• ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଶିକ୍ଷାଭିତ୍ତିକ ପରିଭ୍ରମଣର ଶୁଭାରମ୍ଭ କଲେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ
  • ସମଗ୍ର ଓଡ଼ିଶାର ୭୬,୭୦୦ରୁ ଅଧିକ ପ୍ରତିଯୋଗୀଙ୍କ ମଧ୍ୟରୁ ଶୀର୍ଷ ୩୦ ଛାତ୍ରଛାତ୍ରୀ ମନୋନୀତ
  • ଭାରତର ମହାକାଶ ଗବେଷଣା ଏବଂ ଉପଗ୍ରହ ପ୍ରକ୍ଷେପଣ ବିଷୟରେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର,୨୬:ମହାକାଶ ଗବେଷଣା ଓ ଗ୍ରହ ନକ୍ଷତ୍ରମାନଙ୍କ ଉପସ୍ଥିତି ଏବଂ ଗତିବିଧି ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ହାସଲ କରିବା ନିଶ୍ଚିତ ଭାବେ ଏକ ସୁଯୋଗ । ଏହି ସୁଯୋଗକୁ ସଫଳ ରୂପାୟନ ପାଇଁ ରାଜ୍ୟର ୩୦ ଜଣ ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସତୀଶ ଧାୱନ ମହାକାଶ କେନ୍ଦ୍ରକୁ ଗସ୍ତ କରିଛନ୍ତି ।ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ’ (ୟାଟ୍ସ)ର ୩୦ଜଣ କୃତୀ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାର ଶୁଭାରମ୍ଭ କରିଛନ୍ତି। ଏହି ଗସ୍ତ ମେ ୨୬ ତାରିଖରୁ ମେ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଟାଟା ଷ୍ଟିଲ ଓ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନସ୍ଥ ପଠାଣି ସାମନ୍ତ ପ୍ଲାନେଟୋରିୟମ ସହଯୋଗିତାରେ ଆୟୋଜିତ ୧୯ତମ ସଂସ୍କରଣରେ ସାରା ରାଜ୍ୟର ୭୬,୭୦୦ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩୦ଜଣ ବିଜେତା ଛାତ୍ରଛାତ୍ରୀଙ୍କୁ ଇସ୍ରୋ ଗସ୍ତ ପାଇଁ ମନୋନୀତ କରାଯାଇଥିଲା।

ଏହି ଶିକ୍ଷାଭିତ୍ତିକ ଗସ୍ତର ଶୁଭାରମ୍ଭ କରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତିଯେ ପ୍ରଥମ ଥର ପାଇଁ ୟାଟ୍ସ ବିଜେତାମାନେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ଇସ୍ରୋ ପ୍ରତିଷ୍ଠାନ ପରିଦର୍ଶନ କରିବାର ସୁଯୋଗ ପାଉଛନ୍ତି। ଏହି ଶିକ୍ଷାଭିତ୍ତିକ ପରିଭ୍ରମଣରେ ସେମାନେ ମହାକାଶ ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନ ବିଷୟରେ ଅନେକ ତଥ୍ୟ ଜାଣିବାର ସୁଯୋଗ ପାଇବେ। ଏହି ଯୁବ ଜ୍ୟୋତିର୍ବିଜ୍ଞାନୀମାନେ ଆଗାମୀ ଦିନରେ ପ୍ରସିଦ୍ଧ ବୈଜ୍ଞାନିକ ହୋଇ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ସେହିଭଳି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ପଠାଣି ସାମନ୍ତ ପ୍ଲାନେଟୋରିୟମ ଅଧ୍ୟକ୍ଷା ଚିତ୍ରା ଅରୁମୁଗମ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟର ପରିଭ୍ରମଣରେ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମହାକାଶ ଅନୁସନ୍ଧାନକାରୀଙ୍କ ମଧ୍ୟରେ ସାମିଲ ହେବା ପାଇଁ କଠିନ ପରିଶ୍ରମ ଓ ବୁଦ୍ଧିମତ୍ତାର ସହ କାର୍ଯ୍ୟ କରିବାକୁ ପିଲାମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅତିରିକ୍ତ ଶାସନ ସଚିବ ଶିବାନୀ ମହାନ୍ତି,ପଠାଣି ସାମନ୍ତ ପ୍ଲାନେଟୋରିୟମର ନିର୍ଦ୍ଦେଶକ ଊର୍ମିପ୍ରଭା ମହାରଣା ଏବଂ ଟାଟା ଷ୍ଟିଲ୍ ମେରାମଣ୍ଡଳୀର କର୍ପୋରେଟ୍ ସର୍ଭିସେସ୍ ଚିଫ୍ ଶୁଭ୍ରାଂଶୁ ଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଗସ୍ତ ସମୟରେ ଛାତ୍ରଛାତ୍ରୀମାନେ ଭାରତର ମହାକାଶ ମିଶନ,ଲଞ୍ଚ୍ ଭେହିକିଲ ସିଷ୍ଟମ୍,ସାଟେଲାଇଟ୍ ଟେକ୍ନୋଲୋଜୀ ଏବଂ ଟ୍ରାକିଂ କାର୍ଯ୍ୟକଳାପ ବିଷୟରେ ଅଧିକ ଜାଣିପାରିବେ।"ଆଜିର ନକ୍ଷତ୍ରଦର୍ଶୀ ଆସନ୍ତାକାଲିର ମହାକାଶଚାରୀବିଷୟବସ୍ତୁ ଉପରେ ଆଧାରିତ ୟାଟ୍ସର ୨୦୨୫-୨୬ ସଂସ୍କରଣର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କଳ୍ପନାଶକ୍ତିର ବିକାଶ କରିବା ଏବଂ ବୈଜ୍ଞାନିକ ମନୋଭାବକୁ ସୁଦୃଢ଼ କରିବା।