା ପାଇଁ ସେ କାହାକୁ ଟଙ୍କାଟେ ମାଗନ୍ତିନି, ବରଂ ନିଜ ଦରମାରୁ କାଟି ସେ ଗୋରୁଙ୍କ ସେବାରେ ଲଗାନ୍ତି । ତାରାକାନ୍ତ କହିଛନ୍ତି, ସେ ଏ କାମ ନିଜ ଖୁସି ପାଇଁ କରୁଛନ୍ତି । ୨୩ବର୍ଷ ଭିତରେ ୧୫ହଜାରରୁ ଅଧିକ ଗୋରୁଙ୍କ ଚିକିତ୍ସା ସେ କରିସାରିଲେଣି । ଏଥିପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି । ହେଲେ ଯାତ୍ରା ଏଇଠି ସରୁନି, ଶେଷ ନିଃଶ୍ୱାସ ଯାଏ ସେ ଏହି କାମ କରିବେ ବୋଲି କହିଛନ୍ତି ।

ଉପାନ୍ତରେ ଜ୍ଞାନର ଆଲୋକ ବାଣ୍ଟୁଛନ୍ତି ଅନିତା:

ଜନ୍ମ ଯାଜପୁରରେ, କର୍ମସ୍ଥଳ କୋରାପୁଟ । କୌଣସି ସରକାରୀ ଚାକିରି ନୁହେଁ, ଉପାନ୍ତ ଅଞ୍ଚଳରେ ରହୁଥିବା ଗରିବ, ଅଶିକ୍ଷିତ ଓ ଅସହାୟ ଅଧିବାସୀଙ୍କୁ ଶିକ୍ଷାର ଆଲୋକ ପ୍ରଦାନ କରିବା ହିଁ ତାଙ୍କ କାମ । ଏଭଳି ଜଣେ ଯୁବତୀ ହେଲେ ଅନିତା ମହାପାତ୍ର(୩୦) । ୨୦୧୮ରୁ ସେ ଏକ ଏନ୍ଜିଓରେ କାମ କରିବା ସହ କୋରାପୁଟ ଯାଇ ଗାଁ ଗାଁ ବୁଲୁଛନ୍ତି । ଅନିତାଙ୍କ ଏହି ଅନନ୍ୟ ପ୍ରୟାସ ଏବେ ସେଠାକାର ବିଭିନ୍ନ ଆଦିବାସୀ ଗାଁରେ ବସବାସ କରୁଥିବା ଲୋକଙ୍କ ମୁହଁରେ ହସ ଫୁଟାଇଛି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଡେଙ୍ଗାଗୁଡ଼ା, ଫୁଙ୍ଗାଗୁଡ଼ା ଗାଁକୁ ଆଜି ବି ଯାତାୟାତ କରିବାକୁ ଭଲ ରାସ୍ତା ନାହିଁ । ଚାରିପଟେ ଜଙ୍ଗଲ । ଏହି ଅପହଞ୍ଚ ଗାଁରେ ଶିକ୍ଷା ଓ ରୋଜଗାର ସୁଯୋଗର ଅଭାବ ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ସମସ୍ୟା । ସରକାରଙ୍କ ପକ୍ଷରୁ ଯେଉଁ ସବୁ ଲୋକାଭିମୁଖୀ ଯୋଜନା ଆସେ, ସେସବୁ ବି ଗାଁରେ ପହଞ୍ଚିପାରେନି । ଏହି ସମସ୍ୟାକୁ ଧ୍ୟାନରେ ରଖି ଅନିତା ଉକ୍ତ ଗାଁକୁ ଯାଇ ଆଦିବାସୀ ପରିବାରମାନଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ।

ସେହିପରି ପଟାଙ୍ଗି ବ୍ଲକର କୋଟିଆ ହେଉ ନାରାୟଣ ପାଟଣା ବ୍ଲକ କିମ୍ବା ବନ୍ଧୁଗାଁ । ଏହିସବୁ ଅଞ୍ଚଳ ବୁଲୁଛନ୍ତି ଅନିତା । ନିଜ ଉଦ୍ୟମରେ ଗାଁ ସଭା ଓ ସ୍ଥାନୀୟ ଭାଷାରେ ଆଲୋଚନା ମାଧ୍ୟମରେ ଯୁବକ-ଯୁବତୀମାନଙ୍କୁ କୌଶଳ ତାଲିମ, ସରକାରୀ ଯୋଜନା ଓ ରୋଜଗାର ସୁଯୋଗ ବିଷୟରେ ସଚେତନ କରିଥିଲେ । ଅନିତାଙ୍କ ଏନ୍ଜିଓ ଆକମେ ଇଣ୍ଡିଆ ପକ୍ଷରୁ ଥିବା ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଇଥିବା ଆଦିବାସୀ ଯୁବକଯୁବତୀମାନେ ଆଜି ହୋଟେଲ ପରିଚାଳନା, ସିଲାଇ ଭଳି କ୍ଷେତ୍ରରେ ନିଯୁକ୍ତି ପାଇ ସ୍ୱାବଲମ୍ବୀ ହୋଇଛନ୍ତି । ଅନେକେ ସହରରେ କାମ କରି ନିଜ ପରିବାରକୁ ଆର୍ଥିକ ସହଯୋଗ କରୁଥିବା ବେଳେ, କେହି କେହି ଗାଁକୁ ଫେରି ନିଜ ସ୍ୱୟଂରୋଜଗାର ଆରମ୍ଭ କରିଛନ୍ତି । ଅନିତାଙ୍କ ନେତୃତ୍ୱରେ ପ୍ରାୟ ୩୦୦୦ ଯୁବକ ଯୁବତୀ ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ଏଥିପାଇଁ ଅନିତାଙ୍କୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି । ସୂଚନା ଯୋଗ୍ୟ, ଯାଜପୁର ଜିଲ୍ଲା କୋରେଇ ବଡ଼ବିରୁହାଁ ନିବାସୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରତ୍ନପ୍ରଭାଙ୍କ ସାନ ଝିଅ ଅନିତା ଏବେ ଯୁକ୍ତ-୩ରେ ପାଠ ପଢ଼ୁଛନ୍ତି । ଆଗକୁ ମଧ୍ୟ ସେ ବିଭିନ୍ନ ଅପହଞ୍ଚ ଗାଁ ବୁଲିବେ ବୋଲି କହିଛନ୍ତି ।